ହେମଗିର, (ଡିଲେଶ୍ବର ନାଗ) : ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଓ ଆଖପାଖ ଅଞ୍ଚଳରେ କଥାକୁହା ଇଣ୍ଡିଆନ ରିଂନେକ୍ ପ୍ୟାରଟ୍ ବା ଭାରତୀୟ ଲାଲ୍ ବେକବାଲା ଶୁଆ ଶାବକ ଚୋରାଚାଲାଣ ଆନ୍ତଃରାଜ୍ୟ ରାକେଟ୍ ସକ୍ରିୟ ହେଲେଣି। ସୁନ୍ଦରଗଡ଼ ବନଖଣ୍ଡର ହେମଗିର ଜଙ୍ଗଲ ଏହି ପ୍ରଜାତି ଶୁଆଙ୍କ ଏକ ପ୍ରମୁଖ ବାସସ୍ଥଳୀ ଭାବେ ପରିଗଣିତ। ଦକ୍ଷିଣ ଏସିଆ, ମୁଖ୍ୟତଃ ଭାରତୀୟ ଗ୍ରୀଷ୍ମ ମଣ୍ଡଳୀୟ ଅରଣ୍ୟ ଅଞ୍ଚଳରେ ଦେଖାଯାଉଥିବା ଏହି ଶୁଆର ପଶ୍ଚିମ ଏସିଆ ତଥା ମଧ୍ୟପ୍ରାଚ୍ୟରେ ଭଲ ଚାହିଦା ରହିଛି।
ହେମଗିର ଜଙ୍ଗଲରେ ପ୍ରଚୁର ପରିମାଣରେ ସୁଉଚ୍ଚ ଶାଳଗଛ ଭରପୂର ରହିଛି। ଏହି ଗଛ ଏହି ଭାରତୀୟ ଶୁଆଙ୍କ ମୁଖ୍ୟ ବାସସ୍ଥାନ। ଶୁଆପକ୍ଷୀ ଏହି ସୁଉଚ୍ଚ ଶାଳବୃକ୍ଷ କୋରଡ଼ରେ ନିଜ ଶାବକଙ୍କୁ ଜନ୍ମକରି ସୁରକ୍ଷିତ ଲାଳନପାଳନ କରିଥାଏ। ପ୍ରତିବର୍ଷ ଜାନୁଆରିରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଭାରତୀୟ ପ୍ରଜାତି ଶୁଆଶାବକଙ୍କ ଜନ୍ମଋତୁ। ଏହି ସମୟରେ ବହୁସଂଖ୍ୟକ ଶୁଆଶାବକ ଜନ୍ମ ନେଇଥାନ୍ତି। ଏମାନଙ୍କ ଆୟୁ ୨୫ରୁ ୩୦ ବର୍ଷ। ଚୋରାବେପାରୀଙ୍କ ଲୋଲୁପଦୃଷ୍ଟିରୁ ସୁଉଚ୍ଚ ସୁରକ୍ଷିତ ଗଛ କୋରଡ଼ ମଧ୍ୟ ଆଉ ଏହି ସୁନ୍ଦର କଥାକୁହା ଶୁଆଶାବକଙ୍କ ପାଇଁ ସୁରକ୍ଷିତ ହୋଇ ରହିନାହିଁ। ପ୍ରତିବର୍ଷ ଏହି ଋତୁରେ ହଜାର ହଜାର ସଂଖ୍ୟାରେ ଶୁଆ ଶାବକ ଚୋରାଚାଲାଣ କରାଯାଉଛି।
ପାର୍ବଣ ଋତୁ ଶେଷ ପରେ, ନଭେମ୍ବର-ଡିସେମ୍ବର ମାସ ଆସୁଆସୁ ହେମଗିର ଅଞ୍ଚଳରେ ଶୁଆଶାବକ ଆନ୍ତଃରାଜ୍ୟ ଚୋରାଚାଲାଣ ରାକେଟ୍ ସକ୍ରିୟ ହୋଇଉଠନ୍ତି। ସେମାନେ ସ୍ଥାନୀୟ ଶାବକ ଧରାଳିଙ୍କୁ କିଛି ଆଗୁଆ ଟଙ୍କା ଦିଅନ୍ତି। ସ୍ଥାନୀୟ ଗରିବ ଆଦିବାସୀଙ୍କୁ ସାମାନ୍ୟ ଶହେ ଦୁଇଶହ ଟଙ୍କା ଦେଇ ଗଛ କୋରଡ଼ରୁ ଶୁଆଶାବକ ଧରାଯାଇଥାଏ। ସେଗୁଡ଼ିକୁ ଗୋଆ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଓ ନୂଆଦିଲ୍ଲୀକୁ ବହୁସଂଖ୍ୟାରେ ଚୋରାଚାଲାଣ କରାଯାଇଥାଏ। ସେଠାରୁ ପୁଣି ଗୋଆ, ମହାରାଷ୍ଟ୍ର ଓ ଗୁଜରାଟର ସମୁଦ୍ରପଥ ଦେଇ ପଶ୍ଚିମ ଏସିଆ ତଥା ମଧ୍ୟପ୍ରାଚ୍ୟକୁ ଚୋରାଚାଲାଣ କରାଯାଉଥିବା ସୂଚନା ରହିଛି। ଆଦିବାସୀଙ୍କଠାରୁ ମାତ୍ର ଶହେ ଦୁଇଶହ ଟଙ୍କାରେ ଚୋରାବେପାରୀ ଶୁଆଶାବକ ହାସଲ କରୁଥିବାବେଳେ ତାହା ଗୋଆ, ମୁମ୍ବାଇ, ଅହମଦାବାଦ, ଜୟପୁର ଓ ନୂଆଦିଲ୍ଲୀରେ ଶାବକ ପ୍ରତି ୪୫ରୁ ୫୦ ହଜାର ଟଙ୍କାରେ ବିକ୍ରି ହୁଏ। କିନ୍ତୁ ଦରିଆ ପାରରେ ଥିବା ମଧ୍ୟପ୍ରାଚ୍ୟର ଶେଖ୍ମାନଙ୍କ ବିଳାସମୟ କୋଠାର ଶୋଭାବର୍ଦ୍ଧନ କରୁଥିବା ଏହି କଥାକୁହା ଭାରତୀୟ ଶୁଆ ସେଠାରେ ଭାରତୀୟ ମୁଦ୍ରାରେ ୨ରୁ ୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ। ବିଶେଷ କ୍ଷେତ୍ରରେ ଏହା ୧୦ ଲକ୍ଷ ଟଙ୍କା ବି ହୋଇଥାଏ। କାରଣ ଏହି ଭାରତୀୟ କଥାକୁହା ଶୁଆର ଅନେକ ବିଶେଷତ୍ବ ରହିଛି। ଜନ୍ମରୁ ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଉଥିବା ଏହି ପ୍ରଜାତିର ଶୁଆକୁ ଯେ କୌଣସି ଭାଷାରେ କଥା ଶିଖାଇଲେ ସେ ଅତି ସ୍ପଷ୍ଟ ଭାବେ ସେହି ଭାଷାରେ କଥା କହିବାକୁ ସକ୍ଷମ ହୋଇଥାଏ। ଏଥିପାଇଁ ଏହାର ଚାହିଦା ଦିନକୁ ଦିନ ବୃଦ୍ଧିପାଉଛି।