ଓଡ଼ିଶା ଏବେ ଦେଶ ପାଇଁ ବିକାଶର ମଡେଲ: ନବୀନ

ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଭିନ୍ନ ଜିଲ୍ଲାକୁ ‘ଇଣ୍ଡିଆ ଟୁଡେ’ ପୁରସ୍କାର

ଷ୍ଟେଟ୍‌ ଅଫ୍‌ ଦି ଷ୍ଟେଟ୍‌ କନ୍‌କ୍ଲେଭ୍‌

ଭୁବନେଶ୍ୱର : ୨୦୦୦ରୁ ଆଜି ପର୍ଯ୍ୟନ୍ତ ବିଗତ ୧୭ ବର୍ଷ ମଧ୍ୟରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ୨୦୦୦ ମସିହାରେ ଓଡ଼ିଶାରେ ଚାଉଳର ଅଭାବ ଥିଲା। ଆଜି ଏହା ଏକ ବଳକା ରାଜ୍ୟ ଭାବେ ଅନ୍ୟ ରାଜ୍ୟକୁ ଯୋଗାଉଛି ଚାଉଳ। ୧୦ ବର୍ଷ ମଧ୍ୟରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଛି। ଦାରିଦ୍ର୍ୟ ହାର ବି ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ମଧ୍ୟ ଅଧିକ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି ସନ୍ଧ୍ୟାରେ ହୋଟେଲ୍‌ ମେ’ ଫେୟାରରେ ଅନୁଷ୍ଠିତ ‘ଇଣ୍ଡିଆ ଟୁଡେ’ର ‘ଦ ଷ୍ଟେଟ୍‌ ଅଫ୍‌ ଦ ଷ୍ଟେଟ୍‌, ଓଡ଼ିଶା କନ୍‌କ୍ଲେଭର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାର ସଫଳତା ସଂପର୍କରେ ବିବରଣୀ ଦେଇଥିଲେ। ‘ଇଣ୍ଡିଆ ଟୁଡେ’ର ଗ୍ରୁପ୍‌ ଇଡିଟୋରିଆଲ୍‌ ଡାଇରେକ୍ଟର ରାଜ୍‌ ଚେଙ୍ଗାପ୍ପା ତାଙ୍କ ସ୍ୱାଗତ ଅଭିଭାଷଣରେ ଗତ ୧୭ ବର୍ଷରେ ଓଡ଼ିଶାରେ ସଂଘଟିତ ଅସାଧାରଣ ପରିବର୍ତନ ସଂପର୍କରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଓଡ଼ିଶା ଆଜି ଦେଶ ପାଇଁ ବିକାଶର ମଡେଲ୍‌। ତେବେ ଏଭଳି ପରିବର୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମ୍ଭବ ହୋଇଥିବା ସେ ଦର୍ଶାଇଥିଲେ। ଜଣେ ନେତା ଭାବେ ଶ୍ରୀ ପଟ୍ଟନାୟକ ଜଣେ ବ୍ୟତିକ୍ରମ। ସେ ସ୍ୱଳ୍ପଭାଷୀ ହେଲେ ବି କାର୍ଯ୍ୟରେ ଅଧିକ ବିଶ୍ୱାସ କରନ୍ତି ବୋଲି ଶ୍ରୀ ଚେଙ୍ଗାପ୍ପା କହିଥିଲେ।

ଏହି ଅବସରରେ ‘ଇଣ୍ଡିଆ ଟୁଡେ’ ଦ୍ୱାରା ବିବେଚିତ ଶ୍ରେଷ୍ଠ ଜିଲ୍ଲା ପ୍ରଦର୍ଶନ ପ୍ରତିଯୋଗିତାର କୃତୀ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ସର୍ବାଙ୍ଗୀନ ଶ୍ରେଷ୍ଠ ଜିଲ୍ଲା ଭାବେ ଖୋର୍ଧା, କଟକ, ଜଗତ୍‌ସିଂହପୁର ଏବଂ ଗଞ୍ଜାମ ଜିଲ୍ଲା ବିବେଚିତ ହୋଇଥିବା ବେଳେ ସର୍ବାଙ୍ଗୀନ ଭାବେ ସର୍ବାଧିକ ଉନ୍ନତି କରିଥିବା ଜଗତ୍‌ସିଂହପୁର, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ସୋନପୁର ଜିଲ୍ଲାକୁ ପୁରସ୍କୃତ କରାଯାଇଥିଲା। ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ଜିଲ୍ଲା ଭାବେ ଗଞ୍ଜାମ, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କଟକ ଏବଂ ଏ କ୍ଷେତ୍ରରେ ସର୍ବାଧିକ ଉନ୍ନତିଲାଭ କରିଥିବା ଭଦ୍ରକ, ବାଲେଶ୍ୱର, ନବରଙ୍ଗପୁର, କୋରାପୁଟ, ବଲାଙ୍ଗୀରକୁ ପୁରସ୍କାର ଦିଆଯାଇଛି। ଜଳ ଓ ପରିମଳ କ୍ଷେତ୍ରରେ ଖୋର୍ଧା, କଟକ, ସୁନ୍ଦରଗଡ଼, ଜଗତ୍‌ସିଂହପୁର, ପୁରୀ ଜିଲ୍ଲା ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଏ କ୍ଷେତ୍ରରେ ସର୍ବାଧିକ ଉନ୍ନତିଲାଭ କରିଥିବା ନୂଆପଡ଼, ଜଗତ୍‌ସିଂହପୁର, ବରଗଡ଼, ମୟୂରଭଞ୍ଜ, ଭଦ୍ରକ ଜିଲ୍ଲାକୁ ପୁରସ୍କୃତ କରାଯାଇଛି।

