ଅନୁଗୁଳ: ଇଣ୍ଡିଆନ ବ୍ୟାଙ୍କରେ ସଶସ୍ତ୍ର ଡକାୟତି, ସୁନା ଅଳଙ୍କାର, ନଗଦ ଟଙ୍କା ଲୁଟ୍‌

ଅନୁଗୁଳ: ମାତ୍ର ୩ ମାସ ବ୍ୟବଧାନରେ ପୁଣି ଡକାୟତମାନେ ସମାନ ଢଙ୍ଗରେ ଆଉ ଏକ ବ୍ୟାଙ୍କକୁ ଲୁଟ୍‌ କରିଛନ୍ତି। ୩ ମାସ ତଳେ ଟାର୍ଗେଟ ଥିଲା ଆନ୍ଧ୍ରାବ୍ୟାଙ୍କ। ଏଥର ଡକାୟତମାନଙ୍କ ଟାର୍ଗେଟ ହୋଇଛି ଇଣ୍ଡିିଆନ ବ୍ୟାଙ୍କ। ଗତଥର ପ୍ରାୟ ୪୩ ଲକ୍ଷରୁ ଅଧିକ ଟଙ୍କା ଡକାୟତମାନେ ଲୁଟି ନେଇଥିଲେ ମଧ୍ୟ ପୁଲିସର ଅପାରଗ ପଣିଆ ଯୋଗୁଁ କେହି ଏ ପର୍ଯ୍ୟନ୍ତ ଧରାପଡ଼ି ନାହାଁନ୍ତି। ପୁଲିସର ଏହି ଅପାରଗପଣିଆ ଡକାୟତମାନଙ୍କୁ ପରୋକ୍ଷରେ ପ୍ରୋତ୍ସହିତ କରିଛି। ଫଳରେ ଆଜି ସକାଳେ ବ୍ୟାଙ୍କ ଖୋଲିବା ମାତ୍ରେ ସଶସ୍ତ୍ର ଡକାୟତମାନେ ବ୍ୟାଙ୍କରେ ପଶି ବ୍ୟାଙ୍କ୍‌ର ଷ୍ଟ୍ରଙ୍ଗ ରୁମ୍‌ରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି।


ଆଜି ସକାଳ ୧୦ ଟା ୫ ମିନିଟ ସମୟରେ ଅନୁଗୁଳ ସହରର ଅନୁଗୁଳ ଥାନା ଠାରୁ ମାତ୍ର ୪ ଶହ ମିଟର ଦୂରରେ ହରିମହୁରୀ ଛକରେ ଥିବା ଇଣ୍ଡିଆନ୍‌ ବ୍ୟାଙ୍କ ଖୋଲିଥିଲା। ବ୍ୟାଙ୍କ ମ୍ୟାନେଜର ବ୍ୟାଙ୍କ ଭିତରକୁ ପଶିବା ମାତ୍ରେ ୪/୫ ଜଣ ଡକାୟତ ହାତରେ ବନ୍ଧୁକ ଧରି ଭିତରେ ପଶିବା ସହିତ ମ୍ୟାନେଜରଙ୍କୁ ଷ୍ଟ୍ରଙ୍ଗ ରୁମ୍‌ ଖୋଲିବାକୁ ଧମକ ଦେଇଥିଲେ। ମାତ୍ର ବ୍ୟାଙ୍କ ମ୍ୟାନେଜର ସ୍ମୃତିରଞ୍ଜନ ଶତପଥୀ ଡକାୟତମାନଙ୍କ କଥା ନ ଶୁଣିବାରୁ ସେମାନେ ତାଙ୍କୁ ମାଡ଼ମାରିବା ସହିତ ଗୁଳି କରିଦେବେ ବୋଲି ଧମକ ଦେଇଥିଲେ। ପରେ ଭୟରେ ମ୍ୟାନେଜର ଶ୍ରୀ ଶତପଥୀ ଷ୍ଟ୍ରଙ୍ଗରୁମ୍‌ କବାଟ ଖୋଲି ଦେବାରୁ ଡକାୟତମାନେ ଏଥିରେ ଥିବା ଲକ୍ଷଲକ୍ଷ ଟଙ୍କାର ବନ୍ଧୁକ ସୁନା ଅଳଙ୍କାର ଓ ନଗଦ ଟଙ୍କା ଧରି ଫେରର ହୋଇ ଯାଇଛନ୍ତି। ଡକାୟତମାନେ ଗଲାପରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର