ଭୁବନଶ୍ବେର: ଖୁବ୍ଶୀଘ୍ର ଭାରତ ହିନ୍ଦୁରାଷ୍ଟ୍ର ହେବ। ଏବେଠୁ ପ୍ରଚେଷ୍ଟା ଜାରି ରହିଛି। ଧୀରେଧୀରେ ବାଟ ଖୋଲୁଛି। ତେଣୁ ପ୍ରତିଟି ହିନ୍ଦୁ ଏଥିପାଇଁ ଉପାସନା କରିବା ଉଚିତ୍। ଖ୍ରୀଷ୍ଟିଆନ୍ ଧର୍ମର କେହି ମାର୍ଗଦର୍ଶକ ନାହାନ୍ତି। କିନ୍ତୁ ହିନ୍ଦୁ ଧର୍ମ ସାରା ବିଶ୍ବର ମାର୍ଗଦର୍ଶକ ସାଜିଛି। ତେଣୁ ଭାରତକୁ ହିନ୍ଦୁ ରାଷ୍ଟ୍ର ହେବାକୁ ଆଉ ପ୍ରତିବନ୍ଧକ ନାହିଁ। ଆଜି ଚନ୍ଦ୍ରଶେଖରପୁରସ୍ଥିତ ରେଲ୍ୱେ ଅଡିଟୋରିୟମ୍ରେ ଆଦିତ୍ୟବାହିନୀ ଓ ଆନନ୍ଦବାହିନୀ ପୀଠପରିଷଦ ସଂଯୋଜନାରେ ଆୟୋଜିତ ହିନ୍ଦୁରାଷ୍ଟ୍ର-ସଂଗୋଷ୍ଠୀ କାର୍ଯ୍ୟକ୍ରମରେ ଏଭଳି ମତ ରଖିଛନ୍ତି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ।
ସାଧାରଣ ଲୋକଙ୍କ ପ୍ରଶ୍ନର ଉତ୍ତରରେ ଶଙ୍କରାଚାର୍ଯ୍ୟ ଆହୁରି କହିଥିଲେ ଯେ ସାଢ଼େ ୩ବର୍ଷରେ ଭାରତ ହିନ୍ଦୁ ରାଷ୍ଟ୍ର ହେବ। ଏନେଇ ପ୍ରୟାସ ଜାରି ରହିଛି। ତେଣୁ ଏନେଇ ପ୍ରତ୍ୟେକ ହିନ୍ଦୁ କ’ଣ କରିବାକୁ ହେବ ସେନେଇ ସେ ମାର୍ଗଦର୍ଶନ କରିଥିଲେ।
ହିନ୍ଦୁ ରାଷ୍ଟ୍ର ଗଠନରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଯୋଗଦାନ ଜରୁରୀ। ଜଣେ ହିନ୍ଦୁ ଦୈନିକ ଘଣ୍ଟାଏ ସମୟ ଓ ୧ ଟଙ୍କା ଦାନ ଦେବାକୁ ସେ ଉପଦେଶ ଦେଇଥିଲେ। ଏହି ଅର୍ଥ ହିନ୍ଦୁ ମଠ ମନ୍ଦିର ନିର୍ମାଣରେ ଲାଗିବ। ହିନ୍ଦୁ ରାଷ୍ଟ୍ର ନିର୍ମାଣ ଦ୍ଵାରା ହିନ୍ଦୁ କ’ଣ ଫାଇଦା ପାଇବ, ସେସଂପର୍କରେ ସେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ହିନ୍ଦୁ ସନ୍ଥ, ଧାର୍ମିକ ବ୍ୟକ୍ତି, ଧର୍ମ ଗବେଷକ, ପ୍ରଚାରକ ଓ ଅନେକ ଛାତ୍ରଛାତ୍ରୀ ଯୋଗଦେଇଥିଲେ।
ଆରଏସ୍ଏସ୍ର ସଂଘ ମୁଖ୍ୟ ମୋହନ ଭାଗବତଙ୍କ ‘ସବୁ ମସ୍ଜିଦ୍ରେ ଶିବଲିଙ୍ଗ ଖୋଜନି’ ବକ୍ତବ୍ୟ ଉପରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା ରଖିବାକୁ ଯାଇ ସେ କହିଲେ ଯେ ମୋହନ ଭାଗବତଙ୍କ ଭିତରେ ହିନ୍ଦୁତ୍ୱ ଖୋଜନି ରହିଛି। ଆମ ଦେଶରେ ସଂରକ୍ଷଣ ବ୍ୟବସ୍ଥାରେ ୫ଟି ଦୁର୍ଗୁଣ ଅଛି ବୋଲି ସେ ଏକଦା ମିରଟ୍ରେ କହିଥିବା ନେଇ ସୂଚନା ଦେଇଥିଲେ। ତାଙ୍କ ଆଗରେ ନିଆଯାଇଥିବା ନିଷ୍ପତ୍ତିରେ ମୁଖ୍ୟମନ୍ତ୍ରୀ, ହାଇକୋର୍ଟ, ସୁପ୍ରିମକୋର୍ଟ ପାଣି ପକାଇ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଏହା ହିଁ ବିଡମ୍ବନା ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ। ସେହିଭଳି ସମ୍ପ୍ରତି ଭାରତରେ ବହୁଚର୍ଚ୍ଚିତ ନୁପୁର ଶର୍ମାଙ୍କ ପ୍ରସଙ୍ଗରେ ସେ କହିଲେ ଯେ ଦ୍ରୌପଦୀ ‘ଅନ୍ଧ’କୁ ‘ଅନ୍ଧ’ କହିବାରୁ ମହାଭାରତ ହେଲା। ତେଣୁ କହିବାର ଶୈଳୀ ଠିକ୍ ହେବା ଉଚିତ ଓ ଏହାଦ୍ୱାରା ଲକ୍ଷ୍ୟ ସାଧିତ ହେବ ବୋଲି ମତ ରଖିଥିଲେ।