ସେହିପରି ଭିତ୍ତିଭୂମି କ୍ଷେତ୍ରରେ କଟକ, ଖୋର୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା ଜିଲ୍ଲା ଏବଂ ଏ କ୍ଷେତ୍ରରେ ସର୍ବାଧିକ ଉନ୍ନତିଲାଭ କରିଥିବା କେନ୍ଦ୍ରାପଡ଼ା, ଗଜପତି, ଜଗତ୍‌ସିଂହପୁର, ବୌଦ୍ଧ, ଦେବଗଡ଼ ଜିଲ୍ଲା ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। କୃଷି କ୍ଷେତ୍ରରେ ସୋନପୁର, ବଲାଙ୍ଗୀର, ପୁରୀ, ଜଗତ୍‌ସିଂହପୁର, ମାଲକାନଗିରି ଏବଂ ଏ କ୍ଷେତ୍ରରେ ସର୍ବାଧିକ ଉନ୍ନତିଲାଭ କରିଥିବା ରାୟଗଡ଼ା, କୋରାପୁଟ, ଜଗତ୍‌ସିଂହପୁର, କଟକ, ନବରଙ୍ଗପୁର ଜିଲ୍ଲା ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁରୀ, ସୋନପୁର, ବଲାଙ୍ଗୀର, ଢେଙ୍କାନାଳ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ ହୋଇଥିବା ବେଳେ ଏ କ୍ଷେତ୍ରରେ ସର୍ବାଧିକ ଉନ୍ନତିଲାଭ କରିଥିବା ଯାଜପୁର, ସୋନପୁର, ନୂଆପଡ଼ା, ମାଲକାନଗିରି, ଅନୁଗୁଳ, ବଲାଙ୍ଗୀର ଜିଲ୍ଲା ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ଆଇନ ଶୃଙ୍ଖଳା କ୍ଷେତ୍ରରେ ବରଗଡ଼, ଯାଜପୁର, ଢେଙ୍କାନାଳ, ଜଗତ୍‌ସିଂହପୁର, ସୁନ୍ଦରଗଡ଼ ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ପାଇଥିବା ବେଳେ ଏ କ୍ଷେତ୍ରରେ ସର୍ବାଧିକ ଉନ୍ନତିଲାଭ କରିଥିବା ଜଗତ୍‌ସିଂହପୁର, ନବରଙ୍ଗପୁର, ଢେଙ୍କାନାଳ, ସମ୍ବଲପୁର, ଗଜପତି ଜିଲ୍ଲା ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସମୃଦ୍ଧି ଅର୍ଜନ କ୍ଷେତ୍ରରେ ଅନୁଗୁଳ, ଖୋର୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ଏବଂ ଏ କ୍ଷେତ୍ରରେ ସର୍ବାଧିକ ଉନ୍ନତିଲାଭ କରିଥିବା ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, କଳାହାଣ୍ଡି ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ ହୋଇଛନ୍ତିି।

ଶିଳ୍ପ କ୍ଷେତ୍ରରେ ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ ଜିଲ୍ଲା ଶ୍ରେଷ୍ଠ ପୁରସ୍କାର ପାଇଥିବା ବେଳେ ଏ କ୍ଷେତ୍ରରେ ସର୍ବାଧିକ ଉନ୍ନତିଲାଭ କରିଥିବା ନବରଙ୍ଗପୁର, ଢେଙ୍କାନାଳ, ଜଗତ୍‌ସିଂହପୁର, ରାୟଗଡ଼ା, କଳାହାଣ୍ଡି ଶ୍ରେଷ୍ଠ ଜିଲ୍ଲାର ସ୍ଥାନ ଅଧିକାର କରିଛନ୍ତି। ସେବା କ୍ଷେତ୍ରରେ କଟକ, ଖୋର୍ଧା, ଭଦ୍ରକ, ଯାଜପୁର, ସମ୍ବଲପୁର ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ଏବଂ ଏ କ୍ଷେତ୍ରରେ ସର୍ବାଧିକ ଉନ୍ନତିଲାଭ କରିଥିବା ସମ୍ବଲପୁର, ଅନୁଗୁଳ, କନ୍ଧମାଳ, ଯାଜପୁର, ସୁନ୍ଦରଗଡ଼ ଜିଲ୍ଲା ଭାବେ ପୁରସ୍କୃତ ହୋଇଛନ୍ତି। ସ୍ୱତନ୍ତ୍ର ବିବେଚିତ ପୁରସ୍କାର ପାଇଛନ୍ତିି ମୟୂରଭଞ୍ଜ, ମାଲକାନଗିରି, କଳାହାଣ୍ଡି, ଦେବଗଡ଼, ଗଜପତି ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ। ଏ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ପୁରସ୍କାର ମୁଖ୍ୟମନ୍ତ୍ରୀଙ୍କଠାରୁ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର