ହରିଚନ୍ଦନପୁର ବ୍ଲକ୍‌ରେ ଇନ୍ଦିରା ଆବାସ ଦୁର୍ନୀତି : ନିର୍ବାହୀ ଅଧିକାରୀ ନିଲମ୍ବିତ

କେନ୍ଦୁଝର : ହରିଚନ୍ଦନପୁର ବ୍ଲକର ବୁଢ଼ାଖମଣ ଗ୍ରାମରେ ଇନ୍ଦିରା ଆବାସ ଗୃହ ନିର୍ମାଣ ଦୁର୍ନୀତିରେ ଆଜି ପଞ୍ଚାୟତର ତତ୍‌କାଳୀନ ନିର୍ବାହୀ ଅଧିକାରୀ ତଥା ବର୍ତ୍ତମାନ ଘଟଗାଁ ବ୍ଲକରେ କାର୍ଯ୍ୟ କରୁଥିବା ବୈଲୋଚନ ସାହୁ ନିଲମ୍ବିତ ହୋଇଛନ୍ତି। ଏ ସ˚ପର୍କିତ ବିସ୍ତୃତ ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଆଶିଷ ଠାକ୍‌ରେ ସ˚ପୃକ୍ତ ପଞ୍ଚାୟତର ତତ୍‌କାଳୀନ ନିର୍ବାହୀ ଅଧିକାରୀ ଶ୍ରୀ ସାହୁଙ୍କୁ ତତ୍‌କ୍ଷଣାତ ନିଲମ୍ବିତ କରିଛନ୍ତି। ଏହି ନିଲମ୍ବନ ଆଦେଶରେ ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦେଶ ହୋଇଛି। ଚିଠି ନ˚-୩୬/ତାରିଖ-୧୪.୧.୧୯ରେ ନିଲମ୍ବନ ଆଦେଶ ଦିଆଯାଇଛି।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବୁଢ଼ାଖମଣ ଗ୍ରାମପଞ୍ଚାୟତର ନୋଡ଼ାମ ଗ୍ରାମରେ ୧୭ ଜଣ ହିତାଧିକାରୀଙ୍କୁ ତତ୍‌କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ବୈଲୋଚନ ସାହୁଙ୍କ ସୁପାରିସକ୍ରମେ ସ˚ପୂର୍ଣ୍ଣ ଟଙ୍କା ପୈଠ କରାଯାଇଥିଲା। ଗୃହ ଆରମ୍ଭ ହୋଇ ନ ଥିବା ସତ୍ତ୍ବେ ଅବଶିଷ୍ଟ ହିତାଧିକାରୀଙ୍କୁ ଏହି ଅର୍ଥ ଦିଆଯାଇଥିଲା। ଏ ସ˚ପର୍କରେ ଖୋଳତାଡ଼ ପରେ ପ୍ରକୃତ କଥା ପଦାକୁ ଆସିଥିଲା। ଏ ସ˚ପର୍କରେ ଜିଲ୍ଲା ପ୍ରଶାସନ ଜାଣିବା ପରେ ଗ୍ରାମ୍ୟ ଉନ୍ନୟନ ସ˚ସ୍ଥା ପ୍ରକଳ୍ପ ନିର୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ପିଡି ତଦନ୍ତ କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ୨୦୧୮ ଅକ୍ଟୋବର ୧୦ ତାରିଖରେ ଏହି ରିପୋର୍ଟ ଯିବା ପରେ ଜିଲ୍ଲାପାଳ ସ˚ପୃକ୍ତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ ନିର୍ଦେଶ ଦେଇଥିଲେ। ଇତିମଧୢରେ ପାଖାପାଖି ୨ ମାସ ବିତିଯିବା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ହୋଇନଥିଲା।

ଆଜି ସମ୍ବାଦରେ ବିସ୍ତୃତ ଭାବେ ‘ହରିଚନ୍ଦନପୁର ବ୍ଲକରେ ଇନ୍ଦିରା ଆବାସ ଦୁର୍ନୀତି: ଜିଲ୍ଲାପାଳଙ୍କ ନିର୍ଦେଶକୁ ଚାପିଦେଲେ ଡିପିଓ’ ଶୀର୍ଷକରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଥିଲା। ଖୋଦ୍‌ ଜିଲ୍ଲାପାଳ ଏ ସ˚ପର୍କିତ ଫାଇଲ ମଗାଇ ଆଜି ପୂର୍ବାହ୍ନରେ ସ˚ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି।

ସମ୍ବନ୍ଧିତ ଖବର