କଟକ : ଇଣ୍ଡିଆ ଟୁଡେ ପକ୍ଷରୁ ମେଡିକାଲ୍ କଲେଜମାନଙ୍କୁ ନେଇ ହୋଇଥିବା ସର୍ଭେରେ ଏସ୍ସିବି ମେଡିକାଲ୍ କଲେଜ ୩୧ତମ ସ୍ଥାନ ପାଇଛି। ଓଡ଼ିଶାର ଏସ୍ସିବି ଏକମାତ୍ର କଲେଜ ଭାବେ ଏହି ସର୍ଭେରେ ସାମିଲ ହୋଇଥିଲା। ଦିଲ୍ଲୀର ଏମ୍ସ ଏହି ତାଲିକାର ଶୀର୍ଷରେ ରହିଛି।
ଦେଶରେ ମୋଟ ୪୫୦ ସରକାରୀ ସ୍ୱୀକୃତିପ୍ରାପ୍ତ ମେଡିକାଲ୍ କଲେଜ ରହିଛି। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୧୦୦ ଜଣଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ଏପ୍ରିଲ ମାସରେ ଇଣ୍ଡିଆ ଟୁଡେ ପକ୍ଷରୁ ଏସ୍ସିବି ମେଡିକାଲ୍କୁ କଲେଜ ଗତ ୧୦ ବର୍ଷର ତଥ୍ୟ ମଗାଯାଇଥିଲା। ସେଥିମଧ୍ୟରେ କଲେଜର ସିଟ୍ ସଂଖ୍ୟା, ଜାତୀୟ ପ୍ରବେଶିକା ପରୀକ୍ଷାରେ ଫଳାଫଳ, ଛାତ୍ରଛାତ୍ରୀଙ୍କ ସର୍ବାଧିକ ଓ ସର୍ବନିମ୍ନ ର୍ୟାଙ୍କ୍, ଭିତ୍ତିଭୂମି, ସୁଇମିଂ ପୁଲ, ଖେଳ ପଡ଼ିଆ, ଲାଇବ୍ରେରୀ, ଆଟେଣ୍ଡାନ୍ସ, ଶିକ୍ଷକମାନଙ୍କର ଦକ୍ଷତା, ବୈଜ୍ଞାନିକ ପ୍ରକାଶକ, ଆନ୍ତର୍ଜାତିକ ଏଜେନ୍ସି ଇତ୍ୟାଦି ସଂକ୍ରାନ୍ତରେ ତଥ୍ୟ ଲୋଡାଯାଇଥିଲା। ଏହାଉପରେ ୨୫ ପୃଷ୍ଠାର ତଥ୍ୟ ସମ୍ବଳିତ ତାଲିକା ଇଣ୍ଡିଆ ଟୁଡେକୁ ପ୍ରଦାନ କରାଯାଇଥିଲା। ସମସ୍ତ ମେଡିକାଲ୍ କଲେଜଗୁଡ଼ିକୁ ବିଚାର କରାଯାଇ ଏସ୍ସିବିକୁ ୩୧ତମ ର୍ୟାଙ୍କ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଏହି ର୍ୟାଙ୍କ ପାଇଁ ମେଡିକାଲ୍ର ସମସ୍ତ କର୍ମଚାରୀ, ଡାକ୍ତର ଓ ପ୍ରତ୍ୟେକ ଶୁଭେଚ୍ଛୁଙ୍କୁ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ ଶୁଭେଚ୍ଛା ଜଣାଇଛନ୍ତି। ଏସ୍ସିବି ଭଳି ସରକାରୀ ମେଡିକାଲ୍ କଲେଜକୁ ଓଡ଼ିଶାରେ ଶ୍ରେଷ୍ଠ ଭାବେ ପୁଣି ପ୍ରମାଣିତ ହୋଇଛି। ସର୍ବଭାରତୀୟ ସ୍ତରରେ ମଧ୍ୟ ଏହା ୩୧ ତମ ସ୍ଥାନରେ ରହି ନିଜର ଗାରିମାକୁ ଆହୁରି ବୃଦ୍ଧି କରିଛି। ତେଣୁ ଏଥିପାଇଁ ମୁଁ ଗର୍ବିତ ବୋଲି ଡାକ୍ତର ଦାସ କହିଛନ୍ତି।