ବିନା ଟେଣ୍ଡରରେ ଭାରତ-ଶ୍ରୀଲଙ୍କା ଟି-୨୦ ବୀମା

ଓସିଏରେ ବୀମା କେଳେଙ୍କାରୀ

କଟକ : ସବୁ ନିୟମକୁ ଜଳାଞ୍ଜଳି ଦେଇ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍‌ର ବୀମା ପାଇଁ ନିଷ୍ପତ୍ତି ନେଉଛି ଓଡ଼ିଶା କ୍ରିକେଟ ସଂଘ (ଓସିଏ)। ବାରବାଟୀ ଷ୍ଟାଡିୟମରେ ପୂର୍ବରୁ ଅନୁଷ୍ଠିତ ହୋଇ ଆସିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚରେ ବୀମାକୁ ନେଇ ଯେଉଁଭଳି ଢଙ୍ଗରେ ମନମାନୀ କରାଯାଇ ଆସିଛି, ଆସନ୍ତା ଡିସେମ୍ବରରେ ହେବାକୁ ଯାଉଥିବା ଟି-୨୦ରେ ବି ଅନୁରୂପ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ବିନା କୋଟେସନ୍‌ ଆହ୍ଵାନ ଆଉ ଟେଣ୍ଡରରେ ୨୦ କୋଟିର ବୀମା ପାଇଁ ନିର୍ଦ୍ଦିଷ୍ଟ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଉଛି। ଏଜେଣ୍ଟଙ୍କ ଜରିଆରେ କମିସନ କାରବାର ଏଭଳି ନିଷ୍ପତ୍ତି ନେବାରେ ନିର୍ଣ୍ଣାୟକ ହେଉଥିବା ଅଭିଯୋଗ ହେଉଛି।

ଅଭିଯୋଗ ଅନୁଯାୟୀ ଲୋଧା ସମିତି ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସଂପୂର୍ଣ୍ଣ ବେଖାତିର କରିଚାଲିଛି ଓସିଏ। ସଂଘର ପ୍ରତ୍ୟେକ ଆର୍ଥିକ ଦେଣନେଣ ଓ ପ୍ରତ୍ୟେକ କାର୍ଯ୍ୟ ଓପନ୍‌ ଟେଣ୍ଡର ମାଧ୍ୟମରେ କରାଯିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ହେଲେ ଓସିଏ ପକ୍ଷରୁ ତାହାକୁ ଅଣଦେଖା କରାଯାଇ ଚୟନ ଭିତ୍ତିରେ କାମ ଦିଆଯାଉଛି। ଆସନ୍ତା ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁଥିବା ଆନ୍ତର୍ଜାତିକ ଟେ୍ଵଣ୍ଟି-୨୦ ପାଇଁ ଓସିଏ ପକ୍ଷରୁ ୨୦ କୋଟି ଟଙ୍କାର ବୀମା କରାଯାଇଛି। ହେଲେ ଏଥିପାଇଁ କୌଣସି ଟେଣ୍ଡର କରାଯିବା ପରିବର୍ତ୍ତେ ଜଣେ ଏଜେଣ୍ଟଙ୍କ ଜରିଆରେ ବୀମା କମ୍ପାନୀ ଚୟନ କରାଯାଇଛି। ୨୦ କୋଟି ଟଙ୍କାର ବୀମା ପାଇଁ କମିସନ୍‌ ସୂତ୍ରରେ ଏଭଳି କରାଯାଇଥିବା ଜଣାପଡ଼ିଛି। ଅନ୍ୟ କମ୍ପାନୀମାନେ ଏଥିପାଇଁ ଆଗ୍ରହୀ ଥିଲେ ବି ସେମାନଙ୍କୁ ଏଥିପାଇଁ କୌଣସି ସୁଯୋଗ ଦିଆଯାଉନଥିବା ଅଭିଯୋଗ ହୋଇଛି।

ମୋଟ ୨୦ କୋଟି ବୀମା ମଧ୍ୟରୁ ଅଗ୍ନି ନିରାପତ୍ତା ଓ ଜରୁରିକାଳୀନ ସ୍ଥିତି ପାଇଁ ୮କୋଟି, ଦର୍ଶକଙ୍କ ପାଇଁ ୭କୋଟି ଏବଂ କୌଣସି ଆକସ୍ମିକ ଦୁର୍ଘଟଣା ପାଇଁ ସ୍ୱତନ୍ତ୍ର ଭାବେ ୫କୋଟି ଟଙ୍କାର ପଲିସି କରାଯାଉଛି। ଏଥିପାଇଁ ଅଗ୍ରୀମ ଭାବେ ୧୩ ଲକ୍ଷ ଟଙ୍କା ପ୍ରିମିୟମ ଦିଆଯାଉଥିବା ଜଣାପଡ଼ିଛି। ହେଲେ ଏନେଇ ଓସିଏ କାର୍ଯ୍ୟକାରୀ ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କିଛି ସ୍ପଷ୍ଟ ସୂଚନା ଦେଇପାରିନାହାନ୍ତି। ବର୍ତ୍ତମାନ ଆଲୋଚନାସ୍ଥିତିରେ ସବୁକିଛି ଅଛି। କେଉଁ କମ୍ପାନୀ ଅଧୀନରେ ବୀମା କରାଯିବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ତେବେ ଟେଣ୍ଡର କରାଯାଉନଥିବା ବିଷୟକୁ ସେ ସ୍ୱୀକାର କରିଥିଲାବେଳେ ଏଥିପାଇଁ ଟେଣ୍ଡରର ଆବଶ୍ୟକତା ନଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଏକ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଓସିଏର ଜଣେ ସଦସ୍ୟ ଏସବୁ କାର୍ଯ୍ୟର ମାଷ୍ଟରମାଇଣ୍ଡ। ତାଙ୍କ ଇଙ୍ଗିତରେ କମ୍ପାନୀ ନାମ ଚୟନ କରାଯାଏ, କମିସନ୍‌ ମଧ୍ୟ ସିଧାସଳଖ ତାଙ୍କରି ପକେଟକୁ ଯାଏ। ହେଲେ କାର୍ଯ୍ୟକାରୀ ସମିତିର ସଦସ୍ୟମାନେ ସବୁକିଛି ଜାଣି ମଧ୍ୟ ଚୁପ୍‌ ରହୁଛନ୍ତି। ଏପରିସ୍ଥଳେ କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ହେଉଥିବାରୁ ଶେଷରେ କାର୍ଯ୍ୟକାରୀ ସମିତି ହିଁ ଏଥିପାଇଁ ଦାୟୀ ରହିବ। ଏବଂ ମାଷ୍ଟରମାଇଣ୍ଡ ଜଣକ ଏଥିରୁ ବର୍ତ୍ତିଯିବା ଆଶଙ୍କା ରହିଛି।

ପୂର୍ବରୁ ଅନ୍ୟ ଏକ ଘରୋଇ କମ୍ପାନୀକୁ ବୀମା ଦାୟିତ୍ୱ ଦିଆଯାଉଥିଲାବେଳେ ୨୦୧୩ ମସିହାରେ ଉକ୍ତ କମ୍ପାନୀ ନିରାଶ ହୋଇଥିଲା। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଅନ୍ତର୍ଜାତିକ ଦିନିକିଆ ପ୍ରବଳ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ପଡ଼ିଆ ଉପରେ ଦୁଇ ଫୁଟ ଉଚ୍ଚର ପାଣି ଜମିରହିଥିଲା। ତେଣୁ ଟସ୍‌ ବି ପଡ଼ିପାରିନଥିଲା। ଫଳରେ ଦର୍ଶକମାନେ ଟିକେଟ ଟଙ୍କା ଫେରସ୍ତ ପାଇଥିଲେ। ଏ ବାବଦରେ ସବୁ ଟଙ୍କା ସଂପୃକ୍ତ ବୀମା କଂପାନିକୁ ଦେବାକୁ ପଡ଼ିଥିଲା। ଏହାର ପ୍ରଭାବ ୨୦୧୪ ଭାରତ-ଶ୍ରୀଲଙ୍କା ଦିନିକିଆ ଉପରେ ପଡ଼ିଥିଲା। ଏହି ମ୍ୟାଚ ପାଇଁ କୌଣସି ବୀମା କମ୍ପାନୀ ଆଗ୍ରହ ଦେଖାଇନଥିଲା ବେଳେ ପୁଣି ଥରେ ପୂର୍ବ ମ୍ୟାଚର କମ୍ପାନୀକୁ ଏଥିପାଇଁ ରାଜି କରାଯାଇଥିଲା। ତେବେ ଗତବର୍ଷଠୁ ଅନ୍ୟ ଏକ ଜାତୀୟ ବୀମା କମ୍ପାନୀକୁ ଏଥିପାଇଁ ଚୟନ କରାଯାଇଛି। ବର୍ତ୍ତମାନ ଲୋଧା ସମିତି ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ଆଗାମୀ ଅନ୍ତର୍ଜାତିକ ଟି-୨୦ ପାଇଁ ଟେଣ୍ଡର କରାଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏଥର ବି ଓସିଏ ତାହାକୁ ଅବମାନନା କରି ଚାଲିଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର