ବଜ୍ରକାପ୍ତା ଚୋରା ଚାଲାଣ : ଏକାଠି ତନାଘନା କଲେଣି ତିନି ସଂସ୍ଥା

ମାଧବ ସମେତ ଶ୍ୱଶୁର-ଜ୍ୱାଇଁଙ୍କୁ ମୁହାଁମୁହିଁ ବସାଇ ଜେରା ହେବ
୭ ଦିନିଆ ରିମାଣ୍ଡ ଆବେଦନ କରାଗଲା, ପୁଣି ୨ ଅଟକ
ମିଆଁମାର ସରକାରଙ୍କ ରିପୋର୍ଟକୁ ଅପେକ୍ଷା କରିଛି ଏସ୍‌ଟିଏଫ୍

ଭୁବନେଶ୍ବର/କଟକ : ଅତି ସମ୍ବେଦନଶୀଳ ପ୍ରାଣୀ ବଜ୍ରକାପ୍ତା ସୁରକ୍ଷା ପ୍ରସଙ୍ଗରେ କ୍ରାଇମବାଞ୍ଚ ଏସ୍‌ଟିଏଫ୍ ଅପରେସନ୍ ଆରମ୍ଭ କରିଛି। ଜଣେ ଡିଏସ୍‌ପିଙ୍କ ଅଧୀନରେ ଏକ ଟିମ୍ ଗଠନ ହୋଇଛି ଓ ଆସନ୍ତା ତିନି ଚାରିଦିନ ମଧ୍ୟରେ ଏହି ଟିମ୍ ଯାଇ ଆଠଗଡ଼ରେ ଅପରେସନ୍ ପାଙ୍ଗୋଲିନ୍ ସଂପର୍କରେ ବିଧିବଦ୍ଧ ତଦନ୍ତ ଆରମ୍ଭ କରିବେ। ଏସ୍‌ଟିଏଫ୍‌ର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅପରେସନ୍ ବଜ୍ରକାପ୍ତାରେ ସଂପୃକ୍ତ ଶ୍ବଶୁର-ଜ୍ବାଇଁ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ମାଧବ ପାତ୍ରକୁ ଆଜି କୋର୍ଟ ଚାଲାଣ କରାଯାଇଛି। ମାଧବ ଭୁବନେଶ୍ବର ଉପକଣ୍ଠ ଗୋଡ଼ିବାଡ଼ି ଅଞ୍ଚଳରେ ଶ୍ବଶୁର-ଜ୍ବାଇଁ ଧ୍ରୁବଚରଣ ଓ ବିଭୂତିଙ୍କ ମାଧ୍ୟମରେ ବଜ୍ରକାପ୍ତା ଚାଲାଣ କରୁଥିଲା। ଯେହେତୁ ବଜ୍ରକାପ୍ତା ଅନଲାଇନ୍ ବେପାରର ମୁଖ୍ୟ କାର୍ପଟଦାର ମାଧବ ହିଁ ଥିଲା, ଏଣୁ ତା ସହିତ ଉଭୟ ଶ୍ବଶୁର ଓ ଜ୍ବାଇଁଙ୍କୁ ମୁହାଁମୁହିଁ ଜେରା କରାଯିବ। ଏଥିପାଇଁ ତିନିଜଣଙ୍କୁ ସାତଦିନ ପାଇଁ ରିମାଣ୍ଡରେ ଆଣିବା ଲାଗି କୋର୍ଟଙ୍କୁ ନିବେଦନ କରାଯାଇଥିବା ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କା କହିଛନ୍ତି।

