ସମ୍ବଲପୁର : ସମ୍ବଲପୁର ବୈଦିକ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ଅଧ୍ୟକ୍ଷ ଆନନ୍ଦ ଅଗ୍ରୱାଲଙ୍କୁ ସମ୍ମାନଜନକ ଆଣ୍ଡିଆନ୍ ଆଚିଭର୍ସ ଆୱାର୍ଡ ପ୍ରଦାନ କରାଯାଇଛି। ଆଜି ନୂଆଦିଲ୍ଲୀର ଏନ୍‌ଡିଏମ୍‌ସି କନ୍‌ଭେନ୍‌ସନ ସେଣ୍ଟରରେ ଆୟୋଜିତ ଏକ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଶ୍ରୀ ଅଗ୍ରୱାଲଙ୍କୁ ଏହି ପୁରସ୍କାର ଦିଆଯାଇଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ହାତରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି।

Advertisment

ପାୱାର କରିଡର୍‌ ମାଗାଜିନ୍ ପକ୍ଷରୁ ଆୟୋଜିତ ଏହି ସମାରୋହରେ କ୍ରୀଡ଼ା, ସାହିତ୍ୟ, ମନୋରଞ୍ଜନ, ପ୍ରତିରକ୍ଷା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି। ବୀରେନ୍ଦ୍ର ସେହୱାଗ, ବଚେନ୍ଦ୍ରୀ ପାଲ, କ୍ୟାପଟେନ୍ ବାନା ସିଂହ, ରାମଧାରୀ ସିଂହ ଦୀନକର (ମରଣୋତ୍ତର), ଜ୍ୟାକ୍‌ଲିନ୍ ଫାର୍ଣ୍ଣାଣ୍ଡିଜ୍, ହୁମା କ୍ୟୁରେସି, ରବି କିଷନ ପ୍ରମୁଖଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ପାଇଁ ଜଣେ ଭଲ ପ୍ରେରଣାଦାତା ଶ୍ରୀ ଅଗ୍ରୱାଲ ୨୦୦୮ରେ ଶିକ୍ଷାକ୍ଷେତ୍ରରେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ। ବର୍ତ୍ତମାନ ଓଡ଼ିଶା ଓ ଛତିଶଗଡ଼ରେ ଥିବା ତାଙ୍କ ଶିକ୍ଷାନୁଷ୍ଠାନଗୁଡ଼ିକରେ ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।