ଉର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ବଡ଼ ପଦକ୍ଷେପ : ଧର୍ମେନ୍ଦ୍ର

ଫରିଦାବାଦରେ ଇଣ୍ଡିଆନ ଅଏଲର ଦ୍ୱିତୀୟ ଆର୍ ଆଣ୍ଡ୍ ଡି କ୍ୟାମ୍ପସର ଶିଳାନ୍ୟାସ

ଭୁବନେଶ୍ୱର : ଫରିଦାବାଦରେ ଇଣ୍ଡିଆନ ଅଏଲ୍‌ ଟେକ୍ନୋଲୋଜି ଡେଭଲପ୍‌ମେଣ୍ଟ୍‌ ଆଣ୍ଡ୍ ଡିପ୍ଲୋଏମେଟ୍ ସେଂଟରର ଦ୍ୱିତୀୟ ଆର୍ ଏବଂ ଡି କ୍ୟାମ୍ପସ୍‌ର ଆଜି ଶିଳାନ୍ୟାସ କରାଯାଇଛି। ନୂଆଦିଲ୍ଲୀରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହରିଆନା ମୁଖ୍ୟମନ୍ତ୍ରୀ ମୋନହର ଲାଲ୍ ଖଟ୍ଟରଙ୍କ ସହ ଏହାର ଶିଳାନ୍ୟାସ କରିଥିଲେ। ଏହି କେନ୍ଦ୍ର ଆଗାମୀ ଦିନରେ ସ୍ୱଚ୍ଛ, ବିକଳ୍ପ ଓ ସ୍ୱଦେଶୀ ଉର୍ଜା ସମାଧାନର ମାର୍ଗ ଖୋଜିବାର ଲାବରୋଟୋରି ହେବ। ଉର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏହା ବଡ଼ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଇଣ୍ଡିଆନ ଅଏଲର ଆର୍ ଆଣ୍ଡ୍ ଡି ସେଣ୍ଟର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତରେ ଯୋଗଦାନ ଦେଉଛି । ଆର ଆଣ୍ଡ ଡି ସେଣ୍ଟର୍‌ ଆତ୍ମନିର୍ଭର ଭାରତର ଚାବିକାଠି। କୃଷି ବର୍ଜ୍ୟ ବସ୍ତୁରୁ ବିକଳ୍ପ ଇନ୍ଧନ ପ୍ରସ୍ତୁତ କରିବାରେ ହରିଆନା ବଡ଼ ଭୂମିକା ନେବ। ମୁଖ୍ୟମନ୍ତ୍ରୀ ଶ୍ରୀ ଖଟ୍ଟରଙ୍କ ନେତୃତ୍ୱରେ ସାମାଜିକ, ଅର୍ଥନୈତିକ ଓ ବିକାଶ ମାନଚିତ୍ରରେ ହରିଆନା ଅତୁଳନୀୟ ପ୍ରଦର୍ଶନ କରିଛି। ରାଜ୍ୟରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସର କାର୍ଯ୍ୟ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦିଆଯାଉଥିବାରୁ ଓ ହରିଆନା ପରି ରାଜ୍ୟ କିରାସିନି ମୁକ୍ତ ହୋଇଥିବାରୁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ।

ବୈଶ୍ୱିକ ମାହମାରୀ କରୋନା ଭଳି ସଙ୍କଟ ସମୟରେ ଭାରତ ୧୫୦ଟି ଦେଶକୁ ହାଇଡ୍ରୋକ୍ଲୋରୋକୁଇନ ଔଷଧ ପଠାଇ ବଡ଼ ଭୂମିକା ଗ୍ରହଣ କରିଛି। ଦେଶରେ ପେଟ୍ରୋକେମିକାଲ୍‌ର ଆବଶ୍ୟକତା ବୃଦ୍ଧି ପାଉଛି ଏବଂ ପେଟ୍ରୋଲିୟମ ଉତ୍ପାଦ କ୍ଷେତ୍ରରେ ଆମଦାନୀ ହ୍ରାସ କରିବାକୁ ଯୋଜନା କରାଯାଉଛି। ତେଣୁ ଭାରତକୁ ପେଟ୍ରୋକେମିକାଲ୍ ପେଣ୍ଠ ସ୍ଥଳୀରେ ପରିଣତ କରିବା ପାଇଁ ଶିଳ୍ପସଂସ୍ଥା ଗୁଡ଼ିକୁ ଶ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ। ଏହା ସହ ବର୍ଜ୍ୟରୁ ଉର୍ଜା ପ୍ରସ୍ତୁତ କରିବା ପାଇଁ ଗୋଷ୍ଠୀ ଆଧାରିତ ମଡେଲ୍ ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।

ସମ୍ବନ୍ଧିତ ଖବର