ଓଡ଼ିଶା ସଂପର୍କରେ ଇଣ୍ଡିଆ ରେଟିଂସ୍‌ ରିପୋର୍ଟ: କ୍ଷତି କମ୍, ସୁଧାର ଅଧିକ

ଅର୍ଥନୀତିରେ ଆହୁରି ଉନ୍ନତି ହେବ, ବିତ୍ତୀୟ ନିଅଣ୍ଟ ହ୍ରାସ ପାଇବ, ଜିଡିପି/ଋଣ ଅନୁପାତ ବି କମିବ

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ଜାତୀୟ ଅର୍ଥନୀତି ଦୋହଲି ଯାଇଛି। ଏହି କାରଣରୁ କିଛି ରାଜ୍ୟ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟ କିଛି ରାଜ୍ୟ ବିଶେଷ ପ୍ରଭାବିତ ହୋଇ ନାହାନ୍ତି। ଅର୍ଥନୀତିରେ ସେମାନଙ୍କର ଯେତେ‌ କ୍ଷତି ହୋଇଛି, ପରବର୍ତୀ ଅବସ୍ଥାରେ ସେଥିରେ ଅଧିକ ସୁଧାର ହୋଇଛି। ନିକଟ ଭବିଷ୍ୟତରେ ଏହି କ୍ଷେତ୍ରରେ ଆହୁରି ଉନ୍ନତି ଘଟିବ।

ଦେଶର ଏକ ପ୍ରମୁଖ ରେଟିଂ ଏଜେନ୍ସି ‘ଇଣ୍ଡିଆ ରେଟିଙ୍ଗ୍‌ସ ଆଣ୍ଡ୍ ରିସର୍ଚ୍ଚ’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ରି‌ ପୋର୍ଟରେ ଓଡ଼ିଶା ସମେତ ୧୪ଟି ରାଜ୍ୟର ଅର୍ଥନ‌ୈତିକ ପରିଚାଳନାର ପ୍ରଶଂସା କରାଯାଇଛି। କୁହାଯାଇଛି ଯେ କରୋନା ଯୋଗୁଁ କ୍ଷତିଗ୍ରସ୍ତ ଅର୍ଥନୀତିରେ ସୁଧାର ଆଣିବା ଲାଗି ଏହି ରାଜ୍ୟମାନେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଫଳପ୍ରଦ ସାବ୍ୟସ୍ତ ହେଉଛି। ଏହା ପଛର ପ୍ରମୁଖ କାରଣ ହେଉଛି ଟିକାକରଣ। ଏହି ରାଜ୍ୟଗୁଡ଼ିକ ଜନସଂଖ୍ୟାର ଏକ ବଡ଼ ଭାଗର ଟିକାକରଣ କରିଥିବାରୁ ଅର୍ଥନୈତିକ ସ୍ଥିତିରେ ଆହୁରି ଉନ୍ନତି ହେବ। ସେମାନଙ୍କ ରାଜସ୍ବ ଆୟ ବୃଦ୍ଧି ପାଇବ। ରାଜ୍ୟ ସରକାର ବ୍ୟବସାୟ ଓ ବାଣିଜ୍ୟିକ କାର୍ଯ୍ୟ ଉପରେ ଲଗାଇଥିବା କଟକଣା ଆହୁରି କୋହଳ କରିବେ।

ଏହି ରାଜ୍ୟଗୁଡ଼ିକ ହେଲା: ଓଡ଼ିଶା, ଛତିଶଗଡ଼, ହରିୟାଣା, ଝାଡ଼ଖଣ୍ଡ, ‌କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରାଖଣ୍ଡ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶ।

bfsi.eletsonline.com

ଇଣ୍ଡିଆ ରେଟିଙ୍ଗ୍‌ସ ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ ରାଜ୍ୟଗୁଡ଼ିକର ବିତ୍ତୀୟ ନିଅଣ୍ଟ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୪.୧%କୁ ହ୍ରାସ ପାଇବ ଯାହା ଏହାର ପୂର୍ବ ଆକଳନ ୪.୩% ଠାରୁ କମ୍। ଯେତେବେଳେ ବ୍ୟୟ ତୁଳନାରେ ରାଜସ୍ବ ଆୟ କମ୍ ରହିଥାଏ ସେତେବେ‌ଳେ ବିତ୍ତୀୟ ନିଅଣ୍ଟ୍‌ ସୃଷ୍ଟି ହୁଏ। ଯେଉଁ ରାଜ୍ୟର ବିତ୍ତୀୟ ନିଅଣ୍ଟ ଯେତେ କମ୍‌ ଆର୍ଥିକ ସ୍ତରରେ ତାହା ସେତେ ସକ୍ଷମ ଓ ଦୃଢ଼ ବୋଲି ବିଚାର କରାଯା‌ଏ। ରିପୋର୍ଟ ପ୍ରସ୍ତୁତି ବେଳେ ବିଚାରକୁ ନିଆଯାଇଥିବା ୧୪ଟି ରାଜ୍ୟର ହାରାହାରି ରାଜସ୍ବ ଆୟ ଚଳିତ ବର୍ଷ ଏପ୍ରିଲ୍‌-ଜୁନ୍‌ ମଧ୍ୟରେ ୩୦.୮% ବୃଦ୍ଧି ପାଇ ୩.୯୫ ଲକ୍ଷ କୋଟି ଟଙ୍କା ହୋଇଛି। ଏହି ରାଜ୍ୟଗୁଡ଼ିକର ହାରାହାରି ନିଜସ୍ବ ଟିକସରେ ୭୭% ଓ ଅଣ ଟିକସ ରାଜସ୍ବରେ ୪୬% ବୃଦ୍ଧି ହୋଇଛି। ଏଥି‌ରୁ ଏହା ସ୍ପଷ୍ଟ ହେଉଛି ଯେ କୋଭିଡ୍ ମହାମାରୀର ଦ୍ବିତୀୟ ଲହରକୁ ନେଇ ସୃଷ୍ଟି ହୋଇଥିବା ବିଭ୍ରାଟ ଏହି ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ବିଶେଷ ପ୍ରଭାବିତ କରିପାରିନାହିଁ।

ରାଜ୍ୟଗୁଡ଼ିକର ହାରାହାରି ଋଣ/ଜିଡିପି ଅନୁପାତ ମଧ୍ୟ ୩୨.୪%କୁ ହ୍ରାସ ପାଇବ ବୋଲି ରେଟିଂଙ୍ଗ୍‌ସ ଆକଳନ କରିଛି ଯାହା ପୂର୍ବରୁ କରାଯାଇଥିବା ୩୪% ଆକଳନ ତୁଳନାରେ ୨% କମ୍। ୨୦୨୦-୨୧ ଆର୍ଥିକ ବର୍ଷରେ ସବୁ ରାଜ୍ୟଗୁଡ଼ିକର ମୋଟ ବଜାର ଋଣ ପରିମାଣ ୭.୮୮ ଲକ୍ଷ କୋଟି ଟଙ୍କା ଥିଲା। ଚଳିତ ବର୍ଷର ଏପ୍ରିଲ୍‌-ଜୁନ୍‌ରେ ହାରାହାରି ବଜାର ଋଣ ୧.୯୪ ଲକ୍ଷ କୋଟି ଟଙ୍କା ରହିଛି। ପୂର୍ବବର୍ଷ ରାଜ୍ୟଗୁଡ଼ିକ ଏହା ଠାରୁ ଅଧିକ ଅର୍ଥାତ ୨.୧ ଲକ୍ଷ କୋଟି ଟଙ୍କାର ଋଣ କରିଥିଲେ। ଇଣ୍ଡିଆ ରେଟିଙ୍ଗ୍‌ସ ଏହାର ରିପୋର୍ଟରେ ଜଣାଇଛି ଯେ ଯେହେତୁ ରାଜ୍ୟଗୁଡ଼ିକର ରାଜସ୍ବ ଆୟ ବଢ଼ିଛି ତେଣୁ ସେମାନଙ୍କୁ ଅଧିକ ଋଣ କରିବାକୁ ପଡ଼ିନାହିଁ। ୨୦୨୧-୨୨ ଆର୍ଥିକ ବର୍ଷ ସାରାରେ ରାଜ୍ୟଗୁଡ଼ିକ ପୂର୍ବ ଆକଳନ (୮.୪ ଲକ୍ଷ କୋଟି ଟଙ୍କା) ତୁଳନାରେ କମ୍ ଋଣ କରିବେ। ରାଜ୍ୟଗୁଡ଼ିକର ମୋଟ ବଜାର ଋଣ ୮.୨ ଲକ୍ଷ କୋଟି ଟଙ୍କା ମଧ୍ୟରେ ରହିବ। ନିଟ୍ ବଜାର ଋଣ ୬.୨ ଲକ୍ଷ କୋଟି ଟଙ୍କା ହେବ।

ସମ୍ବନ୍ଧିତ ଖବର