ବଜ୍ରକାପ୍ତା ଚୋରାଚାଲାଣ : ବିଦେଶୀ ଲିଙ୍କ୍‌ର ଖୋଳତାଡ଼ ଆରମ୍ଭ

ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍, କ୍ରାଇମବ୍ରା଼ଞ୍ଚ,ଏସଟିଏଫ୍ ନେଲା ତଦନ୍ତ ଦାୟିତ୍ବ, ଧରାପଡ଼ିଛନ୍ତି ଆଉ ତିନି ମାଫିଆ

ଭୁବନେଶ୍ବର/କଟକ : ଅତି ବିରଳ ବଜ୍ରକାପ୍ତା ଚୋରାଚାଲାଣ ଘଟଣା ‘ସମ୍ବାଦ’ରେ ବାରମ୍ବାର ପ୍ରକାଶ ପାଇବା ପରେ ଏବେ ସରକାରୀ ତନାଘନା ଆରମ୍ଭ ହୋଇଛି। ଏହି ଚୋରା କାରବାର ପଛରେ ଅନ୍ୟ ରାଜ୍ୟ ଓ ବିଦେଶୀ ଲିଙ୍କ୍ ଥିବାରୁ ରାଜ୍ୟ ବନ୍ୟପ୍ରାଣୀ ବିଭାଗର ଅନୁରୋଧ କ୍ରମେ ଆଜି ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ବିଧିବଦ୍ଧ ଭାବେ ତଦନ୍ତ ଦାୟିତ୍ବ ହାତକୁ ନେଇଛନ୍ତି। ଏହି ସଂସ୍ଥାର ଦୁଇଜଣିଆ ପ୍ରତିନିଧି ଦଳ ଓଡ଼ିଶାରେ ପହଞ୍ଚିବା ପରେ ସିଧାସଳଖ ଆଠଗଡ ଯାଇଥିବା ସୂଚନା ମିଳିଛି। ଜବଲପୁର ଶାଖାର ଗୁଇନ୍ଦା ଅଧିକାରୀ ଦେବେନ୍ଦ୍ର ସିଂ ରାଠୋର ଏହି ଦୁଇଜଣିଆ ଟିମର ନେତୃତ୍ବ ନେଉଛନ୍ତି।

ଆସନ୍ତାକାଲି ଆଠଗଡ ଡିଏଫ୍ଓ ସସ୍ମିତା ଲେଙ୍କା ମାମଲା ସଂକ୍ରାନ୍ତ ସମସ୍ତ ତଥ୍ୟ ତାଙ୍କୁ ହସ୍ତାନ୍ତର କରିବେ। ଏହା ପରେ ଏହି ମାମଲାର ଅନ୍ୟ ରାଜ୍ୟ ଲିଙ୍କ୍ େଖାଜା ଆରମ୍ଭ ହେବ।

ଏପଟେ ଆଜି ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ ଗଣମାଧ୍ୟମକୁ କହିଛନ୍ତି େଯ ବଜ୍ରକାପ୍ତା ଚୋରାଚାଲାଣ ଘଟଣାଟି ଅତି ସମ୍ବେଦନଶୀଳ। ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ସହିତ ରାଜ୍ୟର ଅନ୍ୟ କେଉଁ କେଉଁ ଅଞ୍ଚଳରେ ମାଫିଆ ସକ୍ରିୟ ଅଛନ୍ତି, ତାକୁ ଖୋଜିକାଢିବା ଲାଗି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର ଟାସ୍କ ଫୋସ୍କକୁ ଚିଠି ଲେଖାଯାଇଛି।

ରାଜ୍ୟ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ କୁମାର ଉପାଧ୍ୟାୟ କହିଛନ୍ତି ଯେ ବଜ୍ରକାପ୍ତା ଭଳି ଅତି ସମ୍ବେଦନଶୀଳ ପ୍ରାଣୀ ସଂପର୍କରେ ପୂର୍ବରୁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କ ଫୋର୍ସ କାର୍ଯ୍ୟ କରିଥିଲା। ଅନେକ ମାଫିଆଙ୍କୁ ଗିରଫ କରାଯାଇଥିଲା। ଏବେ ପୁଣି ଥରେ ଏହି ମାମଲା ହାତକୁ ନିଆଯିବ। ଖୁବ୍ ଶୀଘ୍ର ଏସଟିଏଫ୍ ସ୍ବତନ୍ତ୍ର ଟିମ୍ ଗଠନ କରି ଏ ଦିଗରେ ତଦନ୍ତ ଆରମ୍ଭ କରିବ େବାଲି ଶ୍ରୀ ଉପାଧ୍ୟାୟ କହିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ଆଠଗଡ ଡିଏଫ୍ଓ ସସ୍ମିତା ଲେଙ୍କା ପୁଣି ୩ଜଣ ମାଫିଆଙ୍କୁ ଧରିଛନ୍ତି। ଏମାନଙ୍କୁ ଜେରା ଚାଲିଛି ଓ ସମ୍ଭବତଃ ଆସନ୍ତାକାଲି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇପାରେ। ପୂର୍ବରୁ ସପ୍ତାହକ ମଧ୍ୟରେ ୧୦ଜଣ ମାଫିଆଙ୍କୁ ଗିରଫ କରାଯାଇଥିଲା। ଏହି ମାଫିଆଙ୍କ ଠାରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଡିଏଫ୍ଓ କହିଛନ୍ତି ଯେ ଅପରେସନ୍ ପାଙ୍ଗୋଲିନ୍ ଜାରି ରହିଛି। ଏହି କାରବାରର ମୂଳପୋଛ ପର୍ଯ୍ୟନ୍ତ ଅପରେସନ୍ ଜାରି ରହିବ।

ଉଲ୍ଲେଖଯୋଗ୍ୟ ଯେ ବଜ୍ରକାପ୍ତା ଚୋରାଚାଲାଣ ରାକେଟର ମୂଳ ଚେର ବିଦେଶକୁ ଲମ୍ବିଛି। ‌ଚୀନ, ଭିଏତନାମ, ମିଆଁମାରକୁ ସେମାନଙ୍କ କାତି, ମାଂସ ଆଦି ବିକ୍ରି ହେଉଛି। ଆଠଗଡ, ବୌଦ୍ଧ, ଢେଙ୍କାନାଳ, କେନ୍ଦୁଝର, ନୟାଗଡ, ମାଲକାନଗିରି, ମୟୂରଭଂଜ, ଭଦ୍ରକ ସମେତ ରାଜ୍ୟ ତଥା ରାଜ୍ୟ ବାହାର ମାଫିଆଙ୍କ ମାଧ୍ୟମରେ ବଜ୍ରକାପ୍ତା ଚୋରାଚାଲାଣ ହେଉଛି। ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ ଅନୁସାରେ ସିଡ୍ୟୁଲଡ ଵାନ ଶ୍ରେଣୀଭୁକ୍ତ ବିରଳ ସ୍ତନ୍ୟପ୍ରାୟୀ ପ୍ରାଣୀ ହେଉଛି ବଜ୍ରକାପ୍ତା।

ସମ୍ବନ୍ଧିତ ଖବର