ଭାରତୀୟ ପର୍ଯ୍ୟଟକଙ୍କୁ ଟାଣୁଛି ମାଲେସିଆ

ଭୁବନେଶ୍ବର : ମାଲେସିଆକୁ ବିମାନ ଚଳାଚଳ ପରେ ମାଲେସିଆ ବୁଲିବା ପାଇଁ ଓଡ଼ିଶାର ପର୍ଯ୍ୟଟକଙ୍କ ମଧ୍ୟରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଛି। କେବଳ ଓଡ଼ିଶା ନୁହେଁ, ବରଂ ଭାରତରୁ ମାଲେସିଆକୁ ଯାଉଥିବା ପର୍ଯ୍ୟଟକ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଛି। ୨୦୧୭ରେ ଭାରତରୁ ମାଲେସିଆକୁ ମୋଟ୍‌ ୫ଲକ୍ଷ ୫୨ ହଜାର ୭୩୯ ଜଣ ପର୍ଯ୍ୟଟକ ଭ୍ରମଣ କରିଥିଲେ। ସେହିଭଳି ୨୦୧୮ରେ ଜାନୁଆରିରୁ ନଭେମ୍ବର ମାସ ମଧ୍ୟରେ ମାଲେସିଆକୁ ୫ଲକ୍ଷ ୪୭ ହଜାର ଭାରତୀୟ ପର୍ଯ୍ୟଟକ ଯାତ୍ରା କରିଛନ୍ତି।‌ ପରିସଂଖ୍ୟାନ ତଥ୍ୟ ମୁତାବକ ମୋଟ୍‌ ୯.୫ ପ୍ରତିଶତ ପର୍ଯ୍ୟଟକଙ୍କ ଭ୍ରମଣ ବୃଦ୍ଧି ପାଇଛି।

ଏଥିପାଇଁ ମାଲେସିଆ ପର୍ଯ୍ୟଟନ ପକ୍ଷରୁ ଭୁବନେଶ୍ବରକୁ ମାଲେସିଆର ୨୧ଟି ସଂଗଠନ ଆସି ଭାରତୀୟ ହୋଟେଲ ଶିଳ୍ପ ସହ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷ, ଟୁର୍‌ ଅପରେଟର, ଏୟାରଲାଇନ୍‌ସ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ସହ ବ୍ୟବସାୟ ସମ୍ବନ୍ଧରେ କଥାବାର୍ତା ହୋଇଛନ୍ତି। ଇଣ୍ଟରନେସ୍‌ନାଲ୍‌ ମାର୍କେଟିଙ୍ଗ୍‌ ଡିଭିଜନ୍‌ (ଦକ୍ଷିଣ ଏସିଆ) ବରିଷ୍ଠ ଉପନିର୍ଦେଶକ ମହମ୍ମଦ ତଇବ୍‌ ବି ଇବ୍ରାହିମ୍‌ କହିଛନ୍ତି ଯେ, ୨୧୭ ସିଡି ବିଶିଷ୍ଟ ବିଶାଳ ବାଟୁକେଭ୍‌ସ ହିନ୍ଦୁ ମନ୍ଦିରଠୁ ନେଇ ପୁରସ୍କୃତ ହୋଇଥିବା ଲେଗୋଲାଣ୍ଡ୍‌ ମାଲେସିଆ ଥିମ୍‌ ପାର୍କ ଏବଂ ବହୁ ଆକର୍ଷଣୀୟ ଐତିହ୍ୟ ଓ ଜୈବ ପର୍ଯ୍ୟଟନସ୍ଥଳୀ ରହିଛି। ଏଥିସହ ସେଠାରେ ୨୬ ପ୍ରତିଶତ ତାମିଲ୍‌ ରହୁଛନ୍ତି। ଦକ୍ଷିଣ ଭାରତୀୟ ଏବଂ ଉତ୍ତର ଭାରତୀୟ ଖାଦ୍ୟ ମଧ୍ୟ ଉପଲବ୍ଧ ହେଉଛି। ଏହା ବହୁ ସଂଖ୍ୟାରେ ଭାରତୀୟ ପର୍ଯ୍ୟଟକଙ୍କୁ ମାଲେସିଆ ଟାଣିପାରୁଛି ବୋଲି ସେ କହିଛନ୍ତି। ୨୦୨୦ ସୁଦ୍ଧା ଭାରତରୁ ମାଲେସିଆକୁ ପର୍ଯ୍ୟଟକଙ୍କ ଭ୍ରମଣ ୧୦ ଲକ୍ଷରେ ପହଞ୍ଚାଯିବ ବୋଲି ଶ୍ରୀ ଇବ୍ରାହିମ୍‌ କହିଛନ୍ତି।

ଟୁର୍‌ ଅପରେଟର ସଂସ୍ଥା ‘ଡି ଭୋୟାଗର୍‌’ର ନିର୍ଦେଶକ ଲକି ସିଂହଙ୍କ କହିବା ମୁତାବକ, ଏୟାର ଏସିଆ ବିମାନ ଚଳାଚଳ ପରେ ଓଡ଼ିଶାରୁ ମାଲେସିଆକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଯାଉଛନ୍ତି। ବିଶେଷକରି ସପରିବାର ଭ୍ରମଣ ସହ ସବୁ ବର୍ଗଙ୍କୁ ସୁହାଇବା ଭଳି ପସନ୍ଦର ସ୍ଥାନ ରହିଛି। ଏଥିସହ ୩ଦିନ ୨ ରାତିର ଟୁର୍‌ ପ୍ୟାକେଜ୍‌ ୭ ହଜାର ଟଙ୍କାରୁ ଆରମ୍ଭ ହେଉଛି। ତେଣୁ ଭୁବନେଶ୍ବରରେ କିଛିମାସ ତଳେ ‘ବିଟୁବି’ ବୈଠକ ଜରିଆରେ ବହୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯାଇପାରିଥିଲା। ଏଥର ବି ସେଇ ସଂଖ୍ୟା ଜାରି ରହିବ ବୋଲି ବିଶ୍ବାସ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର