କଟକ: ଦେଶରେ ଉଚ୍ଚ ଗୁଣଯୁକ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ପ୍ରତିଷ୍ଠା ଦିଗରେ ଏବେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ଏହା ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଭାରତୀୟ ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ କୋଭିଡ୍ ମହାମାରୀ ପରେ ଦେଶରେ ଗବେଷଣା କ୍ଷେତ୍ରରେ ଏକପ୍ରକାର ବିପ୍ଳବ ଆସିଛି। ଭାରତୀୟ ଜାତୀୟ ଶିକ୍ଷାନୀତି ଗୁଣଯୁକ୍ତ ଶିକ୍ଷାର ଆଧାର ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପୂର୍ବତନ ଆଞ୍ଚଳିକ ପରାମର୍ଶଦାତା ତଥା ତାମିଲନାଡୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ। ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସଂଜୟ କୁମାର ନାୟକଙ୍କ ପୌରୋହିତ୍ୟରେ ହେରିଟେଜ୍ ହଲ୍ରେ ଆୟୋଜିତ ୧୮ତମ ସ୍ମାରକୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଫେସର ଦାଶ ‘ଜାତୀୟ ଶିକ୍ଷାନୀତି ୨୦୨୦ ଓ ଗବେଷଣା’ ଶୀର୍ଷକ ବକ୍ତୃତା ପ୍ରଦାନ କରିଥିଲେ। ବର୍ତ୍ତମାନ ସମୟରେ ଏହି ଶିକ୍ଷାନୀତିର ବାସ୍ତବ ଉପଯୋଗିତା ସଂପର୍କିତ ବିଭିନ୍ନ ଦିଗ ଉପରେ ପ୍ରଫେସର ଦାଶ ଆଲୋକପାତ କରିବା ସହିତ ଜାତୀୟ ଶିକ୍ଷାନୀତି ଗବେଷଣାମୂଳକ ଶିକ୍ଷାଦାନକୁ କିଭଳି ଗୁରୁତ୍ବ ଓ ପ୍ରୋତ୍ସାହିତ କରୁଛି, ସେ ସଂପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ।
ଉତ୍ସବରେ କୁଳପତି ଶ୍ରୀ ନାୟକ ସ୍ବାଗତ ଭାଷଣ ଦେବା ସହ ରେଭେନ୍ସାର ଇତିହାସ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସାରଳା ମହାଭାରତ (ଆଦି ପର୍ବ)ର ଡିଜିଟାଲ୍ ସଂସ୍କରଣକୁ ଉନ୍ମୋଚନ କରାଯାଇଥିଲା। ଭିତରକନିକାରେ ଥିବା ହେନ୍ତାଳ ବଣରୁ ମଧୁମେହ ରୋଗ ନିରାକରଣ ପାଇଁ ପ୍ରସ୍ତୁତ ହୋଇଥିବା ପେଟେଣ୍ଟକୁ ପୁଣେର ଏକ କମ୍ପାନି କିଣିବା ନେଇ ଚୁକ୍ତି ସ୍ବାକ୍ଷର ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ବିଶ୍ବବିଦ୍ୟାଳୟର ୧୨ରୁ ଅଧିକ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶନ ପାଇଁ ସମ୍ମାନିତ କରାଯାଇଥିଲା। ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଡକ୍ଟର ଲୁନା ସାମନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଇକ୍ୟୁଇଏସିର ନିର୍ଦ୍ଦେଶକ ପ୍ରଫେସର ପ୍ରଦୀପ୍ତ ମହାପାତ୍ର ରେଭେନ୍ସା ବିଶ୍ବବିଦ୍ୟାଳୟର ଗବେଷଣା ଏବଂ ପ୍ରକାଶନ ଉପରେ ସୂଚନା ଦେଇଥିଲେ। ବିଶ୍ବବିଦ୍ୟାଳୟର କୁଳସଚିବ କାହ୍ନୁଚରଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/16/v127Oj1AX50suyleYFym.jpg)