କେବଳ ସେତିକି ନୁହେଁ, ଆଠଗଡ଼ରେ ବଜ୍ରକାପ୍ତା କାରବାର କରୁଥିବା ଢେଙ୍କାନାଳ ଜିଲ୍ଲାର ଆଉ ଦୁଇ ଜଣ ମାଫିଆଙ୍କୁ ବନ ବିଭାଗ ଅଧିକାରୀମାନେ ଅଟକ ରଖି ପଚରାଉଚରା ଆରମ୍ଭ କରିଛନ୍ତି। ଏମାନେ ଆଠଗଡ଼ ଅଞ୍ଚଳରୁ ଦୁଇଟି ବଜ୍ରକାପ୍ତା ନେଇ ଚାଲାଣ କରିଥିବା ଗିରଫ ମାଫିଆମାନେ ସୂଚନା ଦେବା ପରିପ୍ରେକ୍ଷୀରେ ସେମାନଙ୍କୁ ବନ ବିଭାଗ ଉଠାଇ ଆଣିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏଥିସହିତ ଆଠଗଡ଼ ଜଙ୍ଗଲରେ ବଜ୍ରକାପ୍ତା କାରବାରରେ ସଂପୃକ୍ତ ଶ୍ବଶୁର-ଜ୍ବାଇଁ ଗ୍ୟାଙ୍ଗର ୧୦ଜଣଙ୍କୁ ଏବେ ସୁଦ୍ଧା ବନ ବିଭାଗ ଧରିବାରେ ସକ୍ଷମ ହୋଇଛି। ଜଙ୍ଗଲ ନିକଟରେ ଏକ ଦୋକାନ ଘର ଖୋଲି ଶ୍ବଶୁର ଧ୍ରୁବ ଏହି କାରବାର ଦୀର୍ଘ ଦିନ ଧରି ଚଳାଇଥିଲା। ଏହି ଗ୍ୟାଙ୍ଗ ହାତୀ ଦାନ୍ତ କାରବାରରେ ମଧ୍ୟ ସଂପୃକ୍ତ ଥିବା ବନ ବିଭାଗ ପାଖରେ ଖବର ପହଞ୍ଚିଛି।

ଏପଟେ ଏସଟିଏଫର ଜଣେ ବରିଷ୍ଠ ଅଧିକାରୀ ଆଜି ‘ସମ୍ବାଦ’କୁ କହିଛନ୍ତି, ଇତିମଧ୍ୟରେ ସେମାନେ ରାଜ୍ୟ ପ୍ରଧାନ ବନ୍ୟପ୍ରାଣୀ ମୁଖ୍ୟ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟଙ୍କ ସହିତ ଆଲୋଚନା କରିସାରିଛନ୍ତି। ଏଥର ଆଠଗଡ଼ରେ ଯେଉଁ ଅପରେସନ୍ ଚାଲିଛି, ସେଥିରେ ସ୍ଥାନୀୟ ମାଫିଆଙ୍କ ସଂପୃକ୍ତି ନେଇ ପ୍ରମାଣ ହାତରେ ଲାଗିଛି। ଜେରା ବେଳେ ଯେଉଁ ତଥ୍ୟ ସେମାନେ ପାଇଛନ୍ତି, ସେଥିରୁ ବଜ୍ରକାପ୍ତା କୋଲକାତା ଦେଇ ମିଆଁମାର, ଭିଏତନାମ ପର୍ଯ୍ୟନ୍ତ ଯାଉଥିବା ଜଣାପଡିଛି। ହେଲେ ଏ ସଂକ୍ରାନ୍ତରେ ନିର୍ଦିଷ୍ଟ ପ୍ରମାଣ ଏଯାଏ ମିଳିନାହିଁ। ଇତିମଧ୍ୟରେ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଟିମ୍ ଏହି ଘଟଣାରେ ତନାଘନା ଆରମ୍ଭ କରିଛନ୍ତି। ଯେହେତୁ ସ୍ଥାନୀୟ ମାଫିଆଙ୍କୁ ଆଠଗଡ଼ ଡିଏଫ୍ଓ ଧରିଛନ୍ତି, ଏଣୁ ଏସଟିଏଫ୍ ସେମାନଙ୍କ ତଦନ୍ତକୁ ଆଗକୁ ବଢାଇବାକୁ ଯାଇ କେଉଁଭଳି ପରିସ୍ଥିତିରେ ବଜ୍ରକାପ୍ତାକୁ ସେମାନେ କୋଲକାତା ଦେଇ ମିଆଁମାର ଓ ଭିଏତନାମ ଆଦି ଦେଶକୁ ପଠାଉଛନ୍ତି, ତା ଉପରେ ଅଧିକ ତଦନ୍ତ କରିବାକୁ ସ୍ଥିର କରିଛି। ଏଣୁ ଆଠଗଡ଼ ମାମଲାରେ ମୁଣ୍ଡ ପୂରାଇବା ପୂର୍ବରୁ ୨୦୧୮ ମସିହାର ନୟାଗଡ଼ ଜିଲ୍ଲାର ଏକ ମାମଲା ଉପରେ ଏସଟିଏଫ୍ ପୁଣି ଥରେ ଖୋଳତାଡ଼ ଆରମ୍ଭ କରିଛି। ଆଠଗଡ଼ ମାମଲାରେ ପ୍ରମାଣ ମିଳିଲେ, ଉଭୟ ମାମଲାକୁ ଛନ୍ଦି ଦିଆଯିବ ଓ ସେ ଅନୁସାରେ ତଦନ୍ତ ଆଗକୁ ବଢ଼ିବ।

ଏସଟିଏଫ୍ ପକ୍ଷରୁ ଆହୁରି କୁହାଯାଇଛି, ୨୦୧୮ ଜୁନ୍ ୨୫ ତାରିଖରେ ନୟାଗଡ଼ ବାଣିଗୋଛାରେ ଏକ ବଜ୍ରକାପ୍ତା ଚୋରାଚାଲାଣ ଗ୍ୟାଙ୍ଗକୁ ଧରାଯାଇଥିଲା। ସେତେବେଳେ ଏସଟିଏଫ୍ ୪/୨୦୧୮ରେ ଏକ ମାମଲା ରୁଜୁ କରି ଦୁର୍ଦାନ୍ତ ମାଫିଆ ସାମସୁଦ୍ଦିନ ଖାଁ ଓ ଅନ୍ୟ ୫ଜଣ ସହଯୋଗୀଙ୍କୁ ଦଫା ୩୭୯, ୪୧୩, ୧୨୦ ବି ଓ ୫୧ ବନ୍ୟପ୍ରାଣୀ ଆଇନ ଅଧୀନରେ ବାନ୍ଧି ଜେଲ ପଠାଇଥିଲା। ସାମସୁଦ୍ଦିନଠାରୁ ୫କେଜି ବଜ୍ରକାପ୍ତା କାତି ଜବତ ହୋଇଥିଲା, ଯାହା ମିଆଁମାର ଯାଇଥାନ୍ତା। ଏହି ମାମଲାରେ ଅଧିକ ଖୋଳତାଡ଼ ପରେ ମିଜୋରାମର ଲାଲଟେନ୍ କୁଙ୍ଗା ନାମକ ଜଣେ ମାଫିଆଙ୍କୁ ଧରାଯାଇଥିଲା। ମାତ୍ର ମିଜୋରାମ କୋର୍ଟ ସେହିଠାରେ ହିଁ ତାଙ୍କୁ ଜାମିନ ଦେଇଦେବା କାରଣରୁ ତଦନ୍ତ ବାଧାପ୍ରାପ୍ତ ହୋଇଥିଲେ। ହେଲେ ଜଣାପଡିଥିଲା ଯେ ମିଆଁମାରର ମାଣ୍ଡଲେ ଅଞ୍ଚଳକୁ ଓଡ଼ିଶାରୁ କାତି ଓ ବଜ୍ରକାପ୍ତା ମାଂସ ଚାଲାଣ ହେଉଛି।

ଲେଟର୍ସ ରୋଗଟରି ପ୍ରକ୍ରିୟାରେ ବିଦେଶ କୋର୍ଟକୁ ଆଇନ ସହାୟତା ମଗାଯାଇଥାଏ। ଏସଟିଏଫ୍ ଏହି ପ୍ରକ୍ରିୟାରେ ସିବିଆଇ ମାଧ୍ୟମରେ ଇଣ୍ଟରପୋଲ ଜରିଆରେ ମିଆଁମାର ସହିତ ଯୋଗାଯୋଗ ଆରମ୍ଭ କରିଛି। ଆଶା କରାଯାଉଛି, ମିଆଁମାର ପୁଲିସ ଏହି ମାମଲାର ଅଧିକ ଲିଙ୍କ୍ ସଂପର୍କରେ ଖୁବ୍ ଶୀଘ୍ର ତଥ୍ୟ ପ୍ରଦାନ କରିବ। ଏହାକୁ ଧରି ବଜ୍ରକାପ୍ତା ଚୋରା ଚାଲାଣ ପ୍ରକ୍ରିୟାର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଏସଟିଏଫ୍ ଯୋଜନା କରିଥିବା ସଂସ୍ଥାର ଉଚ୍ଚ ପଦାଧିକାରୀମାନେ ସୂଚନା ଦେଇଛନ୍ତି। ଏଥିସହିତ ବଜ୍ରକାପ୍ତା ମାମଲାରେ ଏକାଥରକେ ଏସଟିଏଫ୍-ବନବିଭାଗ-ବନ୍ୟଜୀବ ନିୟନ୍ତ୍ରଣ ବ୍ୟୁରୋ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର