‘ଅଗାମୀ ଦିନରେ ଭାରତ ବିଶ୍ବର ନେତୃତ୍ବ ନେବ’

ସୋନପୁର: ଅଗାମୀ ଦିନରେ ଭାରତ ବିଶ୍ବର ନେତୃତ୍ବ ନେବ ବୋଲି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଆସଥିବା ବେଳେ କହିଛନ୍ତି। ରାଜ୍ୟପାଳ ବୀରମହାରାଜପୁର ଆଂଚଳିକ ଧନୁଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପରେ ସନ୍ଧ୍ୟାରେ ସୋନପୁର ସର୍କିଟ୍‌ ହାଉସରେ ପହଞ୍ଚିଥିଲେ। ସକିର୍ଟ ହାଉସ୍‌ରେ ତାଙ୍କୁ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଅନୁଷ୍ଠାନ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ପରେ ସର୍କିଟ ହାଉସରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଜିଲ୍ଲାର ବିକାଶ ପ୍ରକ୍ରିୟା ନେଇ ରାଜ୍ୟପାଳ ଆଲୋଚନା କରିଥିଲେ।

ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। ସେହିପରି ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ରାଜ୍ୟପାଳ ଗୁରୁତ୍ବାରୋପ କରିବା ସହିତ ବାଳିକାମାନଙ୍କ ପାଇଁ ସୁବ୍ୟବସ୍ଥିତ ପାଇଖାନାକୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ। ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଓଡ଼ିଶାର ବହୁ ଲୋକ ବହୁ ଉଚ୍ଚ ପଦବିରେ ରହିଛନ୍ତି। ଓଡ଼ିଶା ଭାରତର ନେତୃତ୍ବ ନେଉଛି ଏବଂ ଆଗାମୀ ଦିନରେ ଭାରତ ବିଶ୍ବର ନେୃତ୍ବତ ନେବ। ସେହିପରି ଓଡ଼ିଶାର ସଂସ୍କୃତି ଏବଂ କଳାକୃତି ବହୁ ଶୀର୍ଷରେ ପହଞ୍ଚି ସାରିଛି ବୋଲି ରାଜ୍ୟପାଳ କହିଥିଲେ। ଏଥିରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଏସ୍‌ପି ଅମରେଶ ପଣ୍ତା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ ଭୋଇ ତଥା ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର