ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ବି ପୋଷ୍ୟ ସ୍କୁଲ ପ୍ରତି ଅନାଗ୍ରହ : ୧୩୫ ବିଧାୟକ ଗ୍ରହଣ କରିନାହାନ୍ତି

୧୩ ଜଣ ମନ୍ତ୍ରୀ, ବିଧାୟକ, ସାଂସଦ ଅପଣାଇଛନ୍ତି
ସର୍ବାଧିକ ୫୩ ଆଇଏଏସ୍ ସାମିଲ ହୋଇଛନ୍ତି
୧୧୪ ଜଣ ୧୪୪ ବିଦ୍ୟାଳୟକୁ ଗ୍ରହଣ କରିଛନ୍ତି

ଭୁବନେଶ୍ୱର : ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ଜାନୁଆରି ୨୫ରେ ଓଡ଼ିଶାର ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟର ସମସ୍ତ ବିଧାୟକ, ସାଂସଦଙ୍କୁ ଏସମ୍ପର୍କରେ ଚିଠି ଲେଖିଥିଲେ। ଲାଗୁଥିଲା ମୁଖ୍ୟମନ୍ତ୍ରୀଙ୍କ ଚିଠି ପାଇବା ପରେ କଂଗ୍ରେସ ଓ ବିଜେପି ନ ହେଲେ ନାହିଁ, ବିଜେଡି ବିଧାୟକ ଓ ସାଂସଦମାନେ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆଗଭର ହୋଇଉଠିବେ। ଇତି ମଧ୍ୟରେ ୧୦ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ଗ୍ରହଣ କରିବାକୁ ମନ୍ତ୍ରୀ, ବିଧାୟକ, ସାଂସଦମାନେ ଆଗ୍ରହ ପ୍ରକାଶ କରିନାହାନ୍ତି। ଗତକାଲି ସୁଦ୍ଧା ମାତ୍ର ୧୩ ଜଣ ମନ୍ତ୍ରୀ, ବିଧାୟକ ଓ ସାଂସଦ ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଏବଂ ମୋଟ ଉପରେ ୧୧୪ ଜଣ ବ୍ୟକ୍ତିବିଶେଷ ୧୪୪ଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ‘ମୋ ସ୍କୁଲ’ ପକ୍ଷରୁ ସୂଚନା ଦିଆଯାଇଛି।

ଯେଉଁଥିରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପଞ୍ଜାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ରହିଛନ୍ତି। ଏମାନଙ୍କ ବ୍ୟତୀତ ରାଜ୍ୟସଭା ସାଂସଦ ସୁବାସ ସିଂ ଓ ସୁଜିତ କୁମାର, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, କଂଗ୍ରେସ ବିଧାୟକ ଦଳ ନେତା ତଥା ନରସିଂହ ମିଶ୍ର ଓ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ରହିଛନ୍ତି। ଏମାନେ ନିଜେ ପଢିଥିବା କିମ୍ବା କିଛି ସ୍ମୃତି ସହ ଜଡ଼ିତ ଥିବା ୨୯ଟି ସରକାରୀ ବିଦ୍ୟାଳୟକୁ ପୋଷ୍ୟଭାବେ ଗ୍ରହଣ କରିଛନ୍ତି।

ସବୁଠାରୁ ବଡ଼ କଥା ହେଲା ଯେ ବିଜେଡିର ଜଣେ ବି ହେଲେ ଲୋକସଭା ସାଂସଦ ଏପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଆପଣାଇ ନାହାନ୍ତି। ଓଡ଼ିଶାର ବର୍ତ୍ତମାନ ଥିବା ୧୪୬ ବିଧାୟକଙ୍କ ମଧ୍ୟରୁ ମାତ୍ର ୧୧ ଜଣ ସ୍କୁଲ ଆପଣାଇଥିବା ବେଳେ ଆହୁରି ୧୩୫ ଜଣ ଏଭଳି ଏକ କାର୍ଯ୍ୟକ୍ରମକୁ ମୁହଁ ଫେରାଇଥିବା ପରି ମନେ ହେଉଛି। ବିଶେଷକରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଆହ୍ବାନ ପରେ ବିଜେଡି ବିଧାୟକ ଓ ସାଂସଦମାନେ କାହିଁକି ଏକ୍ଷେତ୍ରରେ ଆଗଭର ହେଉ ନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି। ଏପର୍ଯ୍ୟନ୍ତ ଜଣେ ବି ହେଲେ ବିଜେପି ବିଧାୟକ କିମ୍ବା ଦୁଇ କେନ୍ଦ୍ରମନ୍ତ୍ରୀ ଗୋଟିଏ ବି ହେଲେ ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିନାହାନ୍ତି।

ସେହିପରି ୫୩ଜଣ ଆଇଏଏସ୍ ୫୯ଟି ବିଦ୍ୟାଳୟକୁ ପୋଷ୍ୟଭାବେ ଗ୍ରହଣ କରିଥିବା ବେଳେ ଓଡ଼ିଶା ପ୍ରଶାସନିକ ସେବାର ୨୬ଜଣ ବରିଷ୍ଠ ଅଧିକାରୀ ୩୧ଟି ସ୍କୁଲ୍‌କୁ ପୋଷ୍ୟ କରିଛନ୍ତି। ଏମାନଙ୍କ ବ୍ୟତୀତ ୪ଜଣ ଆଇପିଏସ୍, ୨ ଜଣ ଆଇଏଫ୍‌ଏସ୍ ଅଧିକାରୀ ରାଜ୍ୟର ୬ଟି ବିଦ୍ୟାଳୟକୁ ପୋଷ୍ୟଭାବେ ଆପଣାଇଛନ୍ତି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରିଜିତ ପଶାୟତ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ୍ ଡି ପି ଚୌଧୁରୀ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ‘ମୋ ସ୍କୁଲ୍ ଅଭିଯାନ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ କୁମାର ସାହୁ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ଆଗକୁ ଆସି ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। କର୍ପୋରେଟ୍ କ୍ଷେତ୍ରରୁ ସି ଭି ରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ସଞ୍ଜୀବ କୁମାର ରାଉତ, ବିଶିଷ୍ଟ ଶିଳ୍ପପତି ବିଲୋଚନ ସାମଲ ଦୁଇଟି ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି। ଏମାନଙ୍କ ବ୍ୟତୀତ ବ୍ୟବସାୟୀ, କର୍ପୋରେଟ୍ ଅଧିକାରୀ, ସାମ୍ବାଦିକ, ସାମାଜିକ କର୍ମୀ ଓ ସାଧାରଣ ଜନତା ଏହି ଅଭିନବ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର