କଟକ/ବିଦ୍ୟାଧରପୁର : ‘‘ଆମେ ଜାଣିଛନ୍ତି ଯେ ଧାନ ଫସଲ ପାଇଁ ପ୍ରଚୁର ମାତ୍ରାରେ ଜଳର ଆବଶ୍ୟକତା ରହିଛି। ଆଜି ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ବର ବିଭିନ୍ନ ଭାଗରେ ଜଳାଭାବ ସମସ୍ୟା ଦେଖା ଦେଇଛି। ମରୁଡ଼ି, ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟ ଏବେ ବାରମ୍ବାର ଦେଖିବାକୁ ମିଳୁଛି ଯାହାକି ଧାନ ଚାଷକୁ ଅଧିକ ବିପଦରେ ପକାଉଛି। ଏଣୁ ବୈଜ୍ଞାନିକମାନେ ଏବେ ଧାନ ଚାଷର ନୂତନ ପଦ୍ଧତି ଆବିଷ୍କାର କରିଥିଲେ ମଧ୍ୟ ପାରମ୍ପରିକ କିସମର ଧାନ ଚାଷକୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ଆମେ ମଧ୍ୟମ ମାର୍ଗ ଆପଣାଇବା ଉଚିତ୍। ଗୋଟିଏ ପଟେ ପାରମ୍ପରିକ କିସମର ସଂରକ୍ଷଣ ଏବଂ ସୁରକ୍ଷା ସହିତ ଧାନ ଚାଷ କରିବାକୁ ହେବ ଏବଂ ଅନ୍ୟପଟେ ପରିବେଶ ସନ୍ତୁଳନ ବଜାୟ ରଖିବାକୁ ହେବ।’’

Advertisment

କଟକ ବିଦ୍ୟାଧରପୁରସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଏନ୍‌ଆର୍‌ଆର୍‌ଆଇ)ରେ ଆୟୋଜିତ ଦ୍ବିତୀୟ ଭାରତୀୟ ଧାନ କଂଗ୍ରେସକୁ ଉଦ୍‌ଘାଟନ କରି ଆଜି ଏମିତି ଢଙ୍ଗରେ ସତର୍କ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଆହୁରି ପାଦେ ଆଗକୁ ଯାଇ କହିଛନ୍ତି ଯେ ସଂପ୍ରତି ଦେଶ ଆଉ ଏକ ବଡ଼ ସମସ୍ୟା ସାମ୍ନା କରୁଛି। ତାହା ହେଲା-ଅତ୍ୟଧିକ ରାସାୟନିକ ସାର ଉପଯୋଗ।

ପରିବେଶ ଅନୁକୂଳ ଧାନ ଚାଷକୁ ଗୁରୁତ୍ବ
ଦିନେ ଆମଦାନୀକୁ ଭରସା କରୁଥିଲା ଭାରତ
ଏବେ ସର୍ବାଧିକ ଚାଉଳ ରପ୍ତାନିକାରୀ ଦେଶ
ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନକୁ ପ୍ରଶଂସା

publive-image

ଏହି କାରଣରୁ ମୃତ୍ତିକା କ୍ଷୟ ହେଉଛି, ଯାହାକୁ ରୋକାଯିବା ଆବଶ୍ୟକ। ମୃତ୍ତିକାକୁ ସୁସ୍ଥ ରଖିବାକୁ ହେଲେ ଆମକୁ ଏଭଳି ସାର ଉପରେ ନିର୍ଭରଶୀଳତା କମାଇବାକୁ ପଡ଼ିବ। ଆମର ବୈଜ୍ଞାନିକମାନେ ପରିବେଶ ଅନୁକୂଳ ଧାନ ଚାଷ ପଦ୍ଧତି ଉଦ୍ଭାବନ କରିପାରିବେ ଏ ବିଶ୍ବାସ ମୋର ରହିଛି ବୋଲି ରାଷ୍ଟ୍ରପତି ଆଶା ପ୍ରକଟ କରିଥିଲେ।

ଏକାଧିକ ଉଦାହରଣ ରଖି ରାଷ୍ଟ୍ରପତି ଚାଉଳର ମହତ୍ତ୍ବ ସଂପର୍କରେ ସୂଚାଇଥିଲେ। ଶ୍ରୀମତୀ ମୁର୍ମୁ କହିଥିଲେ ଯେ ଚାଉଳ କେବଳ ଆମ ମୂଳ ଖାଦ୍ୟ ନୁହେଁ, ବରଂ ଭାରତରେ ଖାଦ୍ୟ ସୁରକ୍ଷା ଓ ସମୃଦ୍ଧ ଅର୍ଥନୀତି ପଛର ପ୍ରମୁଖ କାରଣ। ଆମ ଐତିହ୍ୟ ଓ ସଂସ୍କୃତିରେ ଚାଉଳ ସଂପର୍କରେ ଢେର୍ ବର୍ଣ୍ଣନା ରହିଛି। ବେଦ, ସଂସ୍କୃତି ଏବଂ ଅନ୍ୟାନ୍ୟ ଭାଷାରେ ଆମର ପ୍ରାଚୀନ ସାହିତ୍ୟ ରଚନା କରାଯାଇଛି। ଏସବୁରେ ବି ଚାଉଳ ସଂପର୍କରେ ଅନେକ କଥା କୁହାଯାଇଛି। ବିଭିନ୍ନ ରୀତିନୀତି ଏବଂ ଧାର୍ମିକ ଉତ୍ସବ 'ଅକ୍ଷତ'ର ବ୍ୟବହାର ବିନା ଅସମ୍ପୂର୍ଣ୍ଣ। ଏସବୁ ଜୀବନର ସମ୍ପୂର୍ଣ୍ଣତା ଓ ସମୃଦ୍ଧତା ସଂପର୍କରେ ସୂଚାଇଥାଏ। ଚାଉଳକୁ ନେଇ କିମ୍ବଦନ୍ତୀ ଓ ପୁରାଣରେ ଅନେକ କଥା ରହିଛି। ଆପଣମାନେ ସମସ୍ତେ ସୁଦାମାର ଖୁଦ ଚାଉଳ ସଂପର୍କରେ ଜାଣିଥିବେ, ଯାହା ଦୁଇ ପୁରୁଣା ସାଙ୍ଗ ଭିତରେ ପ୍ରେମର ସଂପର୍କକୁ ପ୍ରତିପାଦିତ କରିଛି। ତେଣୁ ଧାନ ଗବେଷଣାରେ ନିୟୋଜିତ ବୈଜ୍ଞାନିକ ମାନଙ୍କର ଭୂମିକା ଆମ ବ୍ୟବସ୍ଥାରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

publive-image

ରାଷ୍ଟ୍ରପତି କହିଥିଲେ ଯେ ଅନେକ ଖାଦ୍ୟସଶ୍ୟ ମଧ୍ୟରୁ ଚାଉଳ ଦୁନିଆର ଅଂଶର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରୁଛି। ଏମିତିରେ ବି ଏସିଆ ମହାଦେଶରେ ଭାରତ ହେଉଛି ବିଶ୍ବର ସବୁଠାରୁ ଅଧିକ ଚାଉଳ ରପ୍ତାନିକାରୀ ଦେଶ। ହେଲେ ଆମେ ସମସ୍ତେ ଜାଣିଛନ୍ତି ଯେ ଯଦିଓ ଭାରତ ଆଜି ଚାଉଳର ଅଗ୍ରଣୀ ଗ୍ରାହକ ଏବଂ ରପ୍ତାନିକାରୀ ଦେଶ, କିନ୍ତୁ ସ୍ବାଧୀନତା ସମୟରେ ପରିସ୍ଥିତି ଭିନ୍ନ ଥିଲା। ସ୍ବାଧୀନତା ପୂର୍ବରୁ ଯେବେ ବେଙ୍ଗଲରେ ଦୁର୍ଭିକ୍ଷ ପଡ଼ିଲା ସେବେ ୧୯୪୬ ମସିହାରେ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଥିଲା। ସେ ସମୟରେ ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ଆମେ ଆମଦାନୀ ଉପରେ ମୁଖ୍ୟତଃ ନିର୍ଭରଶୀଳ ଥିଲେ। ଅଧିକାଂଶ ସମୟରେ ଆମକୁ ପେଟପୂରା ଖାଇବାକୁ ମିଳୁନଥିଲା। ଦେଶ ଆଜି ଏପରି ନିର୍ଭରଶୀଳତାରୁ ମୁକ୍ତ ହୋଇପାରିଛି ଏବଂ ବିଶ୍ବର ସର୍ବବୃହତ ରପ୍ତାନିକାରୀ ରାଷ୍ଟ୍ରରେ ପରିଣତ ହୋଇଛି । ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନକୁ ଏହାର ଯଥେଷ୍ଟ ଶ୍ରେୟ ଦିଆଯିବା ଉଚିତ୍। ଏହି ଗବେଷଣା ପ୍ରତିଷ୍ଠାନ ଭାରତର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ଯୋଗଦାନ ଦେଇଛି ଏବଂ ଚାଷୀଙ୍କ ଜୀବନରେ ସୁଧାର ଆଣିପାରିଛି।

ସେ ଆହୁରି କହିଥିଲେ, ଭାରତ ଏହାର ସମୃଦ୍ଧ ଜୈବ ବିବିଧତା ପାଇଁ ଗର୍ବିତ। ଭାରତରେ ବିଭିନ୍ନ ପ୍ରକାରର ଚାଉଳ ମିଳିଥାଏ। ଦେଶର ପ୍ରତ୍ୟେକ ଅଞ୍ଚଳ ନିଆରା ଚାଉଳ ପାଇଁ ଜଣାଶୁଣା। ଧାନର ଅନେକ ପାରମ୍ପରିକ କିସମ ରହିଛି। ଓଡ଼ିଶାର ଆଦିବାସୀମାନେ ଧାନର ଅନେକ ବିରଳ କିସମର ସଂରକ୍ଷଣରେ ପ୍ରମୁଖ ଅବଦାନ ରଖି ଆସିଛନ୍ତି। କୋରାପୁଟର କମଳା ପୂଜାରି ଧାନ ସମେତ ଶତାଧିକ ବିରଳ ଖାଦ୍ୟଶସ୍ୟ ସଂରକ୍ଷଣ କରି ଉଦାହରଣ ସୃଷ୍ଟି କରି ପାରିଛନ୍ତି। ସେଥିପାଇଁ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

publive-image

ରାଷ୍ଟ୍ରପତି କହିଥିଲେ ଯେ ଆଇସିଏଆର-ଏନଆରଆରଆଇ ପ୍ରଥମ ପ୍ରୋଟିନ ଯୁକ୍ତ ଧାନ ସିଆର ଧାନ ୩୧୦ ପ୍ରସ୍ତୁତ କରିଛି। ସେହିଭଳି ଜିଙ୍କ୍ ଯୁକ୍ତ ସିଆର ଧାନ ୩୧୫ ଧାନ ବି ପ୍ରସ୍ତୁତ କରାଯାଇଛି। ଦେଶର ବଢୁଥିବା ଆବଶ୍ୟକତା ଏବଂ ପରିବେଶ ପ୍ରତି ସଜାଗ ରହି କୃଷି ବୈଜ୍ଞାନିକମାନେ ଅଧିକରୁ ଅଧିକ ଧାନ ଉତ୍ପାଦନରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ଆଶା କରାଯାଉଛି। ଦ୍ବିତୀୟ ଭାରତୀୟ ଧାନ କଂଗ୍ରେସର ବିଭିନ୍ନ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହେବାକୁ ଥିବା ଆଲୋଚନାରୁ ଅନେକ ଉପାଦେୟ ନିଷ୍କର୍ସ ବାହାରିବ ବୋଲି ଆଶା କରିବା ସହ ରାଷ୍ଟ୍ରପତି ଆଇସିଏଆର ଓ ଏନଆରଆରଆଇର କର୍ମଚାରୀମ‌ାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଆଲୋଚନାରୁ ମିଳିବାକୁ ଥିବା ତଥ୍ୟ ଆଗକୁ ନୀତିନିର୍ଦ୍ଧାରକ ମାନଙ୍କୁ ସହାୟକ ହେବ ବୋଲି ଆଶା ପ୍ରକାଶ କରି ରାଷ୍ଟ୍ରପତି ସମାବେଶର ସଫଳତା କାମନା କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଧାନର ମହତ୍ବ, ମହାତ୍ମ୍ୟ ଆଉ ଆମ ସଂସ୍କୃତିରେ ରହିଥିବା ବର୍ଣ୍ଣନାର ତଥ୍ୟଗତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଦବୋଧନ ଦେଇଥିଲେ।

publive-image

କାର୍ଯ୍ୟକ୍ରମରେ ଭାରତୀୟ କୃଷି ଅନୁସନ୍ଧାନ ଏବଂ ଶିକ୍ଷା ବିଭାଗର ସଚିବ ତଥା କୃଷି ଅନୁସନ୍ଧାନ ପରିଷଦର ମହା ନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏନଆରଆରଆଇର ନିର୍ଦେଶକ ଡକ୍ଟର ଅମରେଶ କୁମାର ନାୟକଙ୍କ ସମେତ ଦେଶ ବିଦେଶରୁ ୩୦୦ରୁ ଅଧିକ କୃଷି ବୈଜ୍ଞାନିକ ଏଥିରେ ସାମିଲ ହୋଇଥିଲେ। ଧାନ ଗବେଷଣା କାର୍ଯ୍ୟକର୍ତ୍ତା ସଂଘ, ଜାତୀୟ ଧାନ ଗବେଷଣା ଅନୁଷ୍ଠାନ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ଆନ୍ତର୍ଜାତିକ ଧାନ ଅନୁସନ୍ଧାନ ପ୍ରତିଷ୍ଠାନ, ଜାତୀୟ କୃଷି ବିଜ୍ଞାନ ଏକାଡେମୀ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ରାଇସ ରିସର୍ଚ୍ଚ ଏବଂ ସୋସାଇଟି ଫର୍ ଆଡଭାନସମେଣ୍ଟ ଅଫ୍ ରୋଡ ରିସର୍ଚ୍ଚ ମିଳିତ ସହଯୋଗରେ ଏହି କଂଗ୍ରେସ ଆୟୋଜିତ ହେଉଛି। ଏହି ସମ୍ମିଳନୀ ୧୧ ତାରିଖ ଠାରୁ ‌‌‌‌୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।

publive-image

ଆଜି ରାଷ୍ଟ୍ରପତି ହେଲିକପ୍ଟରରେ ଆସି ଏନ୍ ଆର୍ ଆର୍ ଆଇ ଖେଳ ପଡ଼ିଆରେ ଅବତରଣ କରିଥିଲେ। ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସମାବେଶରେ ଉପସ୍ଥିତ ରହିବା ସହି ପୁଣି ହେଲିକପ୍ଟରରେ ଭୁବନେଶ୍ବର ଫେରି ଯାଇଥିଲେ। ଆଜିର କାର୍ଯ୍ୟକ୍ରମରେ କଟକ ଷଷ୍ଠ ବ୍ୟାଟାଲିୟନର ବ୍ୟାଣ୍ଡ ମାଷ୍ଟର ଅନ୍ତର୍ଯ୍ୟାମୀ ବେଉରା ଓ ବିଜୟ ମହାରଣାଙ୍କ ତତ୍ତ୍ୱାବଧାନରେ ବ୍ୟାଣ୍ଡବାଜାରେ ରାଷ୍ଟ୍ରୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା।