ଭୁବନେଶ୍ୱର : କେନ୍ଦ୍ର ମୋଦୀ ସରକାରଙ୍କ ଦ୍ବାରା ପ୍ରଣୀତ ୩ଟି କଳା କୃଷି ଆଇନକୁ ନେଇ ସାରା ଦେଶରେ ଚାଷୀମାନେ ଆନ୍ଦୋଳକୁ ଓହ୍ଲାଇଛନ୍ତି। ଆସନ୍ତାକାଲି ଭାରତ ବନ୍ଦକୁ ମଧ୍ୟ ଅଧିକାଂଶ ରାଜନୈତିକ ଦଳ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। କୃଷକମାନଙ୍କ ଦାବିକୁ ସମର୍ଥନ କରି ପ୍ରଦେଶ କଂଗ୍ରେସ କମିଟି ମଧ୍ୟ ବନ୍ଦରେ ସାମିଲ ହେବା ନେଇ ଘୋଷଣା କରିଛି। ଏଭଳି ସ୍ଥିତିରେ ଚାଷୀଙ୍କ ବନ୍ଧୁ ବୋଲି ଡିଣ୍ଡିମ ପିଟୁଥିବା ବିଜୁ ଜନତା ଦଳ ଚୁପ୍ କାହିଁକି? ଆଜି ଏକ ପ୍ରେସ୍ ବିବୃତି ଜାରି କରି ଏହି ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରିସଂହ ମିଶ୍ର କହିଛନ୍ତି, ରାଜ୍ୟସଭା ଓ ଲୋକସଭାରେ କେନ୍ଦ୍ର କୃଷି ବିଲ୍କୁ ବିଜେଡି ବିରୋଧ କରିଥିଲା ବୋଲି କହିଥିଲେ। ଏବେ ଯେତେବେଳେ ୧୮ଟି ରାଜନୈତିକ ଦଳ ଏକାଠି ହୋଇ କେନ୍ଦ୍ର ଆଇନ ପ୍ରତ୍ୟାହାର ପାଇଁ କୃଷକମାନଙ୍କ ସମର୍ଥନରେ ବାହାରିଛନ୍ତି, ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି?
ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, କୃଷକ ଭାଇ ଓ ଭଉଣୀମାନେ କୃଷି ଆଇନକୁ ବିରୋଧ କରିବା ସମ୍ପୂର୍ଣ୍ଣ ଯଥାର୍ଥ ଓ ଯୁକ୍ତି ସଂଗତ। ଆନ୍ଦୋଳନକୁ ଦେଶର ବହୁ ଆଞ୍ଚଳିକ ଦଳ ପୂର୍ଣ୍ଣ ସମର୍ଥନ କରି ବନ୍ଦରେ ସାମିଲ ହୋଇଥିବାବେଳେ ବିଜେଡି ସମ୍ପୂର୍ଣ୍ଣ ନିରବ ରହିବା ଚାଷୀକୂଳ ପ୍ରତି ଚରମ ଧୋକା। ବିଜେଡିର ନିରବ ରହିବା ପ୍ରମାଣ କରୁଛି ଯେ ଏହି ଦଳ ଚାଷୀ ବିରୋଧୀ ଓ ବିଜେପି ସହିତ ସମ୍ପୂର୍ଣ୍ଣ ସାମିଲ ଅଛି। ଏହି କଳା ଆଇନ ବିଜେପି-ବିଜେଡିର ଅସଲ ଚେହେରା, ଚିତ୍ର, ଚରିତ୍ର ଓ ଚାଲ୍କୁ ପର୍ଦ୍ଦାଫାଶ କରିଛି। ରାଜ୍ୟ ଓ ଦେଶର କୃଷକମାନଙ୍କର ଏପରି ପ୍ରତିବାଦକୁ ଦୃଢ଼ ସମର୍ଥନ ଜଣାଇ ଓଡ଼ିଶାର କୋଣ ଅନୁକୋଣରେ ବନ୍ଦକୁ ପୂର୍ଣ୍ଣ ସଫଳ କରିବାକୁ ହଜାର ହଜାର କଂଗ୍ରେସ କର୍ମୀ ରାଜରାସ୍ତାକୁ ଓହ୍ଲାଇବାକୁ ଯାଉଛନ୍ତି ବୋଲି ପିସିସି ସଭାପତି କହିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି, ଭାରତର ଚାଷୀ ଆନ୍ଦୋଳନ କଥା ଜାତିସଂଘରେ ଉଠିଲାଣି। ସବୁ ରାଜ୍ୟର ଚାଷୀମାନେ ଏକାଠି ହୋଇ ବିରୋଧ କରିବା ଆରମ୍ଭ କରିଛନ୍ତି। ଆନ୍ଦୋଳନକୁ ପ୍ରାୟ ୨୦ଟି ରାଜନୈତିକ ଦଳ ସମର୍ଥନ ଦେଉଛନ୍ତି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ତାଙ୍କ ମନ୍ତ୍ରୀ ଗତ ବିଧାନସଭା ଅଧିବେଶନରେ ରାଜ୍ୟ କୃଷି ବିଲ୍ ଆଗତ କରି କହିଥିଲେ, କେନ୍ଦ୍ର କୃଷି ବିଲ୍କୁ ବିଜେଡି ଲୋକସଭା ଓ ରାଜ୍ୟସଭାରେ ବିରୋଧ କରିଥିଲା। ବିଜେଡି ଚାଷୀ ବିରୋଧୀ ନୁହେଁ। କିନ୍ତୁ ସଂସଦରେ ଯେଉଁ କୃଷି ବିଲ୍ ପାରିତ ହୋଇଛି, ରାଜ୍ୟ ବିଲ୍ ତାହା ନୁହଁ ବୋଲି ମନ୍ତ୍ରୀ ବିଧାନସଭାରେ କହିଥିଲେ। ଅଥଚ କେନ୍ଦ୍ର ଢାଞ୍ଚାରେ ବିଧାନସଭାରେ ବିଲ୍ ଅଣାଗଲା। ଏବେ ଖୋଦ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ, ଏ ବନ୍ଦ ସପକ୍ଷରେ ନା ବିପକ୍ଷରେ? ଚାଷୀ ସମାଜର ଦାବିକୁ ସମର୍ଥନ କରୁଛନ୍ତି ନା ବିରୋଧ କରୁଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ନିରୁତ୍ତର ରହିବେ ତାହେଲେ ଧରି ନିଆଯିବ ଯେ, ସେ ଚାଷୀ ବିରୋଧୀ ଓ କେନ୍ଦ୍ର ସରକାରଙ୍କ ଗୋଡ଼ାଣିଆ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Niranjan_Patnaik.jpg)