ରାଉରକେଲା: ଜାନୁଆରି ୧୩ ତାରିଖରୁ ରାଉରକେଲା ଓ ଭୁବନେଶ୍ବରରେ ଖେଳାଯିବାକୁ ଥିବା ପୁରୁଷ ବିଶ୍ବକପ୍‌ ପାଇଁ ଭାରତୀୟ ଦଳର ଗ୍ରୁପ୍‌ ପର୍ଯ୍ୟାୟର ଦୁଇ ପ୍ରତିଦ୍ବନ୍ଦୀ, ସ୍ପେନ୍‌ ଓ ୱେଲସ୍‌ ଦଳ ରବିବାର ରାଉରକେଲାରେ ପହଞ୍ଚିଛନ୍ତି। ଆଜି ପୂର୍ବାହ୍ନରେ ୱେଲ୍‌ସ ଦଳ ପହଞ୍ଚିଥିବାବେଳେ ଅପରାହ୍ନରେ ସ୍ପେନ୍‌ ଦଳ ପହଞ୍ଚିଥିଲା। ଉଭୟ ଦଳ ଭୁବନେଶ୍ବରରୁ ସ୍ବତନ୍ତ୍ର ଚାଟାର୍ଡ‌୍ ଫ୍ଲାଇଟ୍‌ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିଥିଲେ।

Advertisment

ଭାରତୀୟ ଦଳ ରାଉରକେଲାସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ତା’ର ବିଶ୍ବକପ୍‌ ଅଭିଯାନ ସ୍ପେନ୍‌ ବିପକ୍ଷରେ ଆରମ୍ଭ କରିବ। ଉଭୟ ଦଳ ଜାନୁଆରି ୧୩ ତାରିଖ ସନ୍ଧ୍ୟା ୭ଟାରେ ମୁହାଁମୁହିଁ ହେବେ। ସେହିଭଳି ୱେଲସ୍‌ ଦଳ ରାଉରକେଲାରେ ତା’ର ପ୍ରଥମ ମ୍ୟାଚ୍‌ ଇଲଣ୍ଡ ବିପକ୍ଷରେ ଖେଳିବ। ଉଦ୍‌ଘାଟନୀ ଦିନ, ଅର୍ଥାତ୍‌ ଜାନୁଆରି ୧୩ ତାରିଖରେ ଉଭୟ ଦଳ ଭେଟାଭେଟି ହେବେ। ରାଉରକେଲାରେ ପାଦ ଦେବାପରେ ଉଭୟ ଦଳର ଅଧିନାୟକ ଓ ମୁଖ୍ୟ କୋଚ୍‌ ଏହି ଷ୍ଟାଡିୟମ୍‌, ଏଠାକାର ପରିବେଶକୁ ଉଚ୍ଚ ପ୍ରଶଂସା କରିଛନ୍ତି। ୨୦ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ସମ୍ମୁଖରେ ଖେଳିବାକୁ ନେଇ ଉତ୍ସୁକ ଥିବା ଦର୍ଶାଇଛନ୍ତି।

ପ୍ରତିକ୍ରିୟା:

‘ଯଦି କେହି ପଚାରନ୍ତି କି ସେମାନେ କେଉଁ ଦଳ ବିପକ୍ଷରେ ଖେଳିବାକୁ ପସନ୍ଦ କରିବେ; ତେବେ ପ୍ରାୟ ସମସ୍ତଙ୍କର ଉତ୍ତର ଆସିବ ଭାରତ। ସମସ୍ତେ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଭାରତ ବିପକ୍ଷରେ ଖେଳିବାକୁ ଚାହୁଁଛନ୍ତି। ଆମ ଦଳ ପୁରା ପ୍ରସ୍ତୁତ ଅଛି। ଉପଯୁକ୍ତ ତାଲିମ ନେଇଛୁ ଓ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲୁ। ରାଉରକେଲା ଷ୍ଟାଡିୟମ ଆକାରରେ ବହୁତ ବଡ଼ ଥିବାରୁ ତଦନୁଯାୟୀ ଭିଡ଼ ମଧ୍ୟ ଢ଼େର୍‌ ଅଧିକ ରହିବ। ଏଣୁ ଦର୍ଶକଙ୍କ ପ୍ରବଳ ପାଟିତୁଣ୍ଡ, ହଟ୍ଟଗୋଳରେ ସାଥୀ ଖେଳାଳି, ରେଫରିଙ୍କ ନିର୍ଦ୍ଦେଶ ଶୁଣିବା କଷ୍ଟକର ହେବ। କିନ୍ତୁ ଏଭଳି ଅବିଶ୍ୱସନୀୟ ରୋମାଞ୍ଚକର ପରିବେଶରେ ଖେଳିବାକୁ ଆମେ ବିଶେଷ ଆଗ୍ରହୀ।’

ଆଲବେରା ଇଗ୍ଲେସିଆସ୍‌, ଅଧିନାୟକ, ସ୍ପେନ୍‌

‘ଭାରତକୁ ଫେରିବା ଆମ ପାଇଁ ଗୌରବ ଓ ଆନନ୍ଦର ବିଷୟ। ଆମେ ଭାରତରେ ଖେଳିବାକୁ ବେଶ୍‌ ଭଲ ପାଉ। ବାସ୍ତବରେ ଭାରତ ବିପକ୍ଷ ପ୍ରଥମ ମୁକାବିଲା ପାଇଁ ଅପେକ୍ଷାରତ। ନିକଟ ଅତିତରେ ଦଳ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲା। ଆମେ ଭାରତରେ ଖେଳିବାରେ ଅଭ୍ୟସ୍ତ। ଖେଳରେ ଉନ୍ନତି ଆଣିବବୋଲି ଆଶା ରହିଛି। ରାଉରକେଲାର ବିରାଟ ପଡ଼ିଆରେ ପ୍ରତିଦ୍ୱନ୍ଦ୍ୱିତା କରିବା ସମସ୍ତଙ୍କ ପାଇଁ ଏକ ଆହ୍ବାନ ହେବ। କାରଣ,କରୋନା ମହାମାରୀ ଯୋଗୁଁ ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ଖେଳିବାର ଅଭ୍ୟାସ ନାହିଁ। ତେବେ ଏ ଦିଗରେ ଅଧିକ ଧ୍ୟାନ ନ ଦେଇ ନିଜ ଉପରେ ଧ୍ୟାନ ଦେବୁ। ଆମେ ଏକ ଯୁବ ଦଳ ଓ ଏହି ଦଳ ଚମତ୍କାର ପ୍ରଦର୍ଶନ କରିବ।

ମ୍ୟାକ୍ସ କାଲଡାସ୍‌, ମୁଖ୍ୟ କୋଚ୍‌, ସ୍ପେନ୍‌

ୱେଲ୍‌ସ ଦଳ

publive-image

‘ରାଉରକେଲାରେ ୨୦ ହଜାରରୁ ଅଧିକ ଦର୍ଶକଙ୍କ ସାମ୍ନାରେ ଖେଳିବା ଆମ ପାଇଁ ଏକ ଆହ୍ବାନ। ତେବେ ଆମେ ଖେଳ ମାଧ୍ୟମରେ ପ୍ରଶଂସକଙ୍କ ମନୋରଞ୍ଜନ କରିବା ସହ ସେମାନଙ୍କର ସମର୍ଥନ ହାସଲ କରିବୁ। ହୁଏତ ଆମକୁ ଭାରତ ବିପକ୍ଷ ମ୍ୟାଚ୍‌ରେ ଦର୍ଶକଙ୍କ ସମର୍ଥନ ମିଳିନପାରେ; କିନ୍ତୁ ଅନ୍ୟ ମ୍ୟାଚ୍‌ରେ ଯେଭଳି ଆମକୁ ସମର୍ଥନ ମିଳିବ, ସେଥିପ୍ରତି ଯତ୍ନବାନ ହେବୁ। ବାସ୍ତବରେ ଆମେ ଏତେ ସଂଖ୍ୟକ ଦର୍ଶକଙ୍କ ଉପସ୍ଥିତିରେ ପଡ଼ିଆକୁ ପସିବାକୁ ବହୁମାତ୍ରାରେ ଆଗ୍ରହୀ। ଆମେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଚାହୁଁଛୁ। ଆମର ଉତ୍କୃଷ୍ଟମାନର କ୍ରୀଡ଼ାକୌଶଳ ମାଧ୍ୟମରେ ବହୁ ପ୍ରଶଂସକଙ୍କ ସମର୍ଥନ ପାଇବାକୁ ଉଦ୍ୟମ କରିବୁ।’

ରୁପର୍ଟ ସିପର୍ଲି, ଅଧିନାୟକ, ୱେଲ୍‌ସ

‘ଆମର ବିଶ୍ବ ରୢାଙ୍କିଂକୁ ଦେଖି କୌଣସି ଦଳ ହାଲୁକାରେ ନେବା ଅନୁଚିତ। ଆମେ ତିନି ଚମତ୍କାର ଦଳ, ଯଥା-ଭାରତ, ଇଂଲଣ୍ଡ ଓ ସ୍ପେନ ବିପକ୍ଷରେ ଖେଳିବାକୁ ଯାଉଛୁ। ଆମେ ଜାଣୁ ଏହି ମ୍ୟାଚ୍‌ଗୁଡ଼ିକ ସଂଘର୍ଷପୂର୍ଣ୍ଣ ହେବ; ତେବେ ଆମେ ବିପକ୍ଷଙ୍କୁ ଚକ୍‌ମା ଦେଖାଇବାରେ ସକ୍ଷମ। ଏଠାକାର ପାଗ କୌଣସି ସମସ୍ୟା ହେବବୋଲି ମୁଁ ଭାବୁନାହିଁ। ୱେଲ୍ସର ବର୍ଷା ଓ ଥଣ୍ଡା ପାଗ ଅପେକ୍ଷା ଏଠାକାର ଗରମ ପାଗକୁ ଖେଳାଳି ଉପଭୋଗ କରିବେ। ଥଣ୍ଡା ପାଗ ତୁଳନାରେ ଓଡିଶାରେ ଉତ୍ତାପକୁ ଉପଭୋଗ କରିପାରନ୍ତି। ଏମିତି ବି ଏଠାରେ ବିଶେଷ ଗରମ ହେଉନି। ଆମେ ଭାରତରେ ଗ୍ରୀଷ୍ମ ସମୟରେ ଖେଳିବାରେ ଅଭିଜ୍ଞତା ରହିଛି।

ଡାନୀ ନ୍ୟୁକମ୍‌, ମୁଖ୍ୟ କୋଚ୍‌, ୱେଲ୍‌ସ