ବଜ୍ରକାପ୍ତା ଚୋରାଚାଲାଣ : ଚୀନ୍‌କୁ ଲମ୍ବିଛି ଚେର

ଭୁବନେଶ୍ୱର : ବଜ୍ରକାପ୍ତା ଚୋରାଚାଲାଣ ର‍୍ୟାକେଟ୍‌ର ପର୍ଦାଫାସ କରିବା ପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫ ଜୋରଦାର ଖୋଳତାଡ଼ ଚଳାଇଛି। ଏହି ର‍୍ୟାକେଟ୍‌ରେ ସଂପୃକ୍ତି ଅଭିଯୋଗରେ ଏସଟିଏଫ ଗିରଫ କରିଥିବା ଶ୍ୟାମସୁଦ୍ଦିନ୍‌ ଖାନ୍‌କୁ ପଚରାଉଚରା କରି ତା’ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ଏସଟିଏଫ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବଜ୍ରକାପ୍ତା ଚୋରାଚାଲାଣର ଚେର ବିଦେଶକୁ ଲମ୍ବିଥିବା ରିମାଣ୍ଡରେ ପଚରାଉଚରା ବେଳେ ଶ୍ୟାମସୁଦ୍ଦିନ୍‌ ସ୍ୱୀକାର କରିଛି। ତେଣୁ ବିଦେଶ ଲିଙ୍କ୍‌ ନେଇ ଖୋଳତାଡ଼ କରିବାକୁ ଏସ୍‌ଟିଏଫ୍‌ ଇଣ୍ଟରପୋଲର ସହାୟତା ଲୋଡ଼ିଛି। ଖୁବଶୀଘ୍ର ଇଣ୍ଟରପୋଲ ସହ ଯୋଗାଯୋଗ କରାଯିବ ବୋଲି ବିଭାଗୀୟ ଡିଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି। ଖୁବଶୀଘ୍ର ଜାତୀୟ ତଦନ୍ତକାରୀ ସଂସ୍ଥା ଡବ୍ଲ୍ୟୁସିସିବି, ସିବିଆଇ-ଏନ୍‌ସିବିକୁ ଏସ୍‌ଟିଏଫ ହାତରେ ଲାଗିଥିବା ତଥ୍ୟ ଦିଆଯିବ। ଇଣ୍ଟରପୋଲ ଆଗକୁ ଘଟଣାର ତଦନ୍ତ କଲେ, ସମସ୍ତ ସହାୟତା କରାଯିବ ବୋଲି ଶ୍ରୀ ଲାଲ ପ୍ରକାଶ କରିଛନ୍ତି।

ର‍୍ୟାକେଟର କିଙ୍ଗପିନ୍‌ ଆସାମର ଅମୀର ହୁସେନ୍‌, ଜୋଭି ହମାର ଓ ମିଜୋରାମ୍‌ର ଲାଲଟଲନ୍‌ କୁଙ୍ଗାକୁ ଏସ୍‌ଟିଏଫ କାବୁ କରିବା ପରେ ବନ୍ୟଜନ୍ତୁ ଅଙ୍ଗପ୍ରତ୍ୟଙ୍ଗ ଚୋରାଚାଲାଣର ଗୁମର ଖୋଲିବାରେ ଲାଗିଛି। ର‍୍ୟାକେଟ୍‌ ଭାରତରୁ ଭାୟା ଭିଏ୍‌ତନାମ ଓ ମିଅାଁମାର ଦେଇ ଚୀନ୍‌କୁ ଲମ୍ବିଥିବା ଜଣାଯାଇଛି। ବଜ୍ରକାପ୍ତା କାତି ଓ ଜୀବଜନ୍ତୁଙ୍କ ଛାଲ, ନଖ ଆଦି ଏହି ବାଟ ଦେଇ ଚାଲାଣ କରାଯାଉଥିବା ଏବେ ଏସଟିଏଫ ଜାଣିବାକୁ ପାଇଛି। ଏହି ୩ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ଆପରାଧିକ ମାମଲା ରହିଛି। ସେମାନଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡ ଅଣାଯାଇ ଅନ୍ତରାଷ୍ଟ୍ରୀୟ ଲିଙ୍କର ଖୋଳତାଡ଼ କରାଯିବ ବୋଲି ଜଣାଯାଇଛି।

ଏହି ୩ ଅଭିଯୁକ୍ତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଆଦି ସ୍ଥାନର ଚୋରାଚାଲଣକାରୀଙ୍କଠାରୁ ବଜ୍ରକାପ୍ତା କାତି ସହ ଗୋଧି ଜନନାଙ୍ଗ, ବାଘ ଛାଲ, ନଖ କିଣୁଥିଲେ। ଏହାକୁ ଆସାମ ଓ ମିଜୋରାମରେ ଗଚ୍ଛିତ ରଖାଯିବା ପରେ ସେଠାରୁ ମିଆଁମାର ଓ ଭିଏତନାମକୁ ଚାଲାଣ କରାଯାଉଥିଲା। ଏ ସବୁକୁ ବିଦେଶକୁ ପାର୍‌ କରାଇବାରେ କୁଙ୍ଗା ଓ ଜୋଭି ମୁଖ୍ୟ ଭୂମିକା ତୁଲାଉଥିଲେ। ଅନ୍ତଃରାଷ୍ଟ୍ରୀୟ ମାଫିଆମାନେ ଏହାକୁ ନେଇ ଚୀନ୍‌ ବଜାରରେ ୧୦ରୁ ୧୨ଗୁଣା ଅଧିକ ଦରରେ ବିକୁଥିଲେ। ବଜ୍ରକପ୍ତା କାତିକୁ ବିଶେଷକରି ଚୀନ୍‌ର ପାରମ୍ପରିକ ଔଷଧ ତିଆରିରେ ବ୍ୟବହାର କରାଯାଇଥାଏ। ସେହିପରି ବଜ୍ରକାପ୍ତା ଚମଡ଼ା ଓ କାତିରୁୁ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌, ଶକ୍ତିବର୍ଧକ ଔଷଧ, ଦାମୀ ମେଡିସିନ୍‌ ଓ କପଡ଼ା ତିଆରି କରାଯାଉଥିବା ଜଣାପଡ଼ିଛି।

ଏସଟିଏଫ ଆହୁରି ମଧ୍ୟ ଜାଣିବାକୁ ପାଇଛି ଯେ ଗତ ୧୦-୧୨ ବର୍ଷ ହେବ ଶ୍ୟାମସୁଦ୍ଦିନ ଓ ତାଙ୍କ ପୁଅ ଆଲ୍ଲାରୁଖ୍‌ ଖାନ୍‌ ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରୁ ବଜ୍ରକାପ୍ତା କାତି ସଂଗ୍ରହ କରି ଅମିରଙ୍କ ନିକଟକୁ ପଠାଉଥିଲେ। ବିଶେଷକରି ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, ବୌଧ, ରାୟଗଡ଼ା ସମେତ ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି ଅଞ୍ଚଳରୁ ବଜ୍ରକପ୍ତା କାତି ସଂଗ୍ରହ କରି ବିଦେଶକୁ ଚାଲାଣ କରୁଥିଲେ।

ସୂଚନାଯୋଗ୍ୟ, ଶ୍ୟାମସୁଦ୍ଦିନ ଚିତାବାଘ ଛାଲ ଚାଲାଣରେ ୧୯୯୬ ଅଗଷ୍ଟ ମାସରେ ଆଠଗଡ଼ ବନବିଭାଗ ଦ୍ୱାରା ଗିରଫ ହୋଇଥିଲା। ତା’ ନିକଟରୁ ୨୦ଟି ବାଘଛାଲ ମିଳିଥିଲା। ସେହିପରି ଗିରଫ ବାପ-ପୁଅ ଶ୍ୟାମସୁଦ୍ଦିନ ଓ ଆଲ୍ଲାରୁଖ ଖାନଙ୍କ ଚନ୍ଦନ କାଠ ଚୋରାଚାଲାଣରେ ସଂପୃକ୍ତି ଥିବା ଜଣାଯାଇଛି। ଏନେଇ ଆଗକୁ ଖୋଳତାଡ଼ କରାଯିବ। ସେମାନଙ୍କ ଚନ୍ଦନ କାଠ ଚୋରାଚାଲଣ ସାମ୍ରାଜ୍ୟକୁ ଖୁବଶୀଘ୍ର ପର୍ଦ୍ଦାଫାସ କରାଯିବ ବୋଲି ଶ୍ରୀ ଲାଲ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ମାସ ୧୧ ତାରିଖରେ ଶ୍ୟାମସୁଦ୍ଦିନ୍‌ ୫ କେଜି ବଜ୍ରକାପ୍ତା କାତି ବସ୍‌ ଯୋଗେ ରାଜ୍ୟ ବାହାରକୁ ଚୋରାଚାଲାଣ କରୁଥିଲା। ମହାନଦୀ ୱାଇଲ୍ଡ ଲାଇଫ୍‌ ଡିଭିଜନ୍‌ ଶ୍ୟାମସୁଦ୍ଦିନକୁ କାବୁ କରିଥିଲା। ପରେ ଏସ୍‌ଟିଏଫ୍‌ ଘଟଣାର ତଦନ୍ତ ଭାର ନେଇ ତା’ ପୁଅ ଆଲ୍ଲାରୁଖ ଖାନ ସହ ଗଞ୍ଜାମର ସୋରଡ଼ା ଅଞ୍ଚଳର ରିୟାଉଦ୍ଦିନ ଖାନ୍‌କୁ ଗିରଫ କରିଥିଲା। ପରେ ଏସ୍‌ଟିଏଫର ଟିମ୍‌ ରାଜ୍ୟ ବାହାରକୁ ଯାଇ ର‍୍ୟାକେଟର କିଙ୍ଗପିନ୍‌ କୁଙ୍ଗା, ଜୋଭି ଓ ହୁସେନକୁ ଗିରଫ କରିଛି।

ସମ୍ବନ୍ଧିତ ଖବର