ଦେଶୀ ମଦ ରନ୍ଧାଶାଳରେ ଚଢ଼ଉ: ୩ ଗିରଫ

୪୫୦୦ କେଜି ମହୁଲ ପୋଚ, ୨୫୫ ଲିଟର ଦେଶୀ ମଦ ଜବତ

ରାଉରକେଲା: ରାଉରକେଲା ଅବକାରୀ ପୁଲିସକୁ ଆଜି ପୁଣି ବଡ଼ଧରଣର ସଫଳତା ମିଳିଛି। ଲାଠିକଟା ଓ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ମାନକୋ, ଆମଝରଣ ଓ ଚିକଟମାଟି ଅଞ୍ଚଳରେ ଚଢ଼ଉ କରି ୪ ହଜାର ୫ ଶହ କେଜି ମହୁଲ ପୋଚ ଓ ୨୫୫ ଲିଟର ଦେଶୀ ମଦ ଜବତ କରିଛନ୍ତି। ଏହି ଜବଦତ ମହୁଲ ପୋଚ ଓ ଦେଶୀ ମଦକୁ ନଷ୍ଟ କରିଦିଆଯାଇଥିଲା। ବେଆଇନଭାବେ ଦେଶୀ ମଦ ତିଆରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି।

ରାଉରକେଲା ଅବକାରୀ ପୁଲିସ ଓ ଅବକାରୀ ଗୁଇନ୍ଦା ବିଭାଗ(ସମ୍ବଲପୁର) ମିଳିତଭାବେ ଗତ ଦୁଇ ଦିନ ହେଲା ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଛନ୍ତି। ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ମାନସ ରଞ୍ଜନ ନାୟକଙ୍କ ଉପସ୍ଥିତିରେ ଆଜି ମନକୋ, ଆମଝରଣ ଓ ଚିକଟମାଟି ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ସଂପୂର୍ଣ୍ଣ ଅନୈତିକଭାବେ ଦେଶୀ ମଦ ରନ୍ଧା ଯାଉଥିବାବେଳେ ଅତର୍କିତ ଚଢ଼ଉକରି ୩ ଅଭିଯୁକ୍ତଙ୍କୁ କାବୁ କରିନିଆଯାଇଥିଲା। ଏହି ଚଢ଼ଉବେଳେ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ୍‌ ବିପ୍ର ଚରଣ ମଣ୍ଡଳ, ଇନ୍ସପେକ୍ଟର ଶ୍ରୁତିକାନ୍ତ ରାଉତ, ଇନ୍ସପେକ୍ଟର ସଶୀକାନ୍ତ ଦତ୍ତ, ରାଉରକେଲା ଅବକାରୀ ବିଭାଗର ଇନ୍ସପେକ୍ଟର ସ୍ନେହଲତା ନାୟକ, ସବଇନ୍ସପେକ୍ଟର ମନୋରଞ୍ଜନ ମୁଣ୍ଡା, ଶ୍ରୀଧର ମହାନ୍ତି, ରମାକାନ୍ତ ଚାନ୍ଦ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର