ବିଜେଡି-କଂଗ୍ରେସ ମେଣ୍ଟ ନେଇ କଥା କଟାକଟି

ବିଭିନ୍ନ ପ୍ରସଙ୍ଗରେ ‘ଇଣ୍ଡିଆ ଟୁଡେ’ର ଆଲୋଚନା

ଭୁବନେଶ୍ୱର : ଏଠାରେ ଅନୁଷ୍ଠିତ ‘ଇଣ୍ଡିଆ ଟୁଡେ’ର ଓଡ଼ିଶା କନ୍‌କ୍ଲେଭରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏଥିରେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି-କଂଗ୍ରେସ ମେଣ୍ଟ ହେବା ନେଇ ବିଜେଡି ନେତା ଡା. ଦାମୋଦର ରାଉତ ଦେଇଥିବା ବିବୃତି ପ୍ରସଙ୍ଗ ଉଠିଥିଲା। ଏହି ପ୍ରସଙ୍ଗରେ ବିଜେଡି, କଂଗ୍ରେସ, ବିଜେପି ନେତାମାନଙ୍କ ମଧ୍ୟରେ କଥା କଟାକଟି ଆଲୋଚନାକୁ ସରଗରମ କରିଦେଇଥିଲା।

ରାଜନୈତିକ ଆଲୋଚନା ଆରମ୍ଭ କରି ‘ଇଣ୍ଡିଆ ଟୁଡେ’ର ସଂପାଦକ(ରିସର୍ଚ) ଅଜୟ କୁମାର ଝା ଉପରୋକ୍ତ ମେଣ୍ଟ ପ୍ରସଙ୍ଗ ପଚାରିଥିଲେ। ଏ ନେଇ ବିରୋଧୀ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ପୂର୍ବ-ପଶ୍ଚିମ ଯେପରି ମିଶିପାରିବନି, ସେହିପରି ବିଜେଡି ସହିତ କଂଗ୍ରେସର ମେଣ୍ଟ ସମ୍ଭବ ନୁହେଁ। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଲେ ଯେ ଉଭୟ କଂଗ୍ରେସ ଏବଂ ବିଜେପି ପ୍ରତି ସମଦ୍ୱରତ୍ୱ ରକ୍ଷା କରିବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିସାରିବା ପରେ ଏହି ପ୍ରସଙ୍ଗର ଆଉ ଗୁରୁତ୍ୱ ନାହିଁ। ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିଲେ ଯେ ଡା. ରାଉତଙ୍କ ବିବୃତିରୁ ବିଜେପି ରାଜ୍ୟରେ ଏକ ବୃହତ୍‌ ଶକ୍ତି ଭାବେ ଉଭା ହେଉଥିବା ସ୍ପଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଳାଟଙ୍କା ଦେଶକୁ ଫେରିିବା, ବିମୁଦ୍ରାକରଣ, ନିଯୁକ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟର ଦେଢ଼ଗୁଣ ବୃଦ୍ଧି, ଜିଏସ୍‌ଟି ଆଦି ପ୍ରସଙ୍ଗ ନେଇ ବିଜେପିକୁ ଘେରିଥିଲେ ଉଭୟ କଂଗ୍ରେସ ଏବଂ ବିଜେଡି। ଏ ନେଇ ଶ୍ରୀ ହରିଚନ୍ଦନ ମୋଦିଙ୍କର ନୀତିକୁ ସମର୍ଥନ କରି ତାଙ୍କ ବିବୃତିକୁ ବିରୋଧୀ କଦର୍ଥ କରୁଥିବା ଅଭିଯୋଗ କରିଥିଲେ। ରାଜ୍ୟରେ କଂଗ୍ରେସର ସ୍ଥିତି ଶୋଚନୀୟ ହୋଇପଡ଼ିଥିବା ସେ କହିଥିଲେ।

ଅପରାହ୍ଣ ଅଧିବେଶନରେ ଶିକ୍ଷା କିପରି ବିକାଶକୁ ତ୍ୱରାନ୍ଵିତ କରିପାରିବ ସେ ନେଇ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ରମେଶ ମାଝୀ, ‘ସମ୍ବାଦ’ର ଫିଚର ସଂପାଦକ ଡ. ଗୌରହରି ଦାସ, ଲେଖକ ଡ. ଯତୀନ୍ଦ୍ର ନାୟକ, କିଟ୍‌ସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ଅଧ୍ୟକ୍ଷ ଡ. ବିଜୟ କୁମାର ସାହୁ ପ୍ରମୁଖ ଶିକ୍ଷା ସହିତ ବିକାଶର ପ୍ରତ୍ୟକ୍ଷ ଓ ପ୍ରମୁଖ ସଂପର୍କ ରହିଥିବା ଦର୍ଶାଇଥିଲେ। ‘ଦ ମଡେଲ୍‌ ଅଫ୍‌ ଗୁଡ୍‌ ଗଭର୍ଣ୍ଣାସ’ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀ, ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ, ଆଇଟି ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା। ସେମାନେ ଜଣେ ବ୍ୟୁରୋକ୍ରାଟ୍‌ ଭାବେ ନିଜ ଦାୟିତ୍ୱ, ଲକ୍ଷ୍ମଣରେଖା ସଂପର୍କରେ ସଚେତନ ବୋଲି ମତବ୍ୟକ୍ତ କରିଥିଲେ।

ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କହିଲେ ଯେ ୨୦୧୮-୧୯ ବେଳକୁ ଓଡ଼ିଶାର ୬.୩ ଲକ୍ଷ ଯୁବକ ଯୁବତୀଙ୍କୁ କୌଶଳ ବିକାଶ ପ୍ରଶିକ୍ଷଣ ଦେଇ ନିଯୁକ୍ତି ପାଇଁ ଯୋଗ୍ୟ କରାଯିବ। ତେବେ ସେମାନେ ଓଡ଼ିଶାରୁ ଦକ୍ଷତା ନେଇ ଦେଶବିଦେଶରେ ରାଜ୍ୟକୁ ମଡେଲ୍‌ ଭାବେ ଗଢ଼ିତୋଳିବେ। ଏହା ପୂର୍ବରୁ ଓଡ଼ିଶାରେ କଳା, ସାଂସ୍କୃତିକ ନବଜାଗରଣ ଉପରେ ଆଲୋଚନା ହୋଇଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରିୟମ୍ବଦା ହେଜ୍‌ମାଦୀ, କଳା ସମାଲୋଚକ କେଦାର ମିଶ୍ର, ଓଡ଼ିଶୀ ନୃତ୍ୟ ବିଶେଷଜ୍ଞ ରତିକାନ୍ତ ମହାପାତ୍ର, ଗଜେନ୍ଦ୍ର ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର