ସଂରକ୍ଷଣ ଉଚ୍ଛେଦ ପ୍ରସଙ୍ଗରେ ଆଦିବାସୀଙ୍କ ବିରୋଧ ଜାରି: ପ୍ରାର୍ଥୀଙ୍କୁ ବାସନ୍ଦ, ଶବ ପଡ଼ିରହିଲା ୭ ଘଣ୍ଟା

ଦେଓଗାଁ: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଉଚ୍ଛେଦ ପ୍ରତିବାଦରେ ଆଦିବାସୀ ସଂଘ ପକ୍ଷରୁ ଜାରି ବିରୋଧ ଯୋଗୁ ଜଣେ ମହିଳା ପ୍ରାର୍ଥୀଙ୍କ ଶାଶୂଙ୍କ ଶବ ୭ ଘଣ୍ଟା ଧରି ପଡ଼ିରହିଥିବା ଦେଖିବାକୁ ମିଳିଛି। ପ୍ରାର୍ଥୀଙ୍କୁ ବାସନ୍ଦ ଘୋଷଣା ପରେ ଆଦିବାସୀ ସମାଜର କେହି ତାଙ୍କ ପାଖ ମାଡ଼ିନଥିଲେ। ଫଳରେ, ଏହିଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ମଙ୍ଗଳବାରଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ଆଦିବାସୀ ସଂଘ ଜରୁରୀ ବୈଠକ କରି ବିଜେଡିର ଜଣେ ଜିଲ୍ଲା ପରିଷଦ ସଭ୍ୟା ପ୍ରାର୍ଥୀ ଓ ବିଜେଡି ସମର୍ଥିତ ୫ ଜଣ ସମିତି ସଭ୍ୟ ପ୍ରାର୍ଥିନୀଙ୍କୁ ସାମାଜିକ ଓ ରାଜନୈତିକ ବାସନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନଥିବା ବଲାଙ୍ଗୀର ଜିଲ୍ଲା ପରିଷଦ ଜୋନ-୧୨ର ବିଜେଡି ପ୍ରାର୍ଥିନୀ ତଥା ତଥା ବ୍ଲକ୍‌ ମହିଳା ବିଜେଡି ସଭାନେତ୍ରୀ ମମତା କୁମୁରାଙ୍କୁ ମଧ୍ୟ ସମାଜରୁ ବାସନ୍ଦ କରାଗଲା ବୋଲି ଘୋଷଣା କରାଗଲା। ଠିକ୍‌ ଏହିସମୟରେ ଅର୍ଥାତ୍‌ ଆଜି ସକାଳ ୧୦ଟାରେ ମମତାଙ୍କ ଶାଶୂ ସୌଦାମିନୀ କୁମୁରାଙ୍କ ବିୟୋଗ ଘଟିଥିଲା। ଆଦିବାସୀ ସଂଘର ବାସନ୍ଦ ଯୋଗୁଁ କେହି ଜାତିଭାଇ ତାଙ୍କ ପାଖ ମାଡ଼ି ନଥିଲେ। ଫଳରେ ମୃତଦେହ ତାଙ୍କ ହାତୀସରା ଗାଁସ୍ଥିତ ଘରେ ପଡ଼ି ରହିଥିଲା।

‌େତବେ, ଅପରାହ୍ନରେ ପ୍ରାର୍ଥିପତ୍ର ପ୍ରତ୍ୟାହାରକୁ ନେଇ ବ୍ଲକ୍‌ ନିକଟସ୍ଥ ଖେଳପଡ଼ିଆରେ ଆଦିବାସୀ ସଂଘର ନେତୃବୃନ୍ଦ ଏକ ବୈଠକ କରିଥିଲେ। ବ୍ଲକ୍‌ କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେବଳ ଶବସତ୍କାରରେ ସହଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଫଳରେ ସନ୍ଧ୍ୟା ୫ଟାରେ ଜାତିସମାଜ ଯାଇ ଶବସତ୍କାରରେ ସହଯୋଗ କରିଥିଲେ। ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏନେଇ ଶ୍ରୀମତୀ କୁମୁରାଙ୍କୁ ପଚାରିବାରୁ ତାଙ୍କ ଶାଶୂଙ୍କ ଦେହାନ୍ତ ହୋଇଥିବାରୁ କୌଣସି ପ୍ରତିକ୍ରିୟା ଦେଇ ପାରିବେ ନାହିଁ ବୋଲି କହିଥିଲେ।

ସୂଚନା ଅନୁସାରେ; ବିଜେଡି ସମର୍ଥନରେ ସମିତି ସଭ୍ୟ ପଦରେ ପ୍ରାର୍ଥିପତ୍ର ଦାଖଲ କରିଥିବା ଲଣ୍ଡାପଥରର ଗୁଣନିଧି ଭୋଇ, ରାମଚନ୍ଦ୍ରପୁରର ଶମ୍ଭୁ ଧରୁଆ, ସିଂହାମୁଣ୍ଡାର ବୈଷ୍ଣବ ଧରୁଆ, ଦେଷଣ୍ଢର ଆରତୀ ଧରୁଆ ଓ ମହଲାଇର ବିଶାଖା କୁଅଁରଙ୍କୁ ମଧ୍ୟ ସାମାଜିକ ଓ ରାଜନୈତିକ ବାସନ୍ଦ କରିଥିବା ସଂପର୍କରେ ବ୍ଲକ୍‌ ଆଦିବାସୀ ସଂଘ ସୂଚନା ଦେଇଛି। ଆଜି ଅନୁଷ୍ଠିତ ଜରୁରୀ ବୈଠକରେ ଆଦିବାସୀ ନେତା ମହେନ୍ଦ୍ର ମଲ୍ଲିକ, ମୟ ପ୍ରଧାନୀ, ପୁରନ୍ଦର ଭୋଇଙ୍କ ସହ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ଅଣଦେଖା କରିଥିବା ଅଭିଯୋଗ କରି ଆରମ୍ଭରୁ ଆଦିବାସୀ ସଂଘ ବିରୋଧ କରିଆସୁଛି।

ସମ୍ବନ୍ଧିତ ଖବର