ଲକ୍ଷ୍ମୀପୁର: ଦେଶ ଆଜି ୭୭ତମ ସ୍ୱାଧୀନତା ଦିବସ ପାଳନ କରିଛି। ଏହି ଉପଲକ୍ଷେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ଲକ୍ଷ୍ମୀପୁର ଆଇସିଡିଏସ କାର୍ଯ୍ୟାଳୟରେ ଉତ୍ତୋଳନ କରାଯାଇଥିବା ତ୍ରିରଙ୍ଗା ସହ ଖୁଣ୍ଟ ଦିନ ୧୨ଟା ସମୟରେ ଉଭାନ ହୋଇଯାଇଥିଲା। ତ୍ରିରଙ୍ଗା ଓ ଲୁହା ପାଇପ ଖୁଣ୍ଟକୁ ବି ଦୁର୍ବୃତ୍ତ ଛାଡ଼ି ନଥିଲେ। ଏହି ଅପ୍ରୀତିକର ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Advertisment

ସୂଚନା ଅନୁସାରେ ଆଜି ସକାଳୁ ସିଡିପିଓ ପାର୍ବତୀ ଆଚାର୍ଯ୍ୟ ଜାତୀୟ ପତାକା ଉତ୍ତଳୋନ କରିବା ପରେ କାର୍ଯ୍ୟାଳୟରେ ତାଲା ପକାଇ ଚାଲି ଯାଇଥିଲେ। ଏପରିକି କର୍ମଚାରୀ ମଧ୍ୟ କାର୍ଯ୍ୟାଳୟରେ କେହି ନଥିଲେ। ଦିନ ୧୨ଟା ବେଳକୁ କାର୍ଯ୍ୟାଳୟର କର୍ମଚାରୀ ଆସି ଦେଖିବା ବେଳକୁ ପତାକା ଓ ଖୁଣ୍ଟ ନଥିବା ଦେଖିବାକୁ ପାଇଥିଲେ। ଘଣ୍ଟାଏ ପରେ ତରବରିଆ ଭାବେ ଏକ ବାଉଁଶ ଖୁଣ୍ଟ ଆଣି ପୁଣି ପତାକା ଲଗାଇ ଚାଲି ଯାଇଥିଲେ। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସିଡିପିଓ। ପୁଲିସ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି।