ଭାରତ ପ୍ରତିଭା ସମାରୋହ ୧୦ରେ

ଅମିତ, ବୀରେନ୍ଦ୍ରଙ୍କୁ ଭାରତ ଗୌରବ, ଦୀପଗ୍ରେସ, ନମିତାଙ୍କୁ କ୍ରୀଡା ଗୌରବ ସମ୍ମାନ

କଟକ : ଜୟ ଭାରତ ଫାଉଣ୍ଡେସନ ପକ୍ଷରୁ ୨୨ତମ ପ୍ରତିଷ୍ଠା ଦିବସ ଆସନ୍ତା ୧୦ ତାରିଖ, ଗଣେଶ ପୂଜା ଦିନ ଅନୁଷ୍ଠିତ ହେବାକୁ ଯାଉଛି। ବାରଙ୍ଗସ୍ଥିତ ରାମଦାସପୁର ପରିସରରେ କୋଭିଡ୍ ଗାଇଡ୍ ଲାଇନ ଅନୁସାରେ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହେବ। ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଅଲମ୍ପିକ ପ୍ରତିଯୋଗିତାରେ ହକି ପାଇଁ ଓଡିଶାରୁ ପ୍ରତିନିଧିତ୍ବ କରି ଗୌରବ ଆଣିଥିବା ଖେଳାଳି ମାନଙ୍କୁ ଜୟ ଭାରତ ଫାଉଣ୍ଡେସନ ପକ୍ଷରୁ ନଗଦ ଅର୍ଥ ରାଶି ସହ ଉପଢୌକନ ପ୍ରଦାନ କରାଯିବ। ଭାରତ ପାଇଁ ପଦକ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ରାଜ୍ୟର ହକି ତାରକା ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଭାରତ ଗୌରବ ସମ୍ମାନ ପ୍ରଦାନ କରାଯିବ। ସେହିପରି ଭାରତୀୟ ହକି ମହିଳା ଦଳରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓଡିଶାର ଦୁଇ ମହିଳା ହକି ତାରକା ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ କ୍ରୀଡା ଭାରତ ସମ୍ମାନରେ ସମ୍ମାନିତ କରାଯିବ।

କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା କହିଛନ୍ତି ଯେ ବନ୍ୟା, ବାତ୍ୟା, ମରୁଡି, ଦୈବଦୁର୍ବିପାକରେ ଜୟ ଭାରତ ଫାଉଣ୍ଡେସନ ତାହାର ସାମାଜିକ ଦାୟିତ୍ବବୋଧ ତୁଲାଇ ଆସିଛି। ପୂଜ୍ୟପୂଜାକୁ ମଧ୍ୟ ସବୁ ବେଳେ ଅଗ୍ରାଧିକାର ଦେଇ ଆସିଛି। ଓଡିଶାର ନାଁକୁ ଦେଶ ତଥା ଦେଶ ବାହାରେ ଟେକ ରଖିବାରେ ଯେଉଁମାନେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଭାରତ ମସଲା ଗଲା ୨୧ ବର୍ଷ ହେଲା ତାର ପ୍ରୟାସ ଜାରି ରଖିଛି। ବିଭିନ୍ନ କ୍ଷେତ୍ରରେ ଓଡିଶା ପାଇଁ ଗୌରବ ଆଣି ଦେଇଥିବା ପ୍ରତିଭା ମାନଙ୍କୁ ସବୁବର୍ଷ ଭଳି ଏବର୍ଷ ମଧ୍ୟ ସମ୍ମାନିତ କରାଯିବ। ଜୟ ଭାରତ ଫାଉଣ୍ଡେସନ ପକ୍ଷରୁ ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ତାଙ୍କ ପୌରୋହିତ୍ୟରେ ଚୟନକର୍ତ୍ତା ଅରୁଣ କୁମାର ନାୟକ, ସୁମନ୍ତ କୁମାର ପଣ୍ତା, ଶ୍ରୀମନ୍ତ କୁମାର ପଣ୍ତା, ଦିଗନ୍ତ କୁମାର ପଣ୍ତା, ପ୍ରଫୁଲ୍ଲ ସିଂହ, ଅଶ୍ବିନୀ କୁମାର ଦାସ, ନବକୃଷ୍ଣ ପ୍ରଧାନ ପ୍ରମୁଖ ସମ୍ମାନ ପାଇଁ ପ୍ରତିଭା ଚୟନ କରିଛନ୍ତି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର