ଇଣ୍ଡିଗୋ କର୍ମଚାରୀଙ୍କ ହରତାଳ, ବିମାନବନ୍ଦରରେ ଉତ୍ତେଜନା

ଭୁବନେଶ୍ୱର : ଇଣ୍ଡିଗୋ ଏୟାରଲାଇନ୍ସ ଅଧୀନରେ ଥିବା ‘ଆଜାଇଲ୍‌’ ସଂସ୍ଥାର ଗ୍ରାଉଣ୍ଡ ହାଣ୍ଡଲିଙ୍ଗ୍‌ ଓ ଗାଡ଼ିଚାଳକ ମାନେ ଦରମା ବୃଦ୍ଧି ଦାବିରେ ଆଜି ହରତାଳ କରିଛନ୍ତି। ପାର୍କିଂ ଏରିଆରେ ଶତାଧିକ କର୍ମଚାରୀ ଏକାଠି ହେବା ସହ କାମ ବନ୍ଦ କରିଥିଲେ। ଫଳରେ ସକାଳେ ବିମାନବନ୍ଦରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। କର୍ମଚାରୀମାନଙ୍କୁ ଇଣ୍ଡିଗୋ ଏୟାରଲାଇନ୍ସର ଜନୈକ ପରିଚାଳକ ଆସି ବୁଝାଶୁଝା କରିଥିଲେ। ମାତ୍ର ଆନ୍ଦୋଳନକାରୀଙ୍କୁ ଚାକିରିରୁ ବିଦା କରି ଦିଆଯିବ ବୋଲି ଧମକ ଦିଆଯାଇଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ କର୍ମଚାରୀମାନେ ତୁରନ୍ତ ଦାବି ପୂରଣ ପାଇଁ ଅଡ଼ି ବସିଥିଲେ। ସନ୍ଧ୍ୟାସୁଦ୍ଧା ସେମାନେ କାର୍ଯ୍ୟରେ ଯୋଗ ଦେଇନଥିଲେ। ଆସନ୍ତାକାଲି ଇଣ୍ଡିଗୋ ମାନବ ସମ୍ବଳ ବିଭାଗ ଅଧିକାରୀ ଆସି ଆଲୋଚନା କରିବା ପରେ ପରବର୍ତୀ ନିଷ୍ପତ୍ତି ନିଆଯିବ ବୋଲି କର୍ମଚାରୀମାନେ କହିଥିଲେ।

ସୂଚନା ମୁତାବକ, କର୍ମଚାରୀମାନେ ମାସିକ ୮ ହଜାର ୨ଶହ ଟଙ୍କା ଦରମା ପାଉଛନ୍ତି। ପୂର୍ବରୁ ଅନେକ ଥର ଦରମା ବଢ଼ାଇ ମାସିକ ୧୪ ହଜାର ଦେବା ପାଇଁ ଦାବି କରା ଯାଇଥିଲା। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ୧୫ ଦିନ ତଳେ ସ୍କାନର ପାଖରେ ଜଣେ କର୍ମଚାରୀ ବ୍ୟାଗ୍‌ ଉଠାଇବା ବେଳେ ଜଣେ ମହିଳା ଯାତ୍ରୀଙ୍କ ଦେହରେ ବ୍ୟାଗ୍‌ ବାଜି ଯାଇଥିଲା। ସମ୍ପୃକ୍ତ ମହିଳା ଯାତ୍ରୀ ଜଣକ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏ ନେଇ ଇଣ୍ଡିଗୋ ମ୍ୟାନେଜ୍‌ମେଣ୍ଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। କମର୍ଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ କର୍ତ୍ତୃପକ୍ଷ କର୍ମଚାରୀମାନଙ୍କୁ ବୁଝାଶୁଝା କରିଥିଲେ। ଏଚ୍‌ଆରଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଏ ସବୁ ଅଭିଯୋଗକୁ ନେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସମ୍ବନ୍ଧିତ ଖବର