ରେଡକ୍ରସ୍‌ କାର୍ଯ୍ୟକ୍ରମ ଠିକ୍‌ ଭାବେ ପରିଚାଳନା ହେଉ ନ ଥିବା ଅଭିଯୋଗ ଆଣିଲେ ଆଜୀବନ ସଦସ୍ୟ

ଭୁବନେଶ୍ୱର : ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା କାର୍ଯ୍ୟକ୍ରମ ସଠିକ ଭାବେ ପରିଚାଳନା ହେଉ ନ ଥିବା ଅଭିଯୋଗ କରି ଏହାର ଆଜୀବନ ସଦସ୍ୟମାନେ ନିକଟରେ ରାଜ୍ୟପାଳ ତଥା ରେଡକ୍ରସ ରାଜ୍ୟ ଶାଖା ସଭାପତି ଏସ୍‌.ସି. ଜମିରଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶା ରାଜ୍ୟ ଶାଖାରେ ନିୟମିତ ସମ୍ପାଦକ ନାହାନ୍ତି। ବହୁ ବର୍ଷ ହେଲା ଯୁଗ୍ମ-ସମ୍ପାଦକ, ଅନୁ-ସଚିବ ଓ ଜୁନିୟର ରେଡକ୍ରସ ଅଫିସର ପଦବି ଖାଲି ରହିଛି। ୨୦୧୦ ଡିସେମ୍ବର ୧ରୁ ବର୍ଷକୁ ଥରେ ହେବାକୁ ଥିବା ବାର୍ଷିକ ଅଧିବେଶନ ଓ ବର୍ଷକୁ ତିନି ଥର ହେବାକୁ ଥିବା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ବସି ନାହିଁ। ତିନି ବର୍ଷକୁ ଥରେ ରାଜ୍ୟ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ବଦଳିବାକୁ ଥିବା ବେଳେ ଗତ ୨୦୦୯ ଅଗଷ୍ଟ ୧ରୁ ଗଠିତ ସମିତି ଆଜି ପର୍ଯ୍ୟନ୍ତ ପରିବର୍ତନ ହୋଇନି। ଏପରିକି ମୃତ ବ୍ୟକ୍ତି ମଧ୍ୟ ସମିତିରେ ଆଜି ପର୍ଯ୍ୟନ୍ତ ରହିଛନ୍ତି। ରେଡକ୍ରସ ରାଜ୍ୟ ଶାଖାର ବାର୍ଷିକ ଓ ଆର୍ଥିକ ବିବରଣୀ ତିଆରି ହୋଇନାହିଁ କି ପ୍ରକାଶ ପାଇନି। ୨୦୦୯ରୁ ରଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦିତ ନୂତନ ନିୟମ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନି। ଏଥିପାଇଁ ରେଡକ୍ରସର କ୍ଷତି ସହୁଛି ବୋଲି ସଦସ୍ୟମାନେ ଅଭିଯୋଗ କରିଥିଲେ। ଏହି ପ୍ରତିନିଧିଦଳରେ ରେଡକ୍ରସର ଆଜୀବନ ସଦସ୍ୟ ଦିଲ୍ଲୀପ ଦାଶଶର୍ମା, ଡ. ଦ୍ୱାରୀକାନାଥ ମହାନ୍ତି, ଇଂ. ଶିବ ପ୍ରସାଦ ମିଶ୍ର, ଶୀତଳ ଚନ୍ଦ୍ର ମହାନ୍ତି ଓ ନଳିନୀ ମହାନ୍ତି ପ୍ରମୁଖ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର