ପୁଜାରୀପୁଟ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ କର୍ମଚାରୀ ମରୁଡ଼ି, ଗ୍ରାହକ ହନ୍ତସନ୍ତ

ଜୟପୁର: ଜୟପୁର ବ୍ଲକ ଅର୍ନ୍ତଗତ ଜୟନ୍ତଗିରୀ ଠାରେ ଥିବା ପୂଜାରୀପୁଟ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ କର୍ମଚାରୀ ମରୁଡ଼ି ଦେଖାଦେଇଛି। ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି। ପେନସେନ୍ ଟଙ୍କା ଉଠାଣ, ମହିଳା ସ୍ବୟଂ ସହାୟକ ଦଳ ଗୁଡ଼ିକର ଜମା ଓ ନୂଆ ଋଣ ‌ନେବା ସହ ବିଭିନ୍ନ ବର୍ଗର ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏହି ବ୍ୟାଙ୍କ ଉପରେ ଜୟପୁର ବ୍ଲକର ଜୟନ୍ତଗିରୀ, ପୂଜାରୀପୁଟ, ରାଣୀଗଡ଼,କେବିଡି, ଆମ୍ବାଗୁଡା, କୁମୁଲିପୁଟ, ଜାମୁଣ୍ଡା, କୁସୁମି, ଓ ବୋରିଗୁମ୍ମା ବ୍ଲକର ବୋରିଗୁମ୍ମା, ରଣସପୁର, ବିସିଂପୁର ପଂଚାୟତର ଲୋକେ ନିର୍ଭର। ତେବେ ଗତ ୮ମାସ ହେବ ବ୍ୟାଙ୍କରେ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।

ବ୍ୟାଙ୍କ ପକ୍ଷରୁ ପ୍ରଥମେ ବିଜେନସ୍ କଲେକ୍ସନ୍ ସେଣ୍ଟରକୁ ଉଠାଇ ଦିଆଯାଇଥିଲା। ସଂପ୍ରତି ବୈପାରୀଗୁଡା ବ୍ୟାଙ୍କରେ ବ୍ୟାଙ୍କ କର୍ମଚାରୀଙ୍କ ଟଙ୍କା ଘୋଟଲା ପରେ ଏଠାରେ ଥିବା ଜଣେ ଫିଲ୍ଡ ଅଧିକାରୀଙ୍କୁ ସେଠାକୁ ସ୍ଥାନାନ୍ତର କରାଯାଇଛି। ତେବେ ବ୍ୟାଙ୍କରେ ମାତ୍ର ଜଣେ ଶାଖା ପରିଚାଳକ ଓ ଜଣେ କ୍ୟାସିୟାରଙ୍କ ଜରିଆରେ ଏତେ ବଡ଼ ବ୍ୟାଙ୍କର ଶହ ଶହ ଗ୍ରାହକଙ୍କ ସେବା ଯୋଗାଇବାରେ ବିଳମ୍ବ ହେଉଛି। ଗତ କିଛି ଦିନ ହେବ ଜଗନ୍ନାଥ ଏସଏଚଜି, କନକ ଦୁର୍ଗା ଏସଏଚଜି, ଗଜଲକ୍ଷ୍ମୀ ଏସଏଚଜି ବ୍ୟାଙ୍କକୁ ଋଣ ପାଇଁ ଦଉଡି ଦଉଡ଼ି ନୟାନ୍ତ ହୋଇ ପଡ଼ିଲେଣି। ସେଭଳି ପଦ୍ମାବତୀ ପାତ୍ର, ଗଙ୍ଗାଦେବୀ ସାହୁ, ନିରୁପମା ସାହୁ, ବିମଳା ପରଜା, ଡମୁ ପରଜା, ଜଗନ୍ନାଥ ଅମନାତ୍ୟ, ପଦ୍ମନ ଅମନାତ୍ୟ, ସୁକ୍ରି ହରିଜନ ପ୍ରମୁଖ ବ୍ୟାଙ୍କକୁ ଟଙ୍କା ଉଠାଣ ପାଇଁ ସକାଳୁ ଗଲେ ସଂଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରି ରହିବାକୁ ପଢ଼ୁଥିବା କହିଛନ୍ତି।

ଅଳ୍ପ କିଛି ଦିନ ତଳେ ବୈପାରୀଗୁଡା ଆଇଓବିରେ ହୋଇଥିବା ଘୋଟଲା ପରେ ଗ୍ରାହକ ମାନେ ଆଇଓବି ପ୍ରତି ସଂଦେହ ଚକ୍ଷୁରେ ଦେଖୁଛନ୍ତି। ତେଣୁ ଖାତା ଅପଟୁଡେଟ୍ ପାଇଁ ଆସୁଥିଲେ ହେଁ କର୍ମଚାରୀ ଅଭାବରୁ ଏହା ମଧ୍ୟ ହୋଇ ପାରୁନାହିଁ।  ତୁରନ୍ତ  ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଗ୍ରାହକ ମାନଙ୍କ ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର