ଡିସେମ୍ବର ୨୦ରେ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍‌

ଓସିଏ ଓ କମିସନରେଟ୍‌ ପୁଲିସର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ମାସ ୨୦ ତାରିଖରେ ବାଟବାଟୀରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟି-ଟେ୍ଵଣ୍ଟି ମ୍ୟାଚ୍‌ ପାଇଁ ଆଜି ପ୍ରଥମ ପ୍ରସ୍ତୁତି ବୈଠକ କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କମିସନରେଟ୍‌ ପୁଲିସ, ଓସିଏ କର୍ତୃପକ୍ଷ, ବିମାନବନ୍ଦର କର୍ତୃପକ୍ଷ, ସିଆଇଏସ୍‌ଏଫ୍‌ ଅଧିକାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ବିଶେଷକରି ଖେଳ ସମୟରେ ଖେଳାଳି ଓ ବାରବାଟୀରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା।

ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ପ୍ରତିଥର ଭଳି ଏଥର ମଧ୍ୟ ପଡ଼ିଆ ଭିତରକୁ ପାଣି ବୋତଲ, ପାଣି ପାଉଚ ପ୍ରବେଶର ଅନୁମତି ନାହିଁ। ସମଗ୍ର ବାରବାଟୀ ପଡ଼ିଆ ଓ ଏହାର ଆଖାପାଖ ଅଞ୍ଚଳକୁ ସିସି କ୍ୟାମେରା ଲେନ୍ସରେ ଅର୍ନ୍ତଭୁକ୍ତ କରାଯିବ। ଏହି ସିସି କ୍ୟାମେରାକୁ କଟକ ପୁଲିସ କଣ୍ଟ୍ରୋଲ ରୁମ୍‌ ସହିତ ସଂଯୋଗ କରାଯିବ। ପୁଲିସ ଏହି କଣ୍ଟ୍ରୋଲ ରୁମ୍‌ ମାଧ୍ୟମରେ ବାରବାଟୀ ଉପରେ ନଜର ରଖିବ। ଏହା ଛଡ଼ା ଏକ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍‌ ବାରବାଟୀ ପଡ଼ିଆ ନିକଟରେ ଖୋଲିବ। ଜଣେ ଏଡିସିପି ର‍୍ୟାଙ୍କ୍‌ର ଅଧିକାରୀ ଏହି କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ରହିବେ।

ପଡ଼ିଆ ଚାରିପଟେ ବିଭିନ୍ନ ସ୍ଥାନରେ ଦର୍ଶକମାନଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରିବାକୁ ଓସିଏ କର୍ତୃପକ୍ଷଙ୍କୁ କୁହାଯାଇଛି। ଏହା ଛଡ଼ା ଖେଳାଳିମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦର କର୍ତୃପକ୍ଷ, ସିଆଇଏସ୍‌ଏଫ୍‌, ହୋଟେଲ ଓ ଖେଳ ପଡ଼ିଆରେ ସେମାନଙ୍କ ସୁରକ୍ଷା ନେଇ ଆଲୋଚନା କରାଯାଇଥିଲା। ଖେଳ ଦିନ ପଡ଼ିଆ ନିକଟରେ କ୍ୟୁଏଟି, ଷ୍ଟ୍ରାଇକିଂ ଫୋର୍ସ, ଟ୍ରାଫିକ ପୁଲିସ ବ୍ୟାପକ ପରିମାଣର ମୁତୟନ ହେବେ।

ଆଜି ଏହି ବୈଠକରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ, ବିଧାୟକ ଦେବାଶିଷ ସାମନ୍ତରାୟ, କଟକ ଡିସିପି ଅଖିଳେଶ ସିଂହ, ଓସିଏ ଅଧିକାରୀ, ସିଆଇଏସ୍‌ଏଫ୍‌ର ଅଧିକାରୀ ଓ ବିମାନବନ୍ଦର କର୍ତୃପକ୍ଷ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର