କିସ୍‌ରେ ରାଜ୍ୟଗୋଷ୍ଠୀ ବିଶାଳ ମଧ୍ୟାହ୍ନ ଭୋଜନ

୩୦ ହଜାର ଛାତ୍ରଛାତ୍ରୀଙ୍କ ସହ ବସି ଖାଇଲେ ୫୩ ଦେଶର ପ୍ରତିନିଧି

ଭୁବନେଶ୍ୱର : କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍‌ସେସ୍‌ (କିସ୍‌) ପକ୍ଷରୁ ବ୍ରିଟିଶ୍‌ କାଉନ୍‌ସିଲ୍‌ ଇଣ୍ଡିଆ ସହଯୋଗରେ ଆଜି ରାଜ୍ୟଗୋଷ୍ଠୀ ବିଶାଳ ମଧ୍ୟାହ୍ନଭୋଜନ ଆୟୋଜିତ ହୋଇଯାଇଛି। ଏହି ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମରେ କିସ୍‌ର ମେଗା କିଚେନ୍‌ରେ ପ୍ରସ୍ତୁତ ବ୍ୟଞ୍ଜନକୁ କିସ୍‌ର ୩୦ ହଜାର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହ ୫୩ଟି ରାଜ୍ୟଗୋଷ୍ଠୀ ଦେଶର ହାଇକମିସନର, ପ୍ରତିନିଧି ଓ ବ୍ରିଟିଶ୍‌ କାଉନ୍‌ସିଲ୍‌ର ପ୍ରତିଧିନିମାନେ ଏକାଠି ବସି ଖାଇଥିଲେ। ଏହା ସେମାନଙ୍କୁ ଏକ ଭିନ୍ନ ଅନୁଭବ ଦେଇଥିଲା।

ସକାଳେ ରାଜ୍ୟଗୋଷ୍ଠୀ ଦେଶର ପ୍ରତିନିଧିମାନେ ପହଞ୍ଚିବା ପରେ କିସ୍‌ ଛାତ୍ରଛାତ୍ରୀମାନେ ସେମାନଙ୍କୁ ପାରମ୍ପରିକ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ସେମାନେ କିସ୍‌ର ମେଗା କିଚେନ୍‌ ସମେତ ବିଭିନ୍ନ ବିଭାଗ ବୁଲି ଦେଖିବା ସହ କିସ୍‌ ପିଲାଙ୍କ ଦ୍ୱାରା ପସ୍ତୁତ ହସ୍ତଶିଳ୍ପ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହା ବ୍ୟତୀତ ସେମାନେ କିସ୍‌ ପରିସରରେ ରାଜ୍ୟଗୋଷ୍ଠୀ ଗୃହର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଶ୍ୱରେ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାର୍ତା ପ୍ରଚାର ଉଦ୍ଦେଶ୍ୟରେ ସେମାନେ ୫୩ଟି ପାରା ଉଡ଼ାଇଥିଲେ। ମଧ୍ୟାହ୍ନ୧୨ଟାରୁ ଅପରାହ୍ନ୧ଟା ପର୍ଯ୍ୟନ୍ତ ଆୟୋଜିତ ବିଶାଳ ମଧ୍ୟାହ୍ନଭୋଜନରେ ଯୋଗଦେଇ ଏକ ସମୟରେ ଗୋଟିଏ ସ୍ଥାନରେ କିସ୍‌ର ଛାତ୍ରଛାତ୍ରୀଙ୍କ ସହ ଭୋଜନ କରିଥିଲେ।

ଏହି ଅବସରରେ ବ୍ରିଟିଶ୍‌ କାଉନ୍‌ସିଲ୍‌ର ଭାରତ ନିର୍ଦ୍ଦେଶକ ଆଲାନ୍‌ ଗେମେଲ୍‌ ଓବିଇ କହିଲେ ଯେ ଶିକ୍ଷା ମାଧ୍ୟମରେ ଜନଜାତି ପିଲାମାନଙ୍କ ସଶକ୍ତୀକରଣ ନେଇ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଆମକୁ ଉତ୍ସାହିତ କରିଛି। ବ୍ରିଟିଶ୍‌ କାଉନ୍‌ସିଲ୍‌ ପକ୍ଷରୁ ଏଭଳି ବିଶାଳ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ଭାରତରେ ଆୟୋଜନ ପାଇଁ ଆମକୁ ଯେତେବେଳେ କୁହାଗଲା, ଆମେ ସେତେବେଳେ କିସ୍‌ରେ ଏହାକୁ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲୁ। କିସ୍‌ର ୨୭ହଜାର ଜନଜାତି ଛାତ୍ରଛାତ୍ରୀଙ୍କ ସହ ରାଜ୍ୟଗୋଷ୍ଠୀ ଦେଶଗୁଡ଼ିକର ପ୍ରତିନିଧିମାନେ ଏକାଠି ବସି ଭୋଜନ କରିବା ଆମ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ଗେମେଲ୍‌ କହିଥିଲେ। ଅପରପକ୍ଷରେ ବ୍ରିଟିଶ୍‌ କାଉନ୍‌ସିଲ୍‌ ତାର ୭୦ବର୍ଷ ପୂର୍ତ୍ତି ପାଳନ ଅବସରରେ ଏଭଳି ବିଶାଳ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଏସିଆ ମହାଦେଶର ଏକମାତ୍ର ଅନୁଷ୍ଠାନ କିସ୍‌କୁ ମନୋନୀତ କରିଥିବାରୁ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବ୍ରିଟେନ୍‌ ସରକାର ଏବଂ ବ୍ରିଟିଶ୍‌ କାଉନ୍‌ସିଲ୍‌କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ବିଶାଳ ମଧ୍ୟାହ୍ନଭୋଜନ ପାଇଁ ବ୍ରିଟିଶ୍‌ କାଉନ୍‌ସିଲ୍‌ ପକ୍ଷରୁ ୩୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଭାରତର କିସ୍‌ ସମେତ ବିଶ୍ୱର ୫ଟି ଦେଶ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଘାନା ଓ ଇଡେନ୍‌ବର୍ଗକୁ ବ୍ରିଟିଶ୍‌ କାଉନ୍‌ସିଲ୍‌ ମନୋନୀତ କରିଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଖାଦ୍ୟ ଜରିଆରେ ରାଜ୍ୟଗୋଷ୍ଠୀ ଦେଶଗୁଡ଼ିକର ଲୋକମାନେ ସେମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ଓ ସାମାଜିକ ପ୍ରତିବଦ୍ଧତା ବଜାୟ ରଖିବା। ଦୀର୍ଘ ୨୫ବର୍ଷ କାଳ କିସ୍‌ରେ ଦୈନିକ ହାରାହାରି ୧ଲକ୍ଷ ଭୋଜନ ପ୍ରସ୍ତୁତ କରାଯାଇଆସୁଛି। ପୂର୍ବରୁ ୨୦୧୧ ମସିହାରେ ସୁପ୍ରିମ୍‌କୋର୍ଟ ସମେତ ଅନ୍ୟାନ୍ୟ ଉଚ୍ଚନ୍ୟାୟାଳୟର ୨୫୦ ବିଚାରପତି କିସ୍‌ ଛାତ୍ରଛାତ୍ରୀଙ୍କ ସହ ସମୂହ ମଧ୍ୟାହ୍ନଭୋଜନ କରି କିସ୍‌କୁ ଗୌରବାନ୍ଵିତ କରିଥିଲେ।

ସମ୍ବନ୍ଧିତ ଖବର