କ୍ୟୁଆରଏସଏଏମ କ୍ଷେପଣାସ୍ତ୍ର ପଦ୍ଧତିର ଗୁରୁତ୍ୱପୂର୍ଣ୍ଣ ସଫଳତା

ଚାନ୍ଦିପୁର : ତ୍ଵରିତ ପ୍ରତିକ୍ରିୟାଶୀଳ ଭୂପୃଷ୍ଠରୁ ଆକାଶକୁ ନିକ୍ଷିପ୍ତ କରାଯାଉଥିବା କ୍ଷେପଣାସ୍ତ୍ର କ୍ୟୁଆରଏସଏଏମକୁ ଏକ ବିରାଟ ସଫଳତା ମିଳିଛି । ଏହା ଏକ ପାଇଲଟ ବିହୀନ ଏୟାରକ୍ରାଫ୍ଟକୁ ମଧ୍ୟମ ଦୂରତା ଓ ଉଚ୍ଚତାରେ ଲକ୍ଷ୍ୟ ଭେଦ କରିଛି ।

ଆଜି ଅପରାହ୍ନ ୩.୫୦ ମିନିଟ ସମୟରେ ଓଡିଶା ଉପକୂଳ ଆଇଟିଆର ଚାନ୍ଦିପୁରରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଥିଲା । ଏହା ଏକ ଏକକ କଠିନ ପ୍ରୋପେଲାଣ୍ଟ ରକେଟ ମୋଟର ଚାଳିତ କ୍ଷେପଣାସ୍ତ୍ର ଏବଂ ଏଥିରେ ସମସ୍ତ ସ୍ଵଦେଶୀ ଯନ୍ତ୍ରାଂଶ ବ୍ୟବହୃତ ହୋଇଛି । ୬ଟି କ୍ୟାନିସେରାଇଜ କ୍ଷେପଣାସ୍ତ୍ର ପରିବହନ କରୁଥିବା ଏକ ଭ୍ରାମ୍ୟମାଣ ଉତକ୍ଷେପଣ ଯାନରୁ ଏହି ପରୀକ୍ଷଣ ହୋଇଥିଲା ।

ସମସ୍ତ କ୍ୟୁଆରଏସଏଏମ ୱିପନ ସିଷ୍ଟମ ଉପାଦାନ ଯଥା ବ୍ୟାଟେରୀ ଚାଳିତ ବହୁମୂଖୀ କାର୍ଯ୍ୟଯୁକ୍ତ ରାଡ଼ାର, ବ୍ୟାଟେରୀ ପର୍ଯ୍ୟବେକ୍ଷଣ ରାଡ଼ାର, ବ୍ୟାଟେରୀ କମାଣ୍ଡ ପୋଷ୍ଟ ଯାନ ଏବଂ ଭ୍ରାମ୍ୟମାଣ ଯାନଗୁଡିକୁ ପରୀକ୍ଷାସ୍ଥଳରେ ମୁତୟନ କରାଯାଇଥିଲା । ଏହି କ୍ୟୁଆରଏସଏଏମ ପଦ୍ଧତି ଲକ୍ଷ୍ୟକୁ ଚିହ୍ନଟ କରି ତାହାର ଅନୁଧାବନ କରିବା ସହ ଭେଦ କରିପାରିବ। ଭାରତୀୟ ସେନାର ପ୍ରତିରକ୍ଷା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏହା ବିକଶିତ ହୋଇଛି ।

ଏହି ୱିପନ ସିଷ୍ଟମର ଉପାଦାନଗୁଡିକ ପ୍ରତିରକ୍ଷା ସରକାରୀ ଉଦ୍ୟୋଗ ବିଇଏଲ, ବିଡିଏଲ ଏବଂ ଘରୋଇ ଶିଳ୍ପ ସଂସ୍ଥା ଏଲ ଏଣ୍ଡ ଟି ଦ୍ଵାରା ପ୍ରସ୍ତୁତ କରାଯାଇଛି । ସଂପୂର୍ଣ୍ଣ ସ୍ଵଦେଶୀ ଢାଞ୍ଚାରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ପଦ୍ଧତିରେ ଆରଏଫ ସୀକର, ଇଲେକ୍ଟ୍ରୋ ମେକାନିକାଲ ଆର୍ଚୁଏସନ (ଇଏମଏ) ପଦ୍ଧତି ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନରୁ ଅଣାଯାଇଛି । ଏଥିରେ ଚାରି ପର୍ଯ୍ୟାୟ ଯୁକ୍ତ ରାଡ଼ାର ଥିବା ବେଳେ ସମସ୍ତ ରେଞ୍ଜକୁ ଟ୍ରାକ କରିପାରୁଥିବା ଷ୍ଟେସନ ଓ ଅନ୍ୟାନ୍ୟ ଉଡାଣ ଆବଶ୍ୟକତା ପାଇଁ ଉପଯୁକ୍ତ ସୁବିଧା ରହିଛି ।

ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ, ଡିଡିଆର ଏଣ୍ଡ ଡି ସଚିବ ଓ ଡିଆରଡିଓ ଅଧ୍ୟକ୍ଷ ଡଃ ଜି. ସତୀଶ ରେଡ୍ଡୀ, ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନର ବୈଜ୍ଞାନିକମାନଙ୍କୁ ଏହି ସଫଳତା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର