ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି ଭାରତୀୟ ଶିକ୍ଷା ପ୍ରଣାଳୀରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଭାରତ ସରକାରଙ୍କ ଶିକ୍ଷା ନୀତି ସହ ଅନ୍ୟାନ୍ୟ କ୍ଷେତ୍ରରେ ସଂସ୍କାର ଭାରତକୁ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ଇଞ୍ଜିନ୍ କରାଇବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଆଜି ନୂଆଦିଲ୍ଲୀରେ ଆମେରିକା- ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ ଫୋରମ୍ (ୟୁଏସ୍ଆଇଏସ୍ପିଏଫ୍) ପକ୍ଷରୁ ଆୟୋଜିତ ଇଣ୍ଡିଆ ଲିଡରସିପ୍ ସମ୍ମିଟ -୨୦୨୪ କାର୍ଯ୍ୟକ୍ରମର ଫାୟାରସାଇଡ୍ ଚାଟ୍ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ସହ ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଜାତୀୟ ଶିକ୍ଷା ନୀତି -୨୦୨୦ର ପ୍ରାଥମିକ କ୍ଷେତ୍ର, ଭାରତର ଶିକ୍ଷା ବ୍ୟବସ୍ଥାରେ ନୂଆ ଶିକ୍ଷା ନୀତି ଦ୍ୱାରା ହେବାକୁ ଥିବା ପରିବର୍ତ୍ତନ ଉପରେ ଶ୍ରୀ ପ୍ରଧାନ ମତ ରଖିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଦେଶରେ ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷା ନୀତି ଏକ ଦାର୍ଶନିକ ଦସ୍ତାବିଜ୍। ଜାତୀୟ ଶିକ୍ଷା ନୀତି ଦେଶର ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ସହ ବୈଶ୍ୱିକ ନାଗରିକରେ ପରିବର୍ତ୍ତନ କରିବ। ଯୁବଶକ୍ତିମାନେ କେବଳ ଭାରତ ନୁହେଁ ବରଂ ବିଶ୍ୱର କଲ୍ୟାଣ ଦିଗରେ ବ୍ରତୀ ରହିବେ।
ଜାତୀୟ ଶିକ୍ଷା ନୀତିର ପ୍ରାଥମିକତା କ୍ଷେତ୍ର ଯଥା ଶିକ୍ଷାରେ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ଉପରେ ଆମର ଫୋକସ୍ ରହିଛି। ଦେଶରେ ଡିଜିଟାଲ ଶିକ୍ଷା ପରିସଂସ୍ଥାନରେ ଅଭୂତପୂର୍ବ ପରିବର୍ତ୍ତନ ହେଉଛି। ଭାରତୀୟ ଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରାଯାଉଛି। ଗବେଷଣା ଏବଂ ଇନୋଭେସନର ପରମ୍ପରାକୁ ପ୍ରୋତ୍ସାହିତ କରାଯାଉଛି। ଜାତୀୟ ଶିକ୍ଷା ନୀତି କେବଳ ଶିକ୍ଷା ନୁହେଁ ବରଂ ନିଯୁକ୍ତି ଆଧାରିତ ଶିକ୍ଷା ପ୍ରଦାନ କରିବ। ଛାତ୍ରଛାତ୍ରୀଙ୍କୁ ସ୍କିଲିଂ, ରି-ସ୍କିଲିଂ ଓ ଅପ୍ ସ୍କିଲିଂ କରାଇବ। ଆମର ଶିକ୍ଷା ନୀତି କେବଳ ଗୁଣାତ୍ମକ ନୁହେଁ ବରଂ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।