ଜଳେଶ୍ୱର: ରେଳପଥ ନିର୍ମାଣ ପାଇଁ ବାଲେଶ୍ବର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରେ ପରିବେଶ ଆଇନକୁ ଉଲ୍ଲଂଘନ କରାଯାଇ ବ୍ୟାପକ ମାଟି ଖନନ କରାଯାଉଛି। ପରିସ୍ଥିତି ଏପରି ହୋଇଛି ଯେ ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲ ଉଜୁଡ଼ିଯିବା ସହିତ ମୃତ୍ତିକା କ୍ଷୟ ହେଉଛି। ଅନବରତ ପରିବହନ ଯୋଗୁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ପ୍ରତି ବିପଦ ଦେଖାଦେଇଛି। ଜଳନିଷ୍କାସନ ପଥ ବନ୍ଦ ହୋଇଯିବାରୁ ବର୍ଷାଋତୁରେ ଗାଁଗୁଡ଼ିକ ପାଣିରେ ଭାସିବ। ଏନେଇ ଲୋକେ ପ୍ରତିବାଦ କରୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ରାଜନେତା ଚୁପ୍ ରହିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।
ସୂଚନା ଅନୁସାରେ, ଗତ ୪ ମାସରୁ ଊର୍ଦ୍ଧ୍ୱ ସମୟ ଧରି ତୃତୀୟ ରେଳପଥ ନିର୍ମାଣ କାମ ପାଇଁ ପରିବେଶ ସମ୍ବେଦନଶୀଳ ଜଳେଶ୍ୱର ବ୍ଲକ୍ ରାଇବଣିଆ ଥାନା ଅଞ୍ଚଳରୁ ବ୍ୟାପକ ମାଟି ଉତ୍ତୋଳନ କରାଯାଉଛି। ମାଟି ଖନନ ଓ ପରିବହନ ଯୋଗୁ ସ୍ଥାନୀୟ