ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ‘ଭାରତ ଗୌରବ’ ସମ୍ମାନ

୨୨ତମ ‘ଭାରତ ପ୍ରତିଭା ସମ୍ମାନ’ ଉତ୍ସବ

କଟକ : କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ହିଁ ସଫଳତାର ମୂଳମନ୍ତ୍ର। ଏକ ବିକଶିତ ଦେଶ ତାର ସବୁ ନାଗରିକଙ୍କୁ କର୍ମ ସଂସ୍ଥାନ ଯୋଗାଇ ପାରିବ ନାହିଁ। ମାତ୍ର କର୍ମ ସଂସ୍ଥାନ ପଛରେ ନଗୋଡ଼ାଇ ନିଜେ ୩ ହଜାରରୁ ଅଧିକ ଲୋକଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଆଜିର ଯୁବପିଢୀଙ୍କ ପାଇଁ ଉଦାହରଣ ସାଜିଛି ଭାରତ ମସଲା। ‘ଜୟ ଭାରତ ଫାଉଣ୍ତେସନ୍‌ ପକ୍ଷରୁ ଆୟୋଜିତ ୨୨ତମ ‘ଭାରତ ପ୍ରତିଭା ସମ୍ମାନ-୨୦୨୧ ଉତ୍ସବରେ ଉଦ୍‌ଘାଟକ ଭାବେ‌ ଯୋଗଦେଇ ରାଜ୍ୟ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଏହା କହିଛନ୍ତି। ବାରଙ୍ଗ ରାମଦାସପୁରସ୍ଥିତ କମ୍ପାନି ପରିସରରେ ଫାଉଣ୍ଡେସନ୍‌ର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋ‌ଗଦେଇ ମାତ୍ର କେଇ ଶହ ଟଙ୍କାରେ ଆରମ୍ଭ ହୋଇଥିବା ଭାରତ ମସଲା ବ୍ୟବସାୟ ଆଜି ଶହ ଶହ କୋଟି ଟଙ୍କାର କମ୍ପାନିରେ ପରିଣତ ହୋଇଛି ବୋଲି କହିଛନ୍ତି। ଉତ୍ସବରେ ସମ୍ମାନିତ ଅତିଥି ଭାବେ ବାଙ୍କୀ ବିଧା‌ୟକ ଦେବୀ ରଂଜନ ତ୍ରିପାଠୀ ଯୋଗ ଦେଇ ଭାରତ ମସଲା ଓଡ଼ିଶାର ପ୍ରତିଭାଙ୍କୁ ଚିହ୍ନି ସେମାନଙ୍କୁ ଯେଉଁ ସମ୍ମାନ ପ୍ରଦାନ କରୁଛନ୍ତି ତାହା ଏକ ପ୍ରେରଣାଦାୟକ କାର୍ଯ୍ୟକ୍ରମ ବୋଲି କହିଥିଲେ। ସଭାରେ ଅନ୍ୟତମ ଅତିଥି ଭାବେ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ନିର୍ଦ୍ଦେଶକ ପି.କେ. ଗୁପ୍ତା ଯୋଗ ଦେଇଥିଲେ।

ଏହି ଅବସରରେ ‘ଭାରତ ଗୌରବ ସମ୍ମାନରେ ଭାରତୀୟ ପୁରୁଷ ହକି ଦଳର ସଦସ୍ୟ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ସମ୍ମାନିତ କରାଯାଇଥିବା ବେଳେ ‘କ୍ରୀଡା ଭାରତ ସମ୍ମାନରେ ଭାରତୀୟ ମହିଳା ହକି ଦଳର ସଦସ୍ୟା ନମିତା ଟପୋ ଓ ଦୀପଗ୍ରେସ ଏକାଙ୍କୁ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ଜୟ ଭାରତ ଫାଉଣ୍ତେସନ୍‌ର ଅଧୢକ୍ଷ ସୁରେନ୍ଦ୍ର ନାଥ ପଣ୍ତା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଫାଉଣ୍ତେସନ୍‌ର ମହାପ୍ରବନ୍ଧକ ଅରୁଣ କୁମାର ନାୟକ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ତା ଜୟ ଭାରତ ଫାଉଣ୍ତେସନ୍‌ ତଥା ଭାରତ ମସଲା ସଂପର୍କରେ ବିସ୍ତୃତ ସୂଚନା ରଖିଥିଲେ। କରୋନା କଟକଣା ପାଇଁ ଚଳିତ ବର୍ଷ ଫାଉଣ୍ଡେସନ୍‌ ପକ୍ଷରୁ ପ୍ରତିବର୍ଷ ଦିଅ‌ାଯାଉଥିବା ‘ବିଦ୍ୟା ଭାରତ, ‘କଥା ଭାରତ, ‘ସେବା ଭାରତ ଓ ‘ସଂସ୍କୃତ ଭାରତ ସମ୍ମାନ ପ୍ରଦାନକୁ ବନ୍ଦ ରଖାଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶିକା ନମିତା ପଣ୍ଡା ଓ ନନ୍ଦିତା ପଣ୍ଡା, ନିର୍ଦ୍ଦେଶକ ଦିଗନ୍ତ କୁମାର ପଣ୍ଡା ଓ ସୁମନ୍ତ କୁମାର ପଣ୍ଡା, ଅଶ୍ବିନୀ କୁମାର ଦାସ, ନବକୃଷ୍ଣ ପ୍ରଧାନଙ୍କ ସହିତ କମ୍ପାନିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଶ୍ରୀମନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର