ଭୁବନେଶ୍ୱର : ଓଡ଼ିଶାରେ ସାମାଜିକ ଅର୍ଥନୈତିକ ପ୍ରଗତିର ଚିତ୍ର କିପରି ରହିଛି। ଜିଲ୍ଲାଗୁଡ଼ିକର ଉନ୍ନତିରେ ରାଜ୍ୟର ବିକାଶ ନିହିତ ଥିବା କୁହାଯାଉଥିବାବେଳେ ସତରେ କଣ ଜିଲ୍ଲାର ବିକାଶ ହେଉଛି? ବିକାଶର ମାପଦଣ୍ଡରେ କଣ ଉତ୍ତୀର୍ଣ୍ଣ ହେଉଛନ୍ତି ରାଜ୍ୟର ୩୦ଟି ଜିଲ୍ଲା? ଏ ସମସ୍ତ ବିଷୟକୁ ବିଭିନ୍ନ ଦିଗରୁ ତନ୍ନ ତନ୍ନ କରି ନିରୀକ୍ଷଣ କରିଛି ଜାତୀୟ ସ୍ତରର ସଭ୍ରାନ୍ତ ଇଂରାଜୀ ପତ୍ରିକା ଇଣ୍ଡିଆ ଟୁଡେ। ଏହି ପତ୍ରିକା ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ନାରୀଶିକ୍ଷାର ପ୍ରସାର ଆଦି ବିକାଶର ସୂଚକାଙ୍କକୁ ନେଇ କରାଯାଇଥିବା ‘ଦି ଷ୍ଟେଟ୍ ଅଫ୍ ଦି ଷ୍ଟେଟ୍’ ସର୍ଭେରେ ରାଜ୍ୟର ୯ଟି ଜିଲା କୃତକାର୍ଯ୍ୟ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାବେଳେ ସାମଗ୍ରିକ ବିକାଶ କ୍ଷେତ୍ରରେ ଖୋର୍ଧା ଶ୍ରେଷ୍ଠ ଜଲ୍ଲାର ମାନ୍ୟତା ପାଇଛି। ଏହା ବ୍ୟତୀତ କଟକ, ପୁରୀ, ସେୁବର୍ଣ୍ଣପୁର, ଝାରସୁଗୁଡ଼ା, କଟକ, ଅନୁଗୁଳ, ବରଗଡ଼ ଆଦି ଜିଲାଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।
ରାଜଧାନୀ ଭୁବନେଶ୍ୱରର ଅବସ୍ଥିତି ଖୋର୍ଧା ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ଦେଇଛି। ବିକାଶର ୯ଟି ମାପଦଣ୍ଡ ମଧ୍ୟରୁ ପାନୀୟ ଜଳ ଏବଂ ପରିମଳ, ଭିତ୍ତିଭୂମି ବିକାଶ, ସେବା ଏବଂ ସମୃଦ୍ଧି କ୍ଷେତ୍ର ଭଳି ପାଞ୍ଚଟି ବର୍ଗରେ ଏହି ଜିଲ୍ଲା ସର୍ବାଗ୍ରେ ରହିଛି। ସାମଗ୍ରିକ କ୍ଷେତ୍ରରେ ଖୋର୍ଧା ଜିଲ୍ଲା ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏହି ସୂଚୀରେ କଟକ ଦ୍ୱିତୀୟ ଜିଲ୍ଲା ଭାବେ ସ୍ଥାନ ପାଇଛି। ଛାତ୍ର ଶିକ୍ଷକ ଅନୁପାତରେ ଗଞ୍ଜାମ ଜିଲ୍ଲା ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଛାତ୍ରଛାତ୍ରୀଙ୍କ ତୁଳନାରେ ଶ୍ରେଣୀଗୃହର ଅନୁପାତ ଏବଂ ପ୍ରତି ହଜାର ଜନସଂଖ୍ୟାରେ ବିଦ୍ୟାଳୟ ସଂଖ୍ୟାର ଅନୁପାତରେ ମଧ୍ୟ ଜଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଶିକ୍ଷା ଭିତ୍ତିଭୂମିର ବିକାଶ ତଥା ଶିକ୍ଷାନୁଷ୍ଠାନଗୁଡ଼ିକୁ ଉପଯୁକ୍ତ ଯୋଗାଯୋଗ ବ୍ୟବସ୍ଥାରେ ଏହି ଜିଲ୍ଲା ଶ୍ରେଷ୍ଠ ପ୍ରଦର୍ଶନ କରିଛି।
ଖାଦ୍ୟଶସ୍ୟ ଉତ୍ପାଦନ ତଥା ଜିଡିପି(ମୋଟ ଘରୋଇ ଉତ୍ପାଦ)ରେ କୃଷି କ୍ଷେତ୍ରର ଭାଗିଦାରୀରେ ସମଗ୍ର ରାଜ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ସୁବର୍ଣ୍ଣପୁର ଜିଲ୍ଲା। ଏହା ସହିତ କୃଷି କ୍ଷେତ୍ରର ଜିଡିପିର ମୁଣ୍ଡପିଛା ଆୟରେ ଏହି ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ରାଜ୍ୟର ମୋଟ୍ କୃଷି କ୍ଷେତ୍ରଫଳରୁ ସୁବର୍ଣ୍ଣପୁର ସର୍ବାଧିକ ସ୍ଥାନ ଅଧିକାର କରିଥିବା ବେଳେ ଚାଷୀମାନେ କରୁଥିବା ଫସଲ ଓ ବୁଣା ଯାଉଥିବା ଅଞ୍ଚଳ ଆଦିରେ ଜିଲ୍ଲା ସଫଳ ପ୍ରଦର୍ଶନ କରିଛି। ସେହିଭଳି ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ପାଇଥିବା କର୍ମଜୀବୀମାନଙ୍କ ସଂଖ୍ୟା ହିସବାକୁ ନେଲେ ଝାରସୁଗୁଡ଼ା ଜିଲ୍ଲା ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି।
ହସ୍ପିଟାଲ୍ରେ ପ୍ରସବ କ୍ଷେତ୍ରରେ ପୁରୀ ଜିଲ୍ଲା ରାଜ୍ୟରେ ଏକ ନମ୍ବର ସ୍ଥାନ ହାସଲ କରିଛି। ପରିବାର ନିୟନ୍ତ୍ରଣ ମାପଦଣ୍ଡ (୧୫ରୁ ୪୪ ବର୍ଷ ବୟସ୍କ ବିବାହିତ ମହିଳାମାନେ ବ୍ୟବହାର କରୁଥିବା ଆଧୁନିକ ପ୍ରତିଷେଧକର ବ୍ୟବହାର) ଆଦି କ୍ଷେତ୍ରରେ ମଧ୍ୟ ପୁରୀ ଦ୍ୱିତୀୟ ସ୍ଥାନ ହାସଲ କରିଛି। ପରିବାର ନିୟନ୍ତ୍ରଣ କ୍ଷେତ୍ରରେ ପୁରୀ ଜିଲ୍ଲାରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିଛି। ୧୨ ରୁ ୨୩ ମାସ ମଧ୍ୟରେ ରହିଥିବା ଶିଶୁଙ୍କ ମଧ୍ୟରୁ ପ୍ରାୟ ୮୮ ପ୍ରତିଶତ ଶିଶୁ ସମ୍ପୂର୍ଣ୍ଣ ଟିକାକରଣ ଯୋଜନାର ସୁଫଳ ପାଇଛନ୍ତି। ୧୦୦୦ ବର୍ଷର ସହର କଟକ ଜିଲ୍ଲାରେ ରାଜ୍ୟର ଦ୍ୱିତୀୟ ସର୍ବାଧିକ ପରିବାରକୁ ବିଜୁଳି ସଂଯୋଗ ହୋଇଛି। ଜନଗଣନା ଅନୁସାରେ ଉତ୍ତମ ଅବସ୍ଥାରେ ରହୁଥିବା ପରିବାରଗୁଡ଼ିକର ମୋଟ୍ ପ୍ରତିଶତରେ ଏହି ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି। ଟେଲି କମୁନିକେସନ କ୍ଷେତ୍ରରେ କଟକ ଚତୁର୍ଥ ସ୍ଥାନରେ ରହିଥିବାବେଳେ ଏହି ଜିଲ୍ଲାରେ ୫୦ ପ୍ରତିଶତରୁ ଊର୍ଧ୍ୱ ପରିବାରକୁ ଟେଲିଫୋନ୍ ସଂଯୋଗ ହୋଇଛି।
ପାନୀୟ ଜଳ ଯୋଗାଣ ଓ ଉପଲବ୍ଧି କ୍ଷେତ୍ରରେ ରହିଥିବା ଫୋର୍ ‘ଟି’ ମାପଦଣ୍ଡ ମଧ୍ୟରୁ ଖୋର୍ଧା ଜିଲା ତିନିଟି ‘ଟି’ରେ ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ପରିମଳ ବ୍ୟବସ୍ଥା ଯୋଗାଇଦେବାରେ ମଧ୍ୟ ଏହି ଜିଲ୍ଲା ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଖୋର୍ଧା ଓ ଏହାର ପଡ଼ୋଶୀ ଜିଲ୍ଲା ପୁରୀରେ ପରିବାରଗୁଡ଼ିକୁ ଉତ୍ତମ ଡ୍ରେନେଜ୍ ସୁବିଧା ସହିତ ପରିବାରଗୁଡ଼ିକୁ ପାଇଖାନା ଉପଲବ୍ଧ କରାଇବାରେ ସର୍ବାଧିକ ହାର ରହିଛି। ସେହିପରି ପରିବାରଗୁଡ଼ିକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବାରେ ମଧ୍ୟ ଏହି ଜିଲ୍ଲା ସଫଳତା ହାସଲ କରିଛି। ରାଜ୍ୟର ଅନ୍ୟାନ୍ୟ ଜିଲା ତୁଳନାରେ ବରଗଡ଼ ଜିଲାରେ ଘଟୁଥିବା ବିଭିନ୍ନ ଅପରାଧ ସବୁଠାରୁ କମ୍ ବୋଲି ସର୍ଭେରୁ ଜଣାପଡ଼ିଛି। ହତ୍ୟା ଓ ଅପରାଧ ଭଳି ସମ୍ପୂର୍ଣ୍ଣ ଦଣ୍ଡନୀୟ ଅପରାଧ ହାର ଏହି ଜିଲ୍ଲାରେ ସବୁଠାରୁ କମ୍ ରହିଛି। ଆଇନଶୃଙ୍ଖଳା ପରିସ୍ଥିତି ଏହି ଜିଲ୍ଲାରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବା ଏହି ରିପୋର୍ଟରେ ସ୍ପଷ୍ଟ ହୋଇଛି।
ମୁଣ୍ଡପିଛା ଜିଡିପିରେ ଅନୁଗୁଳ ଜିଲ୍ଲା ରାଜ୍ୟ ହାରଠାରୁ ଯଥେଷ୍ଟ ଉର୍ଦ୍ଧ୍ୱରେ ରହିଛି। ଦୈନିକ ମଜୁରୀ, ଜନସାଧାରଣଙ୍କର ଖର୍ଚ୍ଚ କରିବାର କ୍ଷମତା ଆଦି କ୍ଷେତ୍ରରେ ଜିଲ୍ଲାର ହାର ରାଜ୍ୟଠାରୁ ବେଶ୍ ଆଗୁଆ ଥିବାରୁ ରାଜ୍ୟର ଏକ ନମ୍ବର ସମୃଦ୍ଧଶାଳୀ ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛି। ବିଭିନ୍ନ ସେବା କ୍ଷେତ୍ରରେ ଖୋର୍ଧା ପରେ କଟକ ଜିଲାରୁ ସର୍ବାଧିକ ଲୋକ ନିଯୁକ୍ତି ପାଇଛନ୍ତି। ଏହି କ୍ଷେତ୍ରରେ ରାଜ୍ୟର ହାର ୪୯ ପ୍ରତିଶତ ଥିବାବେଳେ କଟକ ଜିଲ୍ଲାର ହାର ୬୮ ପ୍ରତିଶତ ରହିଛି। ଜିଡିପିରେ ମଧ୍ୟ ଏହି କ୍ଷେତ୍ରର ଅବଦାନ ଯଥେଷ୍ଟ ଅଧିକ ରହିଛି।