ଜୟପୁର: ଗତ କାଲି ଶୁଭ ବେଳାରେ ପ୍ରସ୍ତାବକ,ସମର୍ଥକଙ୍କ ଗହଣରେ ନାମାଙ୍କନପତ୍ର ଦାଖଲ କରିଥିଲେ ବିଜେଡି ପ୍ରାର୍ଥୀ ଡ.ଇନ୍ଦିରା ନନ୍ଦ। ତେବେ ଆଜି ପୁଣି ନିଜ ସମର୍ଥକଙ୍କ ସହ ବିରାଟ ରାଲିରେ ଆସି ଆଜି ଆଉ ଦୁଇ ସେଟ୍ ନାମାଙ୍କନ ଦାଖଲ କରିଛନ୍ତି ଇନ୍ଦିରା। ଏହା ପରେ ନିଜ ପ୍ରତିକ୍ରିୟାରେ ଇନ୍ଦିରା କହିଛନ୍ତି ଜୟପୁର ନିର୍ବାଚନମଣ୍ଡଳୀକୁ ଶିକ୍ଷାର ହବ୍ କରିବା ଲକ୍ଷ୍ୟ ରହିଛି। ସ୍ଥାନୀୟ ଯୁବବର୍ଗର ଦାବିକ୍ରମେ ଜୟପୁରରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ହୋଇ ସାରିଥିବାରୁ ଏହାକୁ ପୁର୍ଣ୍ଣାଙ୍ଗ କରିବା ଏବଂ ନିର୍ବାଚନମଣ୍ଡଳୀରେ ଅନ୍ୟାନ୍ୟ ବୈଷୟିକ ଶିକ୍ଷାଦାନ କେନ୍ଦ୍ର ଖୋଲିବାକୁ ସେ ପ୍ରୟାସ କରିବେ।

Advertisment

ଉପରକୋଲାବ ଓ ତେଲିଙ୍ଗିରୀ ଜଳସେଚନ ପ୍ରକଳ୍ପ ଦୁଇ ଦୁଇଟି ରହିଥିବାରୁ ଅଂଚଳରେ କୃଷି ଉଦ୍ୟୋଗ ସ୍ଥାପନ କରିବାକୁ ସେ ପ୍ରାଥମିକତା ଦେବେ। କୃଷି ଉଦ୍ୟୋଗ ହେବା ଦ୍ବାରା କୃଷକଙ୍କର ଉନ୍ନତି ହେବା ସହ ଅଂଚଳର ବିକାଶ ହୋଇପାରିବ। ଏହି ଉଦ୍ୟୋଗରେ ସ୍ଥାନୀୟ ପିଲା ନିଯୁକ୍ତି ପାଇବା ଫଳରେ ଅଂଚଳର ଶିକ୍ଷିତ ବେକାରଙ୍କ ସଂଖ୍ୟା ବି କମିବ। ଶାସକ ବିଜେଡି ମହିଳା ମାନଙ୍କୁ ଅଗ୍ରାଧିକାର ଦେଇ ଆସୁଛି। ମିଶନଶକ୍ତି, ଜୀବିକା ମିଶନ୍ ସହ ବିଭିନ୍ନ ଯୋଜନାରେ ସାମିଲ କରି ସେମାନଙ୍କୁ ଆର୍ଥିକସ୍ତରରେ ସଶକ୍ତ କରିବାକୁ ପ୍ରୟାସ ଜାରୀ ରହିଛି। ଏହାକୁ ଅଧିକା ତ୍ବାରାନ୍ବୀତ କରିବା ଦିଗରେ ସେ ପ୍ରୟାସ କରିବେ।

ସେ ଜଣେ ମହିଳା ହୋଇଥିବାରୁ ମହିଳା ମାନେ ସଶକ୍ତ ହେଲେ ତାଙ୍କ ପରିବାର ସହ ରାଜ୍ୟ ବି ସଶକ୍ତ ହୋଇ ପାରିବେ ବୋଲି ଡ.ନନ୍ଦ କହିଥିଲେ। ପୂର୍ବାହ୍ନ ୧୦ଟାରେ ପଂଚାନନ ମନ୍ଦିରରେ ପ୍ରଭୁ ମହାଦେବଙ୍କ ପୂଜାର୍ଚ୍ଚନା କରିବା ପରେ ପ୍ରଚାରରେ ସାମିଲ ହୋଇଥିଲେ ଇନ୍ଦିରା। ହଜାର ହଜାର ସମର୍ଥକଙ୍କ ଗହଣରେ ରାଲିରେ ଘୋଡାଶାଳ ପଡ଼ିଆରୁ ବାହାରି ମୁଖ୍ୟରାସ୍ତା, ଟ୍ରାଫିକ ଛକ, ଖ୍ରୀଷ୍ଠିଆନ୍ ପେଟା, ଲକ୍ଷ୍ମୀପଣ୍ଡା ଛକ, ଜୟନଗର ରାସ୍ତା ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଚିଂଥିଲେ। ରାସ୍ତାରେ ସେ ଜଗନ୍ନାଥ ମନ୍ଦିର, ନାରାୟଣ ମନ୍ଦିର, ଭଗବତୀ ଜଗତଜନନୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଚର୍ଚ୍ଚ ଓ ମସଜିଦରେ ପ୍ରାର୍ଥନା କରିଥିଲେ ଇନ୍ଦିରା। ନାମାଙ୍କନ ଶୋଭାଯାତ୍ରାରେ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପର୍ଯ୍ୟବେକ୍ଷିକା ମୀରା ପରିଡ଼ା, ଲତା ରାୟ, ଯୁବ ନେତା ସୁବାସ ରାଉତ, ପୌରଉପାଧ୍ୟକ୍ଷା ବି.ସୁନିତା, ବ୍ଲକ ଉପାଧ୍ୟକ୍ଷ ଗଣେଷ ପାଢ଼ୀ, ନଗର ବିଜେଡି ସଭାପତି ହରପ୍ରସାଦ ମିଶ୍ର, ଅନୁପ ପାତ୍ର, ଦୁର୍ଗା ପ୍ରସାଦ ମିଶ୍ର, ମାଧବ ରଥ, ସରୋଜ ଦାଶ, ବିଜୀରାୟ ଜେନାଦେଓ, ସହଦେବ ପଟ୍ଟନାୟକ, ଶିବ ପଟ୍ଟନାୟକ, ସୁବାସ ପଣ୍ଡା, ତାପସ ପଣ୍ଡା , ତରୁଣ ମହାପାତ୍ର, କେ. ନାଗରାଜ ଦୋରା, ମୁନ୍ନା ଦୋରା ପ୍ରମୁଖ ଭାଗ ନେଇଥିଲେ।