ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଦେଶର ପ୍ରଥମ ଘରୋଇ ପାୱାର ହାଉସ ଥିଲା। ଗାନ୍ଧୀଛକ ନିକଟରେ ଥିବା ଏହି ପାୱାର ହାଉସ କଳାହାଣ୍ଡି ମହାରାଜା ବ୍ରଜମୋହନ ଦେଓଙ୍କ ଉଦ୍ୟମ କ୍ରମେ ଆରମ୍ଭ ହୋଇଥିଲା। ଏବେ ମଧ୍ୟ ବିଜୁଳି ଉତ୍ପାଦନ ପାଇଁ ବ୍ୟବହାର ହୋଇଥିବା ଜର୍ମାନୀର ମେସିନଗୁଡ଼ିକ ଖତ ଖାଇ ପଡ଼ିରହିଛି। ଇତିହାସର ମୂକସାକ୍ଷୀ ପାଲଟିଥିବା ଏହି ପାୱାର ହାଉସ କଳାହାଣ୍ଡିବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଯେ, ୧୯୧୦ ମସିହାରେ ପଞ୍ଜାବର ଗୁରୁଦାସପୁର ଜିଲ୍ଲା ଶେଖମାର ସର୍ଦାର ପାଲା ସିଂହଙ୍କୁ କଳାହାଣ୍ଡି ମହାରାଜା ବ୍ରଜମୋହନ ଦେଓ ଭବାନୀପାଟଣା ଆଣିଥିଲେ। ପାଲା ସିଂ ଜଣେ ଏଲେକ୍ଟ୍ରିକ୍ ମେକାନିକାଲ ଇଞ୍ଜିନିୟର ଥିଲେ। କଳାହାଣ୍ଡି ମହାରାଜାଙ୍କ ବୈଷୟିକ ଉପଦେଷ୍ଟା ଭାବେ ସେ କାର୍ଯ୍ୟ କରୁଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ବିଜୁଳି ଆଲୁଅ ପାଇଁ ଜେନେରେଟର ସାହାଯ୍ୟରେ ବିଦ୍ୟୁତ ଉତ୍ପାଦନ ନିମନ୍ତେ ପାୱାର ହାଉସ ସ୍ଥାପନ କରାଯାଇଥିଲା।
ଗାନ୍ଧୀଛକ ନିକଟରେ ୧୯୨୫ ମସିହାରେ ପାୱାର ହାଉସ ନିର୍ମାଣ ହୋଇଥିଲା। ବର୍ତ୍ତମାନର ଗାନ୍ଧୀଛକ ନିକଟରେ ଥିବା ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ପାୱାର ହାଉସଠାରୁ ସହରକୁ ବିଜୁଳି ଯୋଗାଣ ହେଉଥିଲା। ବର୍ତ୍ତମାନ ଏଠାରେ ବିଦ୍ୟୁତ ବିଭାଗର ପାୱାର ହାଉସ ସବ୍ଡିଭିଜନ କାର୍ଯ୍ୟାଳୟ ଚାଲୁଛି। ୧୯୨୫ ମସିହାରେ ଆରମ୍ଭ ହୋଇଥିବା ଦେଶର ଘରୋଇ ପାୱାର ହାଉସ ନିର୍ମାଣରେ ଜର୍ମାନ ମେସିନଗୁଡ଼ିକ ଲାଗିଥିଲା। ପ୍ରଥମ ପର୍ଯ୍ୟାୟରେ ପାୱାର ହାଉସଠାରୁ ରାଜବାଟି ଏବଂ ରାଜବାଟିଠାରୁ ବର୍ତ୍ତମାନର ମେଟରନିଟି ୱାର୍ଡ ପର୍ଯ୍ୟନ୍ତ ବିଭିନ୍ନ ଛକରେ ଲୁହା ପାଇପରେ ବିଜୁଳି ବତି ଲଗାଯାଇଥିଲା। ସନ୍ଧ୍ୟା ହେଲେ ପାୱାର ହାଉସର ଜେନେରେଟର ଶବ୍ଦ ଆରମ୍ଭ ହେବା ପରେ ଛକମାନଙ୍କର ବିଜୁଳି ବତି ଜଳି ଉଠୁଥିଲା। କଳାହାଣ୍ଡି ମହାରାଜାଙ୍କ ଉଦ୍ୟମ ଏବଂ ସର୍ଦାର ପାଲା ସିଂହଙ୍କ ମାର୍ଗଦର୍ଶନରେ ଭବାନୀପାଟଣାର ବିଦ୍ୟୁତ୍କରଣ ଆରମ୍ଭ ହୋଇଥିଲା।
୧୯୪୭ ମସିହା ପରେ ଏହାର ଗୋଟିଏ ମେସିନ ଭୁବନେଶ୍ୱର ପାୱାର ହାଉସକୁ ନିଆଯାଇଥିଲା। ସେହିଭଳି ଅନ୍ୟ ଏକ ମେସିନ ଭୁବନେଶ୍ୱର ରାଜଭବନ ପରିସରକୁ ନିଆଯାଇଥିଲା। ଭବାନୀପାଟଣା ସହରର ଆଲୋକୀକରଣ ସେତେବେଳେ ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ପରେ ପାୱାର ହାଉସରୁ ବାହାଦୁର ବଗିଚା ପଡ଼ା, ମନ୍ଦାର ବଗିଚା ପଡ଼ା ଓ ଅନ୍ୟ ପଡ଼ାମାନଙ୍କୁ ମଧ୍ୟ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ହୋଇଥିଲା। ଭବାନୀପାଟଣା ସହରରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଦେଶ ପାଇଁ ଏକ ନିଆରା ଅନୁଭୂତି ଥିଲା। ଯେତେବେଳେ ଦେଶରେ କାରିଗରୀ କୌଶଳ ବିକଶିତ ହୋଇ ନଥିଲା କଳାହାଣ୍ଡି ଜିଲ୍ଲାରେ ୯୬ ବର୍ଷ ପୂର୍ବରେ ସହରର ବିଭିନ୍ନ ଛକକୁ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ। ମେକାନିକାଲ ଇଞ୍ଜିନିୟର ସର୍ଦାର ପାଲା ସିଂହ ପଞ୍ଜାବରୁ ଆସି ଭବାନୀପାଟଣା ସହରବାସୀଙ୍କ ଆଲୁଅ ଦେଖାଇବା ଇତିହାସର ସ୍ବର୍ଣ୍ଣିମ ଅକ୍ଷରରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ।
ନେପାଳ ମହାରାଜାଙ୍କର ଏକ ଗାଡ଼ି ଜଳ ଜାହାଜ ଯୋଗେ କଲିକତା ବନ୍ଦରରେ ପହଞ୍ଚିଥିଲା। ସେତେବେଳେ କଲିକତାଠାରୁ ନେପାଳକୁ ନେବା ପାଇଁ କଳାହାଣ୍ଡି ମହାରାଜାଙ୍କ ସହାୟତା ଲୋଡ଼ିଥିଲେ। କଳାହାଣ୍ଡି ମହାରାଜା ସର୍ଦାର ପାଲା ସିଂହଙ୍କୁ ଏଥିରେ ସହଯୋଗ କରିବା ପାଇଁ କଲିକତା ପଠାଇଥିଲେ। ସର୍ଦାର ପାଲା ସିଂହ କଲିକତାରେ ପହଞ୍ଚି ନୂଆ ଗାଡ଼ିକୁ ସଡ଼କ ପଥରେ ନେପାଳରେ ପହଞ୍ଚାଇ ଥିଲେ। ଏଥିପାଇଁ ନେପାଳ ମହାରାଜା ସର୍ଦାର ପାଲା ସିଂହଙ୍କୁ ଶ୍ରେଷ୍ଠ ଡ୍ରାଇଭର ଓ ଶ୍ରେଷ୍ଠ ମେକାନିକ ଭାବେ ପୁରସ୍କୃତ କରିଥିଲେ। ସେହିଭଳି କଳାହାଣ୍ଡି ମହାରାଜ ମଧ୍ୟ ପାଲା ସିଂହଙ୍କୁ ବିଭିନ୍ନ ସମୟରେ ସମ୍ମାନିତ କରିଛନ୍ତି। ଭବାନୀପାଟଣା ସହରର ଘରୋଇ ପାୱାର ହାଉସ ଇତିହାସ ପାଲଟିଯାଇଛି। କିନ୍ତୁ ଏହାର ଉଦ୍ୟମ ଓ କାରିଗରୀ କୌଶଳ ସ୍ମୃତି ହୋଇ ରହିଛି। ଏଭଳି ସ୍ଥିତିରେ ବର୍ତ୍ତମାନ ମଧ୍ୟ ମେସିନଗୁଡ଼ିକର ଅବଶିଷ୍ଟ ଯନ୍ତ୍ରାଂଶ ଏକ ଅନ୍ଧାରୁଆ ଗର୍ଭଗୃହରେ ପଡ଼ି ଖତ ଖାଉଛି।