ଭୁବନେଶ୍ୱର : ୨୦୧୫ ମସିହା ବେଳକୁ ଦେଶରେ ମାତ୍ର ୨.୮ ଗିଗାୱାଟ୍ ସୌରଶକ୍ତି ଉତ୍ପାଦନ ହୋଇ ପାରୁଥିଲା। କିନ୍ତୁ ୨୦୨୨ ମସିହା ସୁଦ୍ଧା ଭାରତ ୧୦୦ ଗିଗାୱାଟ୍ ସୌରଶକ୍ତି ଉତ୍ପାଦନ କ୍ଷମତା ହାସଲ କରିବ। ଫଳରେ ଶକ୍ତି ସଂକଟ ମୁକାବିଲା ଦିଗରେ ଓ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତ ଏକ ଶକ୍ତଶାଳୀ ରାଷ୍ଟ୍ରରେ ପରିଣତ ହୋଇସାରିଥିବ। ଆଜି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ(ସୋଆ) ପରିସରରେ ଇଣ୍ଡିଆନ୍ ଏନର୍ଜି କଂଗ୍ରେସ(ଆଇଇସି) ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସୋଲାର ପାୱାର କର୍ପୋରେସନ୍ ଅଫ୍ ଇଣ୍ଡିଆର ପରିଚାଳନା ନିର୍ଦେଶକ ଯତୀନ୍ଦ୍ର ନାଥ ସ୍ବାଇଁ ଏହି ସୂଚନା ଦେଇଛନ୍ତି।
ଶକ୍ତି ସଂକଟର ମୁକାବିଲା ପାଇଁ ଭାରତ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ମତ ରଖି ଶ୍ରୀ ସ୍ବାଇଁ କହିଲେ ଯେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟରେ ସୌରଶକ୍ତି ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଭଳି ରାଜ୍ୟରେ ଏଥିପାଇଁ ବହୁତ ସୁଯୋଗ ରହିଛି। ତେବେ ସୌରଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତ ପଛୁଆ ରହିଛି। ସେ ଆହୁରି କହିଲେ ଯେ ୧୮୩୯ ମସିହାରେ ଫଟୋଭୋଲ୍ଟାଇକ୍ ସେଲ୍ ଉଦ୍ଭାବନ ହୋଇଥିଲା ଓ ୧୯୫୮ରେ ଏହାର ବ୍ୟବହାର କରାଗଲା। ମାତ୍ର ୧୯୭୦ ମସିହା ପରେ ଅଶୋଧିତ ତୈଳଦର ଅହେତୁକ ଭାବେ ବୃଦ୍ଧି ପାଇବାରୁ ଓ ଶକ୍ତି ସଂକଟ ଉପୁଜିବାରୁ ଭାରତରେ ଏଭଳି ଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ଚିନ୍ତା କରାଗଲା। ଏହା ମଧ୍ୟରେ ୫୦ ବର୍ଷ ବିତି ସାରିଥିଲେ ବି ଆମେ ୧୦୦ ଗିଗାୱାଟ୍ ସୌରଶକ୍ତି ଉତ୍ପାଦନ କରି ପାରିନାହୁଁ। ଏହି ଅବସରରେ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ପରିଚାଳନା ନିର୍ଦେଶକ ବିଷ୍ଣୁପଦ ସେଠୀ କହିଲେ, ରାଜ୍ୟରେ ସୌରଶକ୍ତି ଉତ୍ପାଦନ ପାଇଁ ସରକାର ଗୁରୁତ୍ବର ସହ ବିଚାର କରି ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଏହି ପ୍ରକ୍ରିୟା ଜାରି ରହିଛି। ସମ୍ପ୍ରତି ବାୟୁମଣ୍ଡଳରେ କାର୍ବନ ପରିମାଣ ହ୍ରାସ କରିବା ଏକ ବଡ଼ ଆହ୍ବାନ ବୋଲି ସେ କହିଥିଲେ। ଆଇଇସିର ସଭାପତି ପ୍ରଭାକର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିପିୟୁଟିର କୁଳପତି ପ୍ରଫେସର ସି ଆର୍ ତ୍ରିପାଠୀ, ସୋଆର ଡିନ୍ ପ୍ରଫେସର ପି କେ ନନ୍ଦ, ଆଇଇସି ସମ୍ପାଦକ ପି କେ ପାଢ଼ୀ ପ୍ରମୁଖ ସୌରଶକ୍ତି ଉତ୍ପାଦନ ବୃଦ୍ଧି ଉପରେ ମତ ରଖିଥିଲେ। ଉଲ୍ଲେଖଯୋଗ୍ୟ ଯେ ଆଇଇସି, ସୋଆ ଓ ବ୍ରହ୍ମପୁର ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି(ନିଷ୍ଟ) ମିଳିତ ଆନୁକୂଲ୍ୟରେ ଏହି କର୍ମଶାଳା ଆୟୋଜନ କରାଯାଇଛି।