ଇଣ୍ଡିଆ ସ୍କିଲ୍‌ ପୂର୍ବ ଭାରତ ପ୍ରତିଯୋଗିତା ଉଦ୍‌ଘାଟିତ : ସମ୍ମାନର ସହ ବଞ୍ଚିବା ପାଇଁ ଦକ୍ଷତା ବିକାଶ ଏକ ମାଧ୍ୟମ

ବାରଙ୍ଗରେ ହେବ ପ୍ରଶିକ୍ଷକ ତାଲିମ୍‌ ଅନୁଷ୍ଠାନ, ଆଜି ଶିଳାନ୍ୟାସ

ଖଣ୍ଡଗିରି : ଦକ୍ଷତା ବିକାଶ କେବଳ କିଛି ରୋଜଗାର ଓ ଭୌତିକ ସୁଖ ପାଇଁ ଏକ ବ୍ୟବସ୍ଥା ନୁହେଁ। ସ୍ୱାଭିମାନ ଓ ସମ୍ମାନର ସହ ବଞ୍ଚିବା ପାଇଁ ଏହା ଏକ ମାଧ୍ୟମ। ୧୨୫ କୋଟି ଲୋକ ଯେତେବେଳେ ଦକ୍ଷତା ଓ ଶ୍ରମର ମର୍ଯ୍ୟାଦାକୁ ବୁଝିବେ, ଭାରତ ସମେତ ଓଡ଼ିଶାକୁ ପ୍ରଗତିର ରାସ୍ତାରେ ନେବାକୁ କେହି ରୋକିପାରିବେ ନାହିଁ। କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ତରଫରୁ ‘ଇଣ୍ଡିଆ ସ୍କିଲ ପୂର୍ବ ଭାରତ ଆଞ୍ଚଳିକ ପ୍ରତିଯୋଗିତା-୨୦୧୮’ର ଉଦ୍‌ଘାଟନ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଥିଲେ, ବିଶେଷ କରି ପୂର୍ବ ଭାରତର ରାଜ୍ୟମାନଙ୍କରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଯୁବକମାନେ ରୋଜଗାର ପାଇଁ ରାଜ୍ୟ ବାହାରକୁ ଏବଂ ବିଦେଶକୁ ଯିବାକୁ ବାଧ୍ୟ ହେଉଛନ୍ତି। ଭଲ ପ୍ରଶିକ୍ଷକ ହିଁ ଉତ୍ତମ ପ୍ରଶିକ୍ଷଣ ପ୍ରଦାନ କରି କୁଶଳୀ ଯୁବଶକ୍ତି ଗଢ଼ି ପାରିବ। ଏହାକୁ ନଜରରେ ରଖି ବାରଙ୍ଗରେ ପ୍ରଶିକ୍ଷକ ତଥା ନିର୍ଧାରକ ତାଲିମ୍‌ ଅନୁଷ୍ଠାନ ‘ନ୍ୟାସନାଲ ସ୍କିଲ୍‌ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌’(ଏନ୍‌ଏସ୍‌ଟିଆଇ) ପ୍ରତିଷ୍ଠା ହେବାକୁ ଯାଉଛି। ଆସନ୍ତାକାଲି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ରାଜ୍ୟ ସରକାର ଜମି ଯୋଗାଇ ଦେଇଥିବା ବେଳେ କେନ୍ଦ୍ର ସରକାର ଏଥିପାଇଁ ସମସ୍ତ ବ୍ୟୟ ବହନ କରିବେ। ସିଙ୍ଗାପୁର ପଲିଟେକ୍‌ନିକ୍‌ ସହଯୋଗରେ ନିର୍ମାଣ ହେଉଥିବା ଏହି ତାଲିମ୍‌ କେନ୍ଦ୍ର ପୂର୍ବ ଭାରତରେ ଏକ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ହେବ।

ଏହି ଅବସରରେ ସ୍କିଲ୍‌ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ଆମେଓ୍ଵ କମ୍ପାନି ପକ୍ଷରୁ ରଜତ ବାନାର୍ଜୀ, ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଧିକାରୀ ପ୍ରବାଳ ସେନଗୁପ୍ତା, ଲାଇଫ୍‌ ସାଇନ୍‌ସ ପକ୍ଷରୁ ସୁଦୀପ ମଜୁମଦାର୍‌,  ହିନ୍ଦ୍‌େଓ୍ଵୟାର୍‌ କମ୍ପାନି ପକ୍ଷରୁ ଡ. ଆର୍‌କେ ସୋହାନି ପ୍ରମୁଖ ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ। ଏହି କମ୍ପାନିମାନେ ଭବିଷ୍ୟତରେ ସ୍କିଲ୍‌ ଇଣ୍ଡିଆ ଯୋଜନାରେ ତାଲିମ୍‌ପ୍ରାପ୍ତମାନଙ୍କୁ ନିଯୁକ୍ତି ସୁଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଦୁଇଟି ପୋର୍ଟାଲ୍‌ ମଧ୍ୟ ଉଦ୍‌ଘାଟନ କରିଥିଲେ।

ପ୍ରତିଯୋଗିତାରେ ୨୫୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି। ପୂର୍ବାଞ୍ଚଳର ୭ଟି ରାଜ୍ୟ ସହ ସମଗ୍ର ଦେଶରୁ ୨୨ଟି ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ପାଇଁ ୨୭ଟି ବିଭାଗର ପ୍ରତିଯୋଗିତା ହେବ। ଦେଶର ୪ଟି ସ୍ଥାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର କୃତୀ ପ୍ରତିଯୋଗୀମାନଙ୍କୁ ନେଇ ଜାତୀୟ ସ୍ତରରେ ଏକ ପ୍ରତିଯୋଗିତା ଅକ୍ଟୋବର ୨ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ।

ଆଜିର କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଡିସିର ଉପଦେଷ୍ଟା ସୁନୀତା ସାଙ୍ଗ୍‌ଭି ସ୍ୱାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇର ସଚିବ କେପି କ୍ରିଷ୍ଣନ୍‌ ଓ ରାଜ୍ୟ ଦକ୍ଷତା ବିକାଶ ବିଭାଗ ସଚିବ ସଂଜୟ ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର