କଲମ୍ବୋ: ପ୍ରଥମ ମ୍ୟାଚ୍ ରୋମାଞ୍ଚକର ଭାବେ ଟାଇ ରହିବା ପରେ ଦ୍ବିତୀୟ ଦିନିକିଆରେ ରବିବାର ଭାରତ-ଶ୍ରୀଲଙ୍କା ମୁହାଁମୁହିଁ ହେବେ। ଉଭୟ ଦଳ ଏହି ମ୍ୟାଚ୍କୁ ଟାଇବ୍ରେକର୍ ଭାବେ ବିବେଚନା କରିବେ। ଯିଏ ଜିତିବ କିନ୍ତୁ ସିଏ ତିନି ଟିକିଆ ଶୃଙ୍ଖଳାରେ ଆଗୁଆ ହୋଇଯିବ। ଶୃଙ୍ଖଳା ବିଜୟ ପାଇଁ ବି ମୂଳଦୁଆ ପକାଇବ। ଗତ କିଛି ମାସ ହେବ ଲଗାତାର ଭାବେ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍ରେ ତାରକା ଖଚିତ ଭାରତକୁ ଅଟକାଇ ଆତ୍ମବିଶ୍ବାସ ଦୃଢ଼ କରିଛି।
ଅନ୍ୟପକ୍ଷରେ ଭାରତ ତାର ପୂର୍ଣ୍ଣ କ୍ଷମତା ଉପଯୋଗଠାରୁ ଦୂରରେ ରହିଯାଇଛି। ଏଣୁ ନୂଆ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍ରେ ଦଳକୁ ବିଜୟ ଧାରାକୁ ଫେରାଇ ଆଣିବା ଲକ୍ଷ୍ୟରେ ରହିବେ। ଶ୍ରୀଲଙ୍କା ପାଖରେ ଯୁବ ତାରକା ମହମ୍ମଦ ଶିରାଜଙ୍କ ସ୍ଥାନରେ ଚାମିକା କରୁଣାରତ୍ନେଙ୍କୁ ଖେଳାଇବାର ବିକଳ୍ପ ଖୋଲା ରହିବ। ତଥାପି ଘରୋଇ ଦଳ ନିଜ ଚୂଡ଼ାନ୍ତ ଏକାଦଶରେ ବଡ଼ ଧରଣର ଅଦଳ ବଦଳ କରିବାର ସମ୍ଭାବନା ଅତି କମ୍। ଭାରତ ଅନ୍ୟପକ୍ଷରେ ମହମ୍ମଦ ସରାଜଙ୍କୁ ବିଶ୍ରାମ ଦେଇ ତାଙ୍କ ସ୍ଥାନରେ ଖଲିଲ ଅହମଦ କିମ୍ବା ହର୍ଷିତ ରାଣାଙ୍କୁ ଖେଳାଇବା କଥା ବିଚାର କରିପାରେ। ପ୍ରଥମ ଦିନିକିଆରେ ପତନ ହୋଇଥିବା ୧୮ ୱିକେଟ୍ ମଧ୍ୟରୁ ୧୧ଟି ସ୍ପିନର କରାୟତ୍ତ କରିଥିଲେ। ଏଣୁ ରବିବାରର ପିଚ୍ ମଧ୍ୟ ସ୍ପିନରଙ୍କୁ ସୁହାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଶୁକ୍ରବାରର ଟାଇ ପୂର୍ବରୁ ଶ୍ରୀଲଙ୍କାକୁ ଭାରତ ଲଗାତାର ୬ଟି ଦିନିକିଆରେ ହରାଇଥିଲା। ଏଣୁ ଦ୍ବିତୀୟ ଦିନିକିଆ ଜିତି ଏହାକୁ ୭କୁ ବଢ଼ାଇବା ଆଶାରେ ପଡ଼ିଆକୁ ଓହ୍ଲାଇବ। ଭାରତ ପୂର୍ବରୁ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ଜିତି ନେଇଥିବାରୁ ଦିନିକିଆରେ ଶ୍ରୀଲଙ୍କା ପାଖରେ ଏହାର ପ୍ରତିଶୋଧ ନେବାର ସୁଯୋଗ ଏବେବି ରହିଛି। ରବିବାର ବିଜୟୀ ହେଲେ ଯୁବ ସିଂହଳୀ ଦଳ ଏହି ଦିଗରେ ଏକ ବଡ଼ ପାଦ ବଢ଼ାଇବ।