ବିଶ୍ୱର ସର୍ବାଧିକ ସୁଖୀ ମୁସଲମାନ୍‌ ଭାରତରେ : ମୋହନ ରାଓ ଭାଗବତ

ଭୁବନେଶ୍ୱର : ବିଶ୍ୱର ସର୍ବାଧିକ ସୁଖୀ ମୁସଲମାନ୍ ଭାରତରେ ଅଛନ୍ତି। କାରଣ ଏଠାରେ ବହୁ କାଳ ଧରି ସମସ୍ତେ ଏକତା ସୂତ୍ରରେ ମଣି ଭଳି ଗୁନ୍ଥା ହୋଇ ରହି ଆସିଛନ୍ତି। ସମସ୍ତେ ସମସ୍ତଙ୍କୁ ନିଜର କରି, ନିଜର ମାନି ରାଷ୍ଟ୍ରର ହିତ ପାଇଁ ହାତ ଧରାଧରି ହୋଇ ଚାଲିବା ହେଉଛି ଭାରତର ଆଦର୍ଶ। ସମସ୍ତେ ସମାନ ବୋଲି ଭାରତ ହିଁ ବିଶ୍ୱକୁ ପ୍ରାଚୀନ କାଳରୁ ଶିକ୍ଷା ଦେଇ ଆସିଛି। ଅନ୍ୟକୁ ଜିତିବା ନୁହେଁ, ବରଂ ଅନ୍ୟକୁ ସତ୍ ଶିକ୍ଷା ଦେବା ହେଉଛି ଭାରତବର୍ଷର ଆଦର୍ଶ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୂଳଭିତ୍ତି ଏହି ଆଦର୍ଶ ଉପରେ ଠିଆ ହୋଇଛି। ଶନିବାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଆରମ୍ଭ ହୋଇଥିବା ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ସ୍ବତନ୍ତ୍ର କାର୍ଯ୍ୟକ୍ରମ ବିଶିଷ୍ଟ ନାଗରିକ ସମ୍ମିଳନୀରେ ଆର୍‌ଏସ୍‌ଏସ୍‌ର ମୁଖ୍ୟ ମୋହନ ରାଓ ଭାଗବତ ଏହା କହିଛନ୍ତି।

ପ୍ରାରମ୍ଭରେ ଏହି ବିଶିଷ୍ଟ ନାଗରିକ ସମ୍ମିଳନୀର ଉଦ୍ଦେଶ୍ୟ ଉପରେ ଶ୍ରୀ ଭାଗବତ କହିଲେ ଯେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘକୁ ବୁଝିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଛି। ଏହି ସଂଗଠନକୁ ବୁଝିବା ବଡ଼ କଥା। ଏହାକୁ ନିହାତି ପାଖରୁ ନ ଦେଖିଲେ ବୁଝିବା କଠିନ ବୋଲି ସେ କହିଥିଲେ। ଏହି ସଂଘ ଏକ ନିଆରା ସଂଗଠନ ବୋଲି ଅଭିହିତ କରି ସେ କହିଲେ ଯେ ସମ୍ପୂର୍ଣ୍ଣ ସମାଜକୁ ସଂଗଠିତ କରିବା ଓ ସମାଜରେ ଶ୍ରେଷ୍ଠ ମଣିଷ ଗଢ଼ିବା ହେଉଛି ଆର୍‌ଏସ୍‌ଏସ୍‌ର କାର୍ଯ୍ୟ। କାରଣ ସମାଜ ସବୁବେଳେ ଶ୍ରେଷ୍ଠ ବ୍ୟକ୍ତିତ୍ବ ପଛରେ ଯାଇଥାଏ। ସମାଜ ପାଇଁ ନାୟକର ନିର୍ମାଣ ଜରୁରୀ ହୋଇଥିବାରୁ ଆର୍‌ଏସ୍‌ଏସ୍‌ ଏହି କାର୍ଯ୍ୟ କରି ଆସୁଛି। ତେଣୁ ଏହି ସଂଗଠନରେ ବଂଶାନୁବାଦ ନଥାଏ ଓ ଏଥିପାଇଁ ଏହି ସଂଗଠନ ସହିତ ଅନ୍ୟ କୌଣସି ସଂଗଠନ ତୁଳନୀୟ ନୁହେଁ।

ଭାରତର ପ୍ରାଚୀନ ସଂସ୍କୃତି ଉପରେ ବକ୍ତବ୍ୟ ରଖି ସେ କହିଲେ ସେ ହିନ୍ଦୁ ହେଉଛି ଏକ ସଂସ୍କୃତି। ଏହା ଜାତି ଓ ଧର୍ମର ଊର୍ଦ୍ଧ୍ବରେ। ଏହି ସଂସ୍କୃତି ତ୍ୟାଗ ଉପରେ ଆଧାରିତ। ସେଥିପାଇଁ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଧନୀକ ଗୋଷ୍ଠୀକୁ ଅଗ୍ରାଧିକାର ଦିଆଯାଉଥିବା ବେଳେ ଭାରତରେ ତ୍ୟାଗକୁ ପୂଜା କରାଯାଇଥାଏ। ରାମକୃଷ୍ଣ ପରମହଂସଙ୍କ ଉଦାହରଣ ଦେଇ ସେ କହିଲେ ପରମଶାସ୍ତ୍ର ଗୀତା ଆମକୁ ତ୍ୟାଗର ଶିକ୍ଷା ଦେଇଛି। ତେଣୁ ହଜାର ହଜାର ବର୍ଷ ପୂର୍ବରୁ ଭାରତ ବିଶ୍ବର ଅନ୍ୟ ପ୍ରାନ୍ତରୁ ଲୋକଙ୍କୁ ଆକର୍ଷିତ କରି ଆସିଛି। ସତ୍ୟର ଅନୁସନ୍ଧାନ ପାଇଁ ମଣିଷ ଭାରତକୁ ହିଁ ଧାଇଁ ଆସିଛି। ବିବିଧତାରେ ଏକତା ପାଇଁ ଭାରତ ପ୍ରସିଦ୍ଧ। ବିବିଧତାକୁ ବାନ୍ଧି ରଖିଥିବା ବନ୍ଧନ ପ୍ରାକୃତିକ। କୃତ୍ରିମ ନୁହେଁ। ଅତ୍ୟାଚାର ସତ୍ତ୍ବେ ଆମ ମନରେ କାହା ପ୍ରତି ଦ୍ବେଷ ନାହିଁ ବୋଲି ସେ କହିଥିଲେ। ଆର୍‌ଏସ୍‌ଏସ୍ ପ୍ରତି ଲୋକଙ୍କ ମନରେ ରହିଥିବା ଭାବନାକୁ ଖଣ୍ଡନ କରିବାକୁ ସେ ପରୋକ୍ଷରେ ଏହି ଇଙ୍ଗିତ ‌ଦେଇଥିଲେ। ସେହିଭଳି ଦେଶରେ ବୃଦ୍ଧି ପାଉଥିବା ଆତଙ୍କବାଦ କାର୍ଯ୍ୟକଳ‌ାପ ଆଡକୁ ଅଙ୍ଗୁଳି ନିର୍ଦେଶ କରି ସେ କହିଲେ ଯେ ପୂର୍ବରୁ ଭାରତ ସବୁ ଦିଗରୁ ସୁରକ୍ଷିତ ଥିଲା। ସେହିଭଳି ଧର୍ମାନ୍ତରୀକରଣକୁ ପରୋକ୍ଷ ସମାଲୋଚନା କରି ସେ କହିଥିଲେ ଯେ ପୂର୍ବରୁ ମଣି ଭଳି ସମସ୍ତେ ଏକତା ସୂତ୍ରରେ ବନ୍ଧା ଥିଲେ। କେହି କାହାକୁ ବଦଳାଇବାକୁ ମନ କରୁନଥିଲେ। ତେଣୁ ବିବିଧତାରେ ଏକତା ବଳବତ୍ତର ଥିଲା। ତେବେ ଆର୍‌ଏସ୍‌ଏସ୍‌ ସମସ୍ତଙ୍କୁ ସାଥିରେ ନେଇ ରାଷ୍ଟ୍ରର ଗୌରବ ବୃଦ୍ଧି ପାଇଁ ଅହରହ ଉଦ୍ୟମ ଜାରି ରଖିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମହାନଗର ସଂଘ ଚାଳକ ବସନ୍ତ କୁମାର ପତି, ପ୍ରାନ୍ତ ସଂଘ ଚାଳକ ସମୀର ମହାନ୍ତି ଓ ପୁରୀ ସଂଘ ଚାଳକ ବୈକୁଣ୍ଠନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ୨୦ ତାରିଖରେ ଉଦ୍‌ଯାପିତ ହେବ ଓ ୧୬, ୧୭, ୧୮ ତାରିଖରେ ବିଶିଷ୍ଟ ବୈଠକ ଆୟୋଜନ କରାଯାଇଛି।

ସମ୍ବନ୍ଧିତ ଖବର