ଭୁବନେଶ୍ୱର : ଇଣ୍ଡିଆ ସ୍କିଲ୍ କମ୍ପିଟିସନ୍-ଓଡ଼ିଶା ୨୦୧୮ର ଶୁଭାରମ୍ଭ ଗତକାଲି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟର ପେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହାର ଉନ୍ମୋଚନ ଓଡ଼ିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍ଚି ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ସଂଜୟ କୁମାର ସିଂଙ୍କ ଦ୍ୱାରା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିୟୋଜନ ନିର୍ଦେଶକ ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷର ମୁଖ୍ୟ ନିର୍ବାହୀ ଅଧିକାରୀ ରାଜେଶ ପାଟିଲ, ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର ନିର୍ଦେଶକ ବଲବନ୍ତ ସିଂ, ଏନ୍ଏସ୍ଡିସିର ବିଶ୍ୱ ଦକ୍ଷତା ପ୍ରତିଯୋଗିତାର ବୈଷୟିକ ପରାମର୍ଶଦାତା ଆର୍. ଏନ୍. ଖାରବାନ୍ଦା, ସିଟିଟିସିର ପରିଚାଳନା ନିର୍ଦେଶକ ଶିବାଶିଷ ମାଇତି ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ୍ର ଅଧ୍ୟକ୍ଷ ସାରଦା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନଙ୍କୁ ପ୍ରଥମେ ରାଜେଶ ପାଟିଲ ସ୍ୱାଗତ କରିବା ସହିତ ଦେଶର ଅଗ୍ରଗତି ତଥା ଯୁବଗୋଷ୍ଠୀର ଜୀବୀକା ଗଠନରେ ଦକ୍ଷତା ବିକାଶରା ପ୍ରାଧାନ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ନିକଟରେ ଅନୁଷ୍ଠିତ ହୋଇଥିବା ଓ୍ଵାର୍ଲଡ ସ୍କିଲ୍ କମ୍ପିଟିସନ୍ରେ ଭାରତୀୟ ଦଳର ଯୋଗଦାନ ବିଷୟରେ ଶ୍ରୀ ଖାରବାନ୍ଦା ସୂଚନା ଦେଇଥିଲେ। ଏହାଛଡ଼ା ୨୦୧୯ରେ ରୁଷିଆର କାଜାନଠାରେ ହେବାକୁ ଥିବା ଓ୍ଵାର୍ଲଡ ସ୍କିଲ୍ କମ୍ପିଟିସନ୍ ନିମନ୍ତେ ଇଣ୍ଡିଆ ସ୍କିଲ୍ କମ୍ପିଟିସନ୍ରୁ ଯୋଗ୍ୟ ପ୍ରାର୍ଥୀ ଚୟନ ନିମନ୍ତେ ଚାଲିଥିବା ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଶାକୁ ଦକ୍ଷତା ବିକାଶର ଏକ ପେଣ୍ଠସ୍ଥଳୀଭାବେ ବିଭାଗୀୟ ସଚିବ ସଂଜୟ ସିଂ ବର୍ଣ୍ଣନା କରିଥିଲେ।
ଜାତୀୟ ସ୍ତରରେ ଅତିକମ୍ରେ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ତିନୋଟି କାଂସ୍ୟ ପଦକ ଜିତିବା ଏହି ପ୍ରତିଯୋଗିତରେ ଭାବ ନେଉଥିବା ପ୍ରତିଯୋଗୀମାନଙ୍କ ମୂଳଲକ୍ଷ୍ୟ ହେବା ଉଚିତ ବୋଲି ଶ୍ରୀ ବାଗ୍ଚି ମତ ଦେଇଥିଲେ। ଏହି ପ୍ରତିଯୋଗିତାରେ ବହୁସଂଖ୍ୟାରେ ଯୁବତୀମାନଙ୍କୁ ଭାଗନେବା ପାଇଁ ଉତ୍ସାହିତ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଏହି ପ୍ରତିଯୋଗିତାରେ ବିଜୟୀ ପ୍ରାର୍ଥୀମାନଙ୍କୁ ଉଦ୍ୟୋଗୀ ହେବାକୁ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଥିଲେ। ଶେଷରେ ଶ୍ରୀ ବଲବନ୍ତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।