ଭରିଗଲା ଜୀବନ ପାତ୍ର ! ନିରବି ଗଲା ସୁନନ୍ଦାଙ୍କ ସ୍ୱର

ଓଡ଼ିଶାର ଶାସ୍ତ୍ରୀୟ ସଂଗୀତ ଜଗତରେ ଏକ ଯୁଗର ଅବସାନ

ଭୁବନେଶ୍ବର : ‘ଜୀବନ ପାତ୍ର ମୋ ଭରିଛ କେତେମତେ..’ କାଳଜୟୀ ସଂଗୀତର ପ୍ରଥିତଯଶା କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ ଆଉ ନାହାନ୍ତି। ତାଙ୍କ ପରଲୋକରେ ହିନ୍ଦୁସ୍ତାନୀ ରାଗ ରା‌ଗିଣୀର ଆଉ ଏକ ଉଚ୍ଚାଙ୍ଗ ସ୍ବର ସବୁଦିନ ପାଇଁ ନିରବି ଯାଇଛି। ଏଥି ସହିତ ଓଡ଼ିଶାର ଶାସ୍ତ୍ରୀୟ ସଂଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି। କୋଲକାତାର ସଲ୍‌ଟ ଲେକ୍‌ ଅଞ୍ଚଳସ୍ଥିତ ବାସଭବନରେ ରହି ଆସୁଥିବା ସୁନନ୍ଦା କିଛିଦିନ ହେଲା ବାର୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଦୁଇଦିନ ତଳେ ସେ ଘରେ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ତାଙ୍କର ଛାତ୍ରୀମାନେ ବାସଭବନରେ ପହଞ୍ଚି ଦ୍ବାର ବାଡ଼େଇଥିଲେ ମଧ୍ୟ ସୁନନ୍ଦା ନ ଶୁଣିବାରୁ ସେମାନଙ୍କ ମନରେ ସନ୍ଦେହ ଉପୁଜିଥିଲା। ତେଣୁ ତୁରନ୍ତ ଘର କବାଟ ଭାଙ୍ଗି ସୁନନ୍ଦାଙ୍କୁ ତାଙ୍କର ଶିଷ୍ୟାମାନେ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତି କରିଥିଲେ। ଶନିବାର ରାତି ପ୍ରାୟ ସାଢ଼େ ୨ଟା ସମୟରେ ତାଙ୍କର ପରଲୋକ ହୋଇଥିବା ଶିଷ୍ୟା ସୁପର୍ଣ୍ଣା ଦାସ ମହାପାତ୍ର କୋଲକାତାରୁ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସୁନନ୍ଦାଙ୍କ ମୃତ୍ୟୁ ଖବର ଓଡ଼ିଶାର ସଂଗୀତ ଓ କଳା ଜଗତରେ ଶୋକର ଛାୟା ଖେଳାଇ ଦେଇଛି।

ଗ୍ବାଲିୟର ଘରାନାର ଜଣେ ପ୍ରତିଷ୍ଠିତ ଶିଳ୍ପୀ ଭାବେ ପରିଚିତ ସୁନନ୍ଦା ଏକମାତ୍ର ଓଡ଼ିଆ ଭାବେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତରେ ଭାରତ ଓ ଭାରତ ବାହାରେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରି ଓଡ଼ିଆଙ୍କୁ ଗର୍ବିତ କରିଛନ୍ତି। ୧୯୩୪ ମସିହା ନଭେମ୍ବର ୭ ତାରିଖରେ ପୁରୀରେ ଜନ୍ମିତ ସୁନନ୍ଦା ହେଉଛନ୍ତି କିମ୍ବଦନ୍ତୀ ସବୁଜ କବି ବୈକୁଣ୍ଠନାଥ ପଟ୍ଟନାୟକ ଓ
ମାତା ଆଦରମଣି ପଟ୍ଟନାୟକଙ୍କ କନ୍ୟା। ତେବେ କଟକର ରାଣୀହାଟ ଗୋପାଳସାହି କଳାପୁରୀ ବାସଭବନରେ ପିତାମାତାଙ୍କ ସହ ତାଙ୍କର ବାଲ୍ୟଜୀବନ କଟିଥିଲା। କଟକ, ବଡ଼ମ୍ବା ଓ ପୁରୀରେ ଜୀବନର ବହୁ ବର୍ଷ ବିତାଇଥିବା ସୁନନ୍ଦା ଜୀବନର ଶେଷ ଚାରି ଦଶନ୍ଧି ସମୟ କୋଲକାତାରେ କଟାଇଥିଲେ। ବାପାଙ୍କର ରଚିତ ‘ଜୀବନ ପାତ୍ର ମୋ ଭରିଛ କେତେମତେ.., ‘ନିଶବଦ ଶରଦ ପ୍ରାତେ…,‘ଜୀବନ ବନ୍ଧୁ ଜୟ ଜୟ ହେ.., ‘ମୋତେ ଦେବ ବୋଲି ଏହି ଦୀକ୍ଷା..ରେ କଣ୍ଠଦାନ କରି ସେ ଗୀତଗୁଡ଼ିକୁ ଜନମାନସରେ ସର୍ବଦା ଉଜ୍ଜୀବୀତ ରଖିଛନ୍ତି।

୧୯୪୮ ମସିହାରେ ମାତ୍ର ୧୪ ବର୍ଷ ବୟସରେ ସେ ଗୀତ ଗାଇବା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ସେହି ସମୟରେ ପଣ୍ଡିତ ବିନାୟକ ରାଓ ପଟ୍ଟବର୍ଧନଙ୍କ ସଂଗୀତ ଶୁଣି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ପ୍ରେମରେ ପଡ଼ିଗଲେ। ରକ୍ଷଣଶୀଳ ସମାଜରେ ଯେତେବେଳେ ଜଣେ ଝିଅ ଗୀତ ଶିଖିବା ଉପରେ ଅନେକ ପ୍ରତିବନ୍ଧକ ଲଗାଯାଉଥିଲା; ସେତେବେଳେ ସେ ଗୀତ ଶିଖିବା ପାଇଁ ଅଳି କରିଥିଲେ। ସେଇ ସମୟରେ ସେ କହିଥିଲେ; ସଂଗୀତ ପାଇଁ ଯଦି ମତେ କୋଉ ବାଇ ଘରେ ଯାଇ ବାସନ ମାଜିବାକୁ ପଡ଼େ ତାହା ବି ମୁଁ କରିବାକୁ ପ୍ରସ୍ତୁତ ଅଛି। ସେଇ ନିଷ୍ଠା ହିଁ ତାଙ୍କୁ ପରବର୍ତୀ ସମୟରେ ପ୍ରସିଦ୍ଧି ଆଣିଦେ‌ଲା।

ବିଶେଷକରି ତରାନା ପାଇଁ ଖ୍ୟାତି ଅର୍ଜନ କରିଥିବା ସୁନନ୍ଦା ‘କଦାଚିତ୍‌ କାଳିନ୍ଦୀ.., ହେ ଦୁଃଖ ଭଞ୍ଜନ.., ମମ୍‌ତା ତୁ ନା ଗୟି…, ଭଜ ଗୋବିନ୍ଦମ.., ରାମ ଗୟା ବନବାସ.., ଜବ ତୁମ ନିନ୍ଦ ଜଗାୟି.., ସଖୀ ମେରି ମନ୍‌କି.. ଭଳି ଉଚ୍ଚାଙ୍ଗ ସଂଗୀତ ଗାଇ ଅଗଣିତ ଶ୍ରୋତାଙ୍କ ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କ ସ୍ବରର ଯାଦୁ ଦେଶ ଓ ଦେଶ ବାହାରେ ବି ଶ୍ରୋତାଙ୍କ ମନକୁ ପୁଲକିତ କରୁଥିଲା। ତେବେ ଶାସ୍ତ୍ରୀୟ ସଂଗୀତରେ ଓଡ଼ିଶାରେ ବିଶେଷ କିଛି କରି ହେବନାହିଁ ବୋଲି ହୃଦୟଙ୍ଗମ କରି ସେ ୧୯୮୩ରେ କୋଲକାତା ଚାଲି ଯାଇ ଶେଷ ପର୍ଯ୍ୟନ୍ତ ଏକାକୀ ରହୁଥିଲେ। ଟାଲିଗଞ୍ଜରେ ଏକ ସଂଗୀତାଳୟ ଖୋଲି ଶହ ଶହ ପିଲାଙ୍କୁ ସଂଗୀତ ଶିକ୍ଷା ଦେଉଥିଲେ। ସଂଗୀତ ସାଧନା ପାଇଁ ସେ ଓଡ଼ିଶା ସଂଗୀତ ନାଟକ ଏକାଡେମି, ଟାଗୋର ‌ଏକାଡେମି, ଉତ୍କଳ ରତ୍ନ ସମ୍ମାନ ସମେତ ବହୁ ପୁରସ୍କାରରେ ପୁରସ୍କୃତ ହୋଇଥିଲେ। ସଂଗୀତ ପ୍ରତି ତାଙ୍କର ଅଜସ୍ର ଭଲପାଇବା ଓ ନିଷ୍ଠାକୁ ନେଇ ଦିଲ୍ଲୀପ ପଟ୍ଟନାୟକଙ୍କ ଦ୍ବାରା ନିର୍ମିତ ହୋଇଥିବା ପ୍ରାମାଣିକ ଚିତ୍ର ‘ନୀଳମାଧବ’ ଶ୍ରେଷ୍ଠ ଜୀବନୀ ଭିତ୍ତିକ ପ୍ରାମାଣିକ ଚଳଚ୍ଚିତ୍ର ରୂପେ ୫୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା। ତାଙ୍କ ମରଶରୀର ନିକଟରେ ଭଉଣୀ ଚାରୁମତୀ ପଟ୍ଟନାୟକ, ସାନଭାଇ ସିଦ୍ଧାର୍ଥ ପଟ୍ଟନାୟକ, ବିଷ୍ଣୁଦେବ ମହାନ୍ତି ସମେତ ଅନ୍ୟ ପରିବାରବର୍ଗ ଉପସ୍ଥିତ ଥ‌ିଲେ। ନିମ୍‌ତାଲା ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲାବେଳେ ପୁତୁରା ସୁବ୍ରତ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର