କଟକ: ଆସନ୍ତା ଡିସେମ୍ବର ୨୨ ତାରିଖରେ ବାରବାଟୀ ଷ୍ଟାଡ଼ିୟମଠାରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଏକଦିବସୀୟ ମ୍ୟାଚ୍‌ ଅନୁଷ୍ଠିତ ହେବ। ତେବେ ମ୍ୟାଚ୍‌ ସମୟରେ ବାରବାଟୀର ୭ ନମ୍ବର ଗ୍ୟାଲେରି ବନ୍ଦ ରଖାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫଳରେ ବାରବାଟୀରେ ସମୁଦାୟ ଯେତିକି ସଂଖ୍ୟକ ଦର୍ଶକ ଉପସ୍ଥିତ ରହି ଖେଳ ଉପଭୋଗ କରିବା କଥା, ଚଳିତଥର ସେତିକି ରହିବେ ନାହିଁ। ୫ ହଜାରରୁ ଊର୍ଧ୍ବ ଦର୍ଶକ ଖେଳ ଦେଖିବାରୁ ବଞ୍ଚିତ ହେବେ। ୭ ନମ୍ବର ଗ୍ୟାଲେରି ପୁରୁଣା ହୋଇଥିବାରୁ କାରଣରୁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‌ ପାଇଁ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆରଡିସିଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ‌ବୈଠକରେ ଖେଳ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହେବାକୁ ଥିବା ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ଷ୍ଟାଡିୟମର ୭ ନମ୍ବର ଗ୍ୟାଲେରି ପୁରୁଣା ହୋଇଯାଇ ଥିବାରୁ ଏହାକୁ ଏଥର ମ୍ୟାଚ ସମୟରେ ବନ୍ଦ ରଖାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଗ୍ୟାଲେରିରେ ୫ହଜାର ୩ଶହ ସିଟ୍‌ ରହିଛି। ଖେଳଦିନ ‌‌ଷ୍ଟାଡିୟମ ଭିତରେ ଓ ବାହାରେ ୪୦ରୁ ୫୦ ହଜାର ଦର୍ଶକ ଆସିବାକୁ ଥିବାବେଳେ ସେମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରିବା ପାଇଁ ଏଥିରେ ଆଲୋଚନା ହୋଇଛି।

Advertisment

ମ୍ୟାଚ ପ୍ରାକ୍ଟିସ୍‌ ଓ ଖେଳ ଦିନ ଖେଳାଳିଙ୍କ ଯିବା ଆସିବାର ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ୨୨ ତାରିଖରେ ମ୍ୟାଚ ହେବାକୁ ଥିବା ବେଳେ ୨୦ ଓ ୨୧ ତାରିଖରେ ଦୁଇ ଦଳ ପଡିଆରେ ନେଟ୍‌ ପ୍ରାକ୍ଟିସ୍‌ କରିବେ। ସକାଳ ୯ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍‌ ଓ ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ଭାରତ ଦଳ ନେଟ୍‌ ପ୍ରାକ୍ଟିସ୍‌ କରିବ ବୋ‌ଲି ସୂଚନା ଦିଆଯାଇଛି। ଏଥିରେ ବିଶେଷ ଭାବେ ଷ୍ଟାଡିୟମକୁ ସଂଯୁକ୍ତ କରୁଥିବା ସମସ୍ତ ରାସ୍ତାରେ ଆଲୋକ, ସଫେଇ କରିବା ସହିତ ଖେଳାଳି ଆସିବାକୁ ଥିବା ଶିଖରପୁର-ଯୋବ୍ରା ରାସ୍ତାକୁ ସଜେଇବାକୁ ନିଷ୍ପତ୍ତି ନିଆଯାଇଛି। ଟିକଟ ବିକ୍ରି ହେବା ଦିନଠାରୁ ଖେଳ ଶେଷ ହେବାଯାଏ ଷ୍ଟାଡ଼ିୟମ ନିକଟରେ ପିଇବା ପାଣିର ବ୍ୟବସ୍ଥା, ସଫେଇକୁ ଗୁରୁତ୍ବ ଦେବା ସହିତ ଖେଳ ଦିନ ଷ୍ଟାଡିୟମ ନିକଟରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି ରଖାଯିବ। ଖେଳ ଶେଷ ହେଲେ ଗଡ଼ଗଡ଼ିଆ ଠାରୁ ଭୁବନେଶ୍ବର ଓ ଚୌଦ୍ବାରକୁ ମୋ ବସ୍‌ ଓ ଅଟୋ ଚଳାଇବାକୁ ଏଥିରେ ନିଷ୍ପତ୍ତି ହୋଇଛି। ୨୨ ତାରିଖରେ ଷ୍ଟାଡିୟମ ଭିତରେ ଓସିଏ ପକ୍ଷରୁ ପିଇବା ପାଣି ଯୋଗାଇ ଦିଆଯିବା ସହିତ ଘରୋଇ ସଂସ୍ଥା ପକ୍ଷରୁ ଖାଦ୍ୟ ବିକ୍ରି କରାଯିବ। ଷ୍ଟାଡ଼ିୟମ ମଧ୍ୟରେ ଦର୍ଶକଙ୍କ ବିଭିନ୍ନ ସମସ୍ୟା ବୁଝିବାକୁ ଓସିଏ ପକ୍ଷରୁ ଅଧିକ ସଂଖ୍ୟା‌େର ସ୍ବେଚ୍ଛାସେବୀ ଓ ସଫେଇ କର୍ମଚାରୀ ନିୟୋଜିତ ହେବେ। ୯ ହଜାର ୩ଶହ ୧୦ଟି ଟିକେଟ୍‌ ଅନ୍‌ ଲାଇନ୍‌ରେ ଡିସେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ବିକ୍ରି କରାଯିବ। ୧୯ ଓ ୨୦ ତାରିଖରେ ପାଖାପାଖି ୨୨ ହଜାର ଟିକଟ ଷ୍ଟାଡ଼ିୟମ କାଉଣ୍ଟରେ ସକାଳ ୯ରୁ ଅପରାହ୍ନ ୫ଟା ମଧ୍ୟରେ ଅଫ୍‌ ଲାଇନ୍‌ରେ ବିକ୍ରି କରାଯିବ ବୋଲି ସୂଚନା ଦିଆଯାଇଛି। ଆଜିର ବୈଠକରେ ଜିଲ୍ଲାପାଳ ଭାବାନୀ ଶଙ୍କର ଚୟନୀ, ସିଏମ୍‌ସି କମିସନର ଅନନ୍ୟା ଦାସ, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଉପ ସଭାପତି ଅକ୍ଷୟ କୁମାର ସାମନ୍ତ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।