ଚରମବାଣୀ ଶୁଣାଇଲେ ଆଦିବାସୀ: ‘ଜୀବନ ଦେବୁ ପଛେ ଇଞ୍ଚେ ଜାଗା ଦେବୁନି’

ବାରିପଦା: କାରଖାନା ପ୍ରତିଷ୍ଠା ଲକ୍ଷ୍ୟରେ ଇଡକୋକୁ ଜମି ଦେବାକୁ ସରକାରୀସ୍ତରରେ ଉଦ୍ୟମ ଚାଲିଛି। ତେବେ ଏହାକୁ ବିରୋଧ କରିଛନ୍ତି ଆଦିବାସୀ। ପ୍ରଶାସନ ଜବରଦସ୍ତ ଜମି ନେବାକୁ ଉଦ୍ୟମ କଲେ ପରିସ୍ଥିତି ଭୟାବହ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଆଜି ଜିଲ୍ଲା ପ୍ରଶାସନକୁ ଆଦିବାସୀମାନେ ଚରମବାଣୀ ଶୁଣାଇ ଦେଇଛନ୍ତି। ଜୀବନ ଦେବୁ ପଛେ, ଇଞ୍ଚେ ଜାଗା ଦେବୁ ନାହିଁ। ଏହାକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଥିବା ବେଳେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ କଣ ହେଉଛି ତାକୁ ଦେଖିବାର କଥା। ଖବର ଅନୁଯାୟୀ ବାରିପଦା ତହସିଲ ଅନ୍ତର୍ଗତ ମୋହିନଗଞ୍ଜ ମୌଜାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଲୋକଙ୍କୁ ତତ୍କାଳୀନ ରାଜା ୩୪୦ ଏକର ୪୦ ଡିସିମିଲ ଜାଗା ଦେଇଥିଲେ।

ଟ୍ରଷ୍ଟ ଏହାର ବୁଝାସୁଝା କରୁଥିବା ବେଳେ ଲୋକଙ୍କଠାରୁ ଖଜଣା ବି ଆଦାୟ କରାଯାଉଥିଲା। କହିବାକୁ ଗଲେ ୧୦୦ ବର୍ଷ ହେଲା ଏହି ଜାଗାରେ ଆଦିବାସୀମାନେ ଘରଦ୍ବାର ନିର୍ମାଣ କରି ରହି ଆସୁଛନ୍ତି। ତେବେ ସେହି ଜାଗାରୁ ୧୫୬ ଏକର ୮୫ ଡିସିମିଲ ଜାଗା କାରଖାନା ପ୍ରତିଷ୍ଠା ଲକ୍ଷ୍ୟରେ ଇ‌ଡକୋକୁ ଦେବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଏନେଇ ବାରିପଦା ତହସିଲ ପକ୍ଷରୁ ଜନଶୁଣାଣି କରିବାକୁ ଗତ ମାସ ୨୮ ତାରିଖରେ ବିଜ୍ଞପ୍ତି ଜାରି ହୋଇଥିଲା। ତେବେ ମୋହିନଗଞ୍ଜ ମୌଜାବାସୀ ୧୫ ଦିନ ସମୟ ମାଗିଥିଲେ।

ଆଜି ଜନଶୁଣାଣି ହେବ ବୋଲି ଗତ ୫ ତାରିଖରେ ପୁଣି ତହସିଲ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ହେଲେ ଏହାକୁ ଆଦିବାସୀମାନେ ବିରୋଧ କରିଛନ୍ତି। ଆଜି ରଜାବସା ପଞ୍ଚାୟତ ସରପଞ୍ଚ ରଂଜିତ ହାଁସଦା, ପୂର୍ବତନ ସମିତି ସଭ୍ୟ ଚୈତନ୍ୟ କିସ୍କୁ, ଉପେନ୍ଦ୍ର ମାରାଣ୍ଡି, ଦାଶରଥୀ ମାରାଣ୍ଡି, ଅଜୟ ହେମ୍ବ୍ରମଙ୍କ ନେତୃତ୍ବରେ ଶତାଧିକ ଅଞ୍ଚଳବାସୀ ଜିଲ୍ଲାପାଳ, ତହସିଲଦାର ଓ ରାଜସ୍ବମନ୍ତ୍ରୀଙ୍କୁ ଭେଟି ଇଡକୋକୁ ଜମି ନ ଦେବାକୁ କହିଛନ୍ତି। ଯଦି ପ୍ରଶାସନ ବଳପୂର୍ବକ ଜମି ନେବାକୁ ଉଦ୍ୟମ କରେ ତାହା ହେଲେ ପରିସ୍ଥିତି ଭୟାବୟ ହେବ। ଆଉ କଳିଙ୍ଗନଗର ପରିସ୍ଥିତି ଉପୁଜିଲେ ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର