ଆଦିବାସୀଙ୍କ ପ୍ରିୟ ଖାଦ୍ୟ ‘ସିନ୍ଧିକିଡା’ ଏବେ ବିଲୁପ୍ତ ପ୍ରାୟ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ ଜଂଗଲରେ ଥିବା ଆଦିବାସୀମାନେ ଜଂଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି। ବିଭିନ୍ନ ଫଳମୂଳ, କନ୍ଦା, ମହୁ, ଝୁଣା, ଶିଆଳିପତ୍ର ସହ ପଶୁ ଶିକାର କରି ତା’ର ମାଂସକୁ ଖାଦ୍ୟ ରୂପେ ମଧ୍ୟ ଖାଇଥାନ୍ତି। ଆଉ କେତେକ ସଂପ୍ରଦାୟର ଆଦିବାସୀ ଲାଲ ପିମ୍ପୁଡି(କାଇ) ଓ ବିଭିନ୍ନ ପ୍ରକାର କୀଟପତଙ୍ଗ ମଧ୍ୟ ଖାଇଥାନ୍ତି। ଏଗୁଡିକ ଭଳି ସିନ୍ଧିକିଡା ମଧ୍ୟ ସେମାନଙ୍କ ପ୍ରିୟ ଖାଦ୍ୟ। ଆଦିବାସୀ ଭାଷାରେ କିଡା ଶବ୍ଦର ଅର୍ଥ ପୋକ।

ସେହିପରି ସିନ୍ଧି ଗଛ ହେଉଛି ଖଜୁରୀ ଗଛ ପ୍ରଜାତିର। ଖଜୁରୀ କୋଳି ଭଳି ଦେଖିବାକୁ ସିନ୍ଧି କୋଳି। ତେବେ ଖଜୁରୀ କୋଳିର ଆକାର ବଡ ହୋଇଥିବା ବେଳେ ସିନ୍ଧି କୋଳିର ଆକାର ଛୋଟ। ସିନ୍ଧି ଗଛ ଗୁଳ୍ମ ଜାତୀୟ । ଖଜୁରୀ ଗଛର ବାହୁଙ୍ଗା ପରି ଏହାର ମଧ୍ୟ ବାହୁଙ୍ଗା ଥିଲେ ବି ଏହା ମାଟିକୁ ଛୁଇଁ ରହିଥାଏ। ମାଲକାନଗିରି ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମ୍ୟ ଜଂଗଲରେ ଏଭଳି ଗଛ ବହୁ ପରିମାଣରେ ଦେଖିବାକୁ ମିଳୁଛି। ଏହି ଗଛରେ ଯେଉଁ ପୋକ ଲାଗିଥାନ୍ତି ତାକୁ ସିନ୍ଧିକିଡା ବୋଲି କହିଥାନ୍ତି। ପୌଷ ମାସ ବେଳକୁ ଏହି ସିନ୍ଧି ପୋକଗୁଡିକ ଗଛଗୁଡିକରେ ବସା ତିଆରି କରିବା ସହ ଗଛର ଉପରି ଭାଗକୁ ଧିରେ ଧିରେ ଖାଇବା ଆରମ୍ଭ କରିଥାନ୍ତି। ପୋକ ଗଛଟିକୁ ସମୂଳେ ଖାଇସାରିବା ପରେ ମାଟି ଭିତରେ ଥିବା ଗଛର କନ୍ଦାଟିକୁ ମଧ୍ୟ ଖାଇବା ଆରମ୍ଭ କରିଥାଏ।

ପୋକଗୁଡିକର ରଂଗ ଧଳା ଓ ବେଶ ମାଂସାଳ। ଆଦିବାସୀମାନେ ଏହି ପୋକକୁ ସୁସ୍ବାଦ ବ୍ୟଞ୍ଜନ ରୂପେ ବ୍ୟବହାର କରିଥାନ୍ତି। ପୌଷମାସ ବେଳକୁ ପ୍ରାୟତଃ ଧାନକଟା କାମ ସରିଯାଇଥାଏ। ତେଣୁ ଆଦିବାସୀଙ୍କ ହାତରେ ବିଶେଷ କିଛି କାମ ନଥାଏ। ଅବସର ବେଳେ ସେମାନେ ଜଂଗଲ ଭିତରେ ବୁଲି କୋଡି ସାହାଯ୍ୟରେ ଉକ୍ତ ଗଛ ପାଖରୁ ପୋକ ସଂଗ୍ରହ କରିଥାନ୍ତି। ଗଛର କନ୍ଦା ଭିତରେ ଏହି ପୋକ ରହିଥାନ୍ତି। ମାଲକାନଗିରି ଜିଲ୍ଲାର ଦୁର୍ଗମ ଗ୍ରାମରେ କିଛି ଆଦିବାସୀ ଏହି ସିନ୍ଧିକିଡା ସଂଗ୍ରହ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।

ସିନ୍ଧିକିଡା ପୋକ ଜାତୀୟ ହେଲେ ମଧ୍ୟ ଭାରି ସୁସ୍ବାଦୁ ବୋଲି ସେମାନେ କହିଥିଲେ। ଏହାକୁ କଞ୍ଚା ବି ଖାଇହୁଏ। ଏହାକୁ ତେଲ ମସଲା ଦେଇ ରାନ୍ଧିଲେ ପାଟିରୁ ଛାଡେନି ଓ ଏହା ଚିଙ୍ଗୁଡିଠାରୁ ମଧ୍ୟ ବେଶ ସ୍ବାଦିଷ୍ଟ ବୋଲି ସେମାନେ କହନ୍ତି।ଏବେ ଧିରେ ଧିରେ ସିନ୍ଧିଗଛ ସବୁ ନଷ୍ଟ ହୋଇଯାଉଥିବାରୁ ଏବେ ଏହି ପୋକ ଦୁଷ୍ପ୍ରାପ୍ୟ ହେଲାଣି। ସାରା ଦିନ ବୁଲିଲେ ଦଶରୁ ବାରଟି ହିଁ ସିନ୍ଧିକିଡା ମିଳିଥାଏ ବୋଲି ଏହି ଆଦିବାସୀ ଭାଇମାନେ କହିଥିଲେ। ଆଦିବାସୀ ଭାଷାରେ ସିନ୍ଧି କିଡା ବଡେ ନିକା,ଏହାର ଅର୍ଥ ହେଲା ଏହି ସିନ୍ଧି ପୋସ ଭାରି ସୁସ୍ବାଦୁ।

ସମ୍ବନ୍ଧିତ ଖବର