ଆଦିବାସୀ ନାବାଳକ ଗୋତିଶ୍ରମିକ ମାମଲା: ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ସମନ

ଯାଜପୁର/କେନ୍ଦ୍ରାପଡ଼ା: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳର ଏକ ଆଦିବାସୀ ନାବାଳକ(୯ବର୍ଷ)କୁ ଗୋତିଶ୍ରମିକ ଭାବେ ବିକ୍ରି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ନେଇ ଜାତୀୟ ମାନବାଧିକାର କମିସନ(ଏନ୍‌ଏଚଆରସି) ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଆଜି ସମନ ଜାରି କରିଛନ୍ତି। ଆସନ୍ତା ଅଗଷ୍ଟ ୮ ତାରିଖରେ ଉଭୟ ଜିଲ୍ଲାପାଳ ସମସ୍ତ ତଥ୍ୟ ଏବଂ ସମ୍ପୃକ୍ତ ଘଟଣା ଉପରେ ନେଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କିତ ରିପୋର୍ଟ ପ୍ରଦାନ ସହିତ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୧ ସେପ୍ଟେମ୍ବର ମାସରେ ପାଣିକୋଇଲି ଥାନା ପଥରପଦା ପଞ୍ଚାୟତ କାଜୁପାଟଣା ଗ୍ରାମର ଜଣେ ୯ବର୍ଷର ବାଳକକୁ ବରୀ ଅଞ୍ଚଳର ଜଣେ ଯୁବକ ଭଲ ଦରମା ଦେବେ ବୋଲି ବାପାମା’ଙ୍କୁ ଲୋଭ ଦେଖାଇ ନେଇଥିଲେ। ପରେ ନାବାଳକକୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଦଳେଇପଟାର ଜଣେ ଘୁଷୁରୀ ବେପାରୀଙ୍କୁ ବିକ୍ରି କରି ଦେଇଥିଲେ। ଏକଥା ଜାଣିବା ପରେ କଳାହାଣ୍ଡି ଜିଲ୍ଲାର ଦିଲୀପ ଦାସ କେନ୍ଦ୍ରାପଡ଼ା ଏସ୍‌ପି ଏବଂ ଶିଶୁ ସୁରକ୍ଷା ବିଭାଗ ସହିତ ଯୋଗାଯୋଗ କରିଥିଲେ। ଉଭୟ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରି କମିସନଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ପରେ ମହାକାଳପଡ଼ା ପୁଲିସ୍‌ ଏବଂ କେନ୍ଦ୍ରାପଡା ଶିଶୁ ସୁରକ୍ଷା ବିଭାଗ ସହଯୋଗରେ ନାବାଳକକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅଭିଯୋଗ କ୍ରମେ ୨୦୨୧ ନଭେମ୍ବରରେ ଏନ୍‌ଏଚ୍‌ଆରସି ଜାତୀୟ ଶିଶୁ ସୁରକ୍ଷା ଆଇନ୍ ଏବଂ ବାଳ ଶ୍ରମିକ ଆଇନ୍ ଆଧାରରେ ସମ୍ପୃକ୍ତ ନାବାଳକର ପରିବାରକୁ ମାସିକ ୨ ହଜାର ଟଙ୍କା ଏବଂ ତୁରନ୍ତ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ନାବାଳକକୁ ବିକ୍ରି କରିଥିବା ଏବଂ ଅର୍ଥ ଆତ୍ମସାତ୍‌ କରିଥିବା ଭ୍ରମର ପାତ୍ର ଏବଂ ରାଜୁ ଗେଡ଼ି ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣାରେ ଉଭୟ ଜିଲ୍ଲାପାଳ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଗତ ଏପ୍ରିଲ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କମିସନ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କୌଣସି ଜିଲ୍ଲାପାଳ ରିପୋର୍ଟ କରିନଥିଲେ। ଅାହୁରି ବି ନାବାଳକ ଜଣକ ଆଦିବାସୀ ହୋଇଥିଲେ ମଧ୍ୟ ଅନୁସୂଚିତ ଜାତି ଏବଂ ଜନଜାତି ଆଇନ୍‌ ଲଗାନଯିବାରୁ ଅଭିଯୁକ୍ତମାନେ ଜାମିନ୍‌ରେ ଚାଲିଆସିଥିଲେ ବୋଲି କମିସନ୍‌ଙ୍କ ନିକଟରେ ଅଭିଯୋଗ ହୋଇଛି। କେସ୍‌ ନମ୍ବର- ୧୨୬୩/୧୮/୨୭/୨୦୨୦-ସିଏଲରେ ଉଭୟ ଜିଲ୍ଲାପାଳଙ୍କୁ ସମନ ଜାରି କରି ଏହାର ଜବାବ ତଲବ କରିଛନ୍ତି। ଆସନ୍ତା ଅଗଷ୍ଟ ମାସ ୮ ତାରିଖରେ ଉଭୟ ଜିଲ୍ଲାପାଳ ସମସ୍ତ ତଥ୍ୟ ଏବଂ ସମ୍ପୃକ୍ତ ଘଟଣା ଉପରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରଦାନ କରିବା ସହିତ ହାଜର ହେବାକୁ ନିର୍ଦ୍ଦେଶ ରହିଛି।

ସମ୍ବନ୍ଧିତ ଖବର