କଟକ : କଟକ ଜିଲ୍ଲାର ଆଠଗଡ ବନବିଭାଗ ସୁବାସୀ ସଂରକ୍ଷିତ ଜଙ୍ଗଲରୁ ୩ଜଣ ବଜ୍ରକାପ୍ତା ଶିକାରୀଙ୍କୁ ଦୁଇ ଦିନ ତଳେ ଗିରଫ କରିଛି। ଗିରଫ ଶିକାରୀମାନେ ଜେରା ସମୟରେ ବନବିଭାଗକୁ ଚକିତ କଲା ଭଳି ତଥ୍ୟ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନେ ପାଖାପାଖି ୫/୬ଟି ବଜ୍ରକାପ୍ତା ମାରି ଢେଙ୍କାନାଳ ମାଫିଆଙ୍କୁ ଦେଇଥିବା ବନବିଭାଗ ଅଧିକାରୀଙ୍କୁ କହିଛନ୍ତି।
ସୂଚନା ଅନୁସାରେ, ସେମାନେ ମାତ୍ର ୩/୪ହଜାର ଟଙ୍କାରେ ବଜ୍ରକାପ୍ତା ଶିକାର କରି ସ୍ଥାନୀୟ ଅଞ୍ଚଳରେ ଥିବା ଦଲାଲଙ୍କୁ ଦେଇଥାନ୍ତି। ଉକ୍ତ ଦଲାଲ ମାଧ୍ୟମରେ ବଜ୍ରକାପ୍ତା ଢେଙ୍କାନାଳରେ ଥିବା ମାଫିଆଙ୍କ ପାଖରେ ପହଞ୍ଚା ଯାଇଥାଏ। ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଂଚଳରେ ରହୁଥିବା ଅଧିବାସୀଙ୍କୁ ହାତ କରି ମାଫିଆମାନେ ଗଲା ୫ବର୍ଷରୁ ଅଧିକ ହେଲା ଆଠଗଡ ବନଖଣ୍ଡ ଅଞ୍ଚଳରେ ଏଭଳି କାରବାର ଚଳାଇଛନ୍ତି। ଏହି ବଜ୍ରକାପ୍ତା ଚାଲାଣ ରାକେଟ୍ ବିଦେଶକୁ ଲମ୍ବିଥିବାବେଳେ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଆଠଗଡରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏସ୍ଟିଏଫ୍ ମଧ୍ୟ ଘଟଣାର ତଦନ୍ତ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ବିଦେଶୀ ଲିଙ୍କର କୌଣସି ଖୋଳତାଡ ହୋଇପାରିନି କି ସରକାର ମଧ୍ୟ ଏ ଦିଗରେ ଆଗ୍ରହ ଦେଖାଉନଥିବା ଜଣାପଡିଛି। କିଛି ଦିନ ତଳେ ସମ୍ବଲପୁରରେ ମଧ୍ୟ ବଜ୍ରକାପ୍ତା ଚୋରା ଚାଲାଣ ଘଟଣା ସାମନାକୁ ଆସିଥିଲା। ରାଜ୍ୟ ସରକାର ଓ ଜଙ୍ଗଲ ବିଭାଗ ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତାର ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ବଜ୍ରକାପ୍ତା ବଂଶ ହୁଏତ ଓଡିଶାରୁ ଲୋପ ପାଇଯିବ ବୋଲି ଆଶଙ୍କା କରାଯାଉଛି।
ଦୁଇ ଦିନ ତଳେ ଗିରଫ ହୋଇଥିବା ବାଗୁନ ଲାଗୁରି, ମଙ୍ଗଲ ଦିଗି ଓ ଲାଲମୋହନ ଚାତାରଙ୍କ ନିକଟରୁ ଗୁଳିଭର୍ତ୍ତି ଦୁଇଟି ଦେଶୀ ବନ୍ଧୁକ ସହ ୧୯ଟି ବଜ୍ରକାପ୍ତା କାତି ଜବତ କରାଯାଇଥିଲା। ଜେରା ସମୟରେ ସେମାନେ ଢେଙ୍କାନାଳର ଏକ ମାଫିଆଙ୍କ ପାଇଁ କାମ କରନ୍ତି ଓ ସ୍ଥାନୀୟ ଅଞ୍ଚଳର ୫ରୁ ୧୦ ଜଣ ବ୍ୟକ୍ତି ଏହି ରାକେଟ୍ରେ ସକ୍ରିୟ ଥିବା କହିଥିଲେ। ତେବେ ଗିରଫ ତିନି ଶିକାରୀଙ୍କ ଠାରୁ ତଥ୍ୟ ମିଳିବା ପରେ ଆଠଗଡ ବନଖଣ୍ଡ ଅଧିକାରୀ ଡିଏଫ୍ଓ ସସ୍ମିତା ଲେଙ୍କା ଢେଙ୍କାନାଳ ଡିଏଫ୍ଓଙ୍କ ସହିତ କଥା ହୋଇଥିବା ଜଣାପଡିଛି। ଏହି ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍ ଅଧା ଓଡିଶାକୁ ବ୍ୟାପି ସାରିଲାଣି। କିନ୍ତୁ ସବୁ ବନବିଭାଗ ଯେଉଁଭଳି ଚାଲାଣକୁ ରୋକିବା ପାଇଁ ଯେଉଁଭଳି ପଦକ୍ଷେପ ନେବା କଥା ତାହା ଆଜି ପର୍ଯ୍ୟନ୍ତ ନିଆଯାଇ ପାରୁ ନଥିବା ଅଭିଯୋଗ ହେଉଛି।