ଇଣ୍ଡିଆ ସ୍କିଲ୍‌ସ ରିପୋର୍ଟ ୨୦୨୧: ରାଜ୍ୟର ୩୧% ଛାତ୍ର ନିଯୁକ୍ତି ପାଇଁ ଅଯୋଗ୍ୟ

ଶୀର୍ଷ ତାଲିକାରେ ନାହିଁ ଓଡ଼ିଶା

ଭୁବନେଶ୍ବର: ଓଡ଼ିଆମାନେ ପ୍ରତିଭାବାନ। ଦେଶବିଦେଶର ବହୁ ନାମୀଦାମୀ କମ୍ପାନି ଓ ସରକାରୀ ପଦପଦବିରେ ସେମାନେ କାର୍ଯ୍ୟ କରି ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ସବୁ ସମୟରେ ଏହା କୁହାଯାଉଛି। କିନ୍ତୁ ବାସ୍ତବତା ହେଲା ଓଡ଼ିଶାର ୩୧ ପ୍ରତିଶତ ଛାତ୍ରୀଛାତ୍ରୀ ନିଯୁକ୍ତିଯୋଗ୍ୟ ନୁହନ୍ତି। ଅର୍ଥାତ୍ ସେମାନେ ଯେଉଁ ଦକ୍ଷତା ଆହରଣ କରିଛନ୍ତି ତାହା ଭଲ ଚାକିରି ପାଇଁ ପର୍ଯ୍ୟାପ୍ତ ନୁହେଁ। ଦି ଇଣ୍ଡିଆ ସ୍କିଲ୍‌ସ ରିପୋର୍ଟ ୨୦୨୧ରେ ଏଭଳି ଉଦ୍‌ବେଗଜନକ ସତ୍ୟ ପଦାକୁ ଆସିଛି। ଇଂରାଜୀ ଭାଷା ଜ୍ଞାନ ହେଉ କିମ୍ବା କମ୍ପ୍ୟୁଟର ଦକ୍ଷତା-ଆସାମ ଓ ମଧ୍ୟପ୍ରଦେଶ ଠାରୁ ଓଡ଼ିଶା ପଛରେ ରହିଛି। ଓଡ଼ିଶାକୁ ଦକ୍ଷତା ବିକାଶର ଏକ କେନ୍ଦ୍ରରେ ପରିଣତ କରିବା ଲାଗି ଉଦ୍ୟମ କରାଯାଉଛି। ଇଂରାଜି ଦ୍ବିତୀୟ ଭା‌ଷା ଭାବେ ପ୍ରଚଳିତ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଆଙ୍କ ଦକ୍ଷତା କମ୍ ରହିଛି। ଏଥିରେ ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କେରଳ, ତେଲେଙ୍ଗାନା, ଆସାମ, ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗ ଯଥାକ୍ରମେ ପ୍ରଥମରୁ ଦଶମ ସ୍ଥାନରେ ରହିଛନ୍ତି।

ଭୁବନେଶ୍ବରରେ ବିଶ୍ବ ଦକ୍ଷତା କେନ୍ଦ୍ର ସ୍ଥାପନ ପାଇଁ ଚଳିତବର୍ଷ ବଜେଟରେ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏସବୁ ସତ୍ତ୍ବେ ରାଜ୍ୟର ଛାତ୍ରଛାତ୍ରୀଙ୍କ ଦକ୍ଷତା ସଂପର୍କିତ ଇଣ୍ଡିଆ ସ୍କିଲ୍‌ସ ରିପୋର୍ଟ ଚିନ୍ତା ବଢ଼ାଇଛି। ନିଯୁକ୍ତିଯୋଗ୍ୟ ଦକ୍ଷତା ଥିଲେ କମ୍ପାନିଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ତତ୍କାଳ ନିଯୁକ୍ତି ଦେବାପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ସେମାନଙ୍କ ନିଯୁକ୍ତି ଦକ୍ଷତା ବୃଦ୍ଧି ପାଇଁ କୌଣସି ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ି ନଥାଏ। ନିଯୁକ୍ତି ଦକ୍ଷତା ଥିବା ପ୍ରମୁଖ ୧୦ଟି ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ତେଲେ‌ଙ୍ଗାନା, ଗୁଜରାଟ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଯଥାକ୍ରମେ ପ୍ରଥମରୁ ଦଶମ ସ୍ଥାନ ହାସଲ କରିଛନ୍ତି।

କିନ୍ତୁ ଦକ୍ଷତା ଉପଲବ୍ଧତାକୁ ନେଇ ପ୍ରସ୍ତୁତ ହୋଇଥିବା ରାଜ୍ୟଗୁଡ଼ିକର ପାହ୍ୟାରେ ଓଡ଼ିଶା‌ ଶୀର୍ଷ ୧୦ରେ ସ୍ଥାନ ପାଇନାହିଁ। ଇଂରାଜି, ନ୍ୟୁମରିକାଲ ଆବିଲିଟି, କ୍ରିଟିକାଲ ଥିଙ୍କିଙ୍ଗ୍ ଏବଂ କମ୍ପ୍ୟୁଟର ଦକ୍ଷତା କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଛି। ରିପୋର୍ଟ ଅନୁଯାୟୀ ଅଧିକ ଦକ୍ଷ ପ୍ରତିଭା ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରାଜସ୍ଥାନ, ଉତ୍ତରପ୍ରଦେଶ ଭଳି ପଛୁଆ ରାଜ୍ୟ ସ୍ଥାନ ପାଇପାରିଛନ୍ତି। ଭୁବନେଶ୍ବର ଦେଶର ଏକ ସ୍ମାର୍ଟସିଟି ହୋଇଥିଲେ ମଧ୍ୟ ଏହା ରୋଜଗାର କ୍ଷମତା ସହର ମାନଚିତ୍ରରେ ସ୍ଥାନ ପାଇନାହିଁ। ସହର ଗୁଡ଼ିକ ମଧ୍ୟରେ ହାଇଦ୍ରାବାଦ ପ୍ରଥମ ସ୍ଥାନରେ ଥିବାବେଳେ ବେଙ୍ଗାଲୁରୁ ଦ୍ବିତୀୟ, ପୁନେ ତୃତୀୟ, ନୂଆଦିଲ୍ଲୀ ଚତୁର୍ଥ ଏବଂ ଚେନ୍ନାଇ ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିଭଳି ଲ‌କ୍ଷ୍ନୌ, କୋଏମ୍ବାଟୋର, ନେଲୋର, ଗୁରୁଗ୍ରାମ ଏବଂ ମାଙ୍ଗାଲୁରୁ ଯଥାକ୍ରମେ ଷଷ୍ଠରୁ ଦଶମ ସ୍ଥାନ‌ରେ ରହିଛନ୍ତି। ନିଯୁକ୍ତି ପାଇଁ ଓଡ଼ିଶାରେ ଦକ୍ଷତା ଅଭାବର ପ୍ରମୁଖ କାରଣ ଭାବେ ରିପୋର୍ଟରେ ସରକାର ଓ ଶିକ୍ଷାନୁଷ୍ଠାନଗୁଡ଼ିକର ଉଦ୍ୟମ ନଥିବାକୁ ଦର୍ଶାଯାଇଛି। ସେହିଭଳି ଦକ୍ଷତା ଅନୁସାରେ ନିଯୁକ୍ତି ସୁଯୋଗର ଅଭାବ ମଧ୍ୟ ଏହାର ଅନ୍ୟତମ କାରଣ। ଉକ୍ତ ରିପୋର୍ଟକୁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ), ଏଆଇସିଟିଇ ଏବଂ ୟୁଏନଡିପି ସହ ମିଶି ହ୍ବିବକ୍ସ ପ୍ରସ୍ତୁତ କରିଛି। ଏହା ରିପୋର୍ଟର ଅଷ୍ଟମ ସଂସ୍କରଣ। ଚଳିତବର୍ଷ ରିପୋର୍ଟର ମୁଖ୍ୟ ବିଷୟବସ୍ତୁ ରହିଛି ଦେଶରେ କରୋନା ପ‌ରେ ପ୍ରତିଭାମାନଙ୍କ ଯୋଗାଣ ଓ ଚାହିଦାର ଚିତ୍ର। ଦେଶର ୬୫ ହଜାର ଛାତ୍ରଛାତ୍ରୀ ଏବଂ ୧୫ ପ୍ରକାର ଶିଳ୍ପର ୧୫୦ଟି କମ୍ପାନିକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଦେଶରେ ୨୦୧୫ ମସିହାରୁ ୨୦୨୧ ମସିହା ମଧ୍ୟରେ ନିଯୁକ୍ତି କ୍ଷମତାରେ ପରିବର୍ତ୍ତନ ଆସିଛି। ୨୦୨୦ ରେ ଏହା ୪୬.୨୧ ପ୍ରତିଶତ ଥିବାବେଳେ ୨୦୨୧ରେ ଏହା ୪୫.୯ ପ୍ରତିଶତକୁ ହ୍ରାସ ପାଇଛି। ଦେଶରେ ଚଳିତବର୍ଷ ବିଇ/ବିଟେକ୍‌ କ୍ଷେତ୍ରରେ ସର୍ବାଧିକ ୪୬.୮୨ ପ୍ରତିଶତ ନିଯୁକ୍ତି ପାଇଁ ପ୍ରତିଭା ଥିବାବେଳେ ଏହାପଛକୁ ଏମବିଏ ୪୬.୫୯ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ନିଯୁକ୍ତି କ୍ଷମତା ମଧ୍ୟ ଦେଶରେ ଉତ୍‌ଥାନ ପତନ ଦେଇ ଗତି କରୁଛି। ନିଯୁକ୍ତି ଆବଶ୍ୟକତା ୨୦୨୦ରେ ୧୦ ପ୍ରତିଶତ ଥିବାବେଳେ ୨୦୨୧ରେ ଏହା ୧୯ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୧ରେ ବ୍ୟାଙ୍କିଂ ଫାଇନାନ୍ସିଆଲ ସର୍ଭି‌ସେସ୍‌ ଏବଂ ବୀମା (ବିଏଫ୍‌ଏସ୍‌ଆଇ), ସଫ୍ଟୱେର/ହାର୍ଡୱେର, ଆଇଟି ଏବଂ ଇଣ୍ଟରନେଟ୍‌ ବ୍ୟବସାୟରେ ନିଯୁକ୍ତି ଅଧିକ ରହିବ ବୋଲି ରିପୋର୍ଟରେ କୁହାଯାଇଛି। ଦେଶର ଯୁବବର୍ଗଙ୍କ ପାଇଁ ଆଶ୍ବାସନାର ବିଷୟ ହେଲା ୨୦୨୦ ତୁଳନାରେ ୨୦୨୧ରେ ମୋଟ ନିଯୁକ୍ତିରେ ୨୧ ପ୍ରତିଶତ ବୃଦ୍ଧି ଘଟିବ। ଦେଶର ଦିଲ୍ଲୀ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ନିଯୁକ୍ତି ଚାହିଦା ଅଧିକ ଥିବାବେଳେ ଏଠାରେ ସର୍ବାଧିକ ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଉଛି। ସେହିଭଳି ନିଯୁକ୍ତିଯୋଗ୍ୟ ପ୍ରତିଭାଙ୍କ ଯୋଗାଣ କ୍ଷେତ୍ରରେ ପ୍ରମୁଖ ୩ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଓଡ଼ିଶା ସହିତ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ଏଥିରେ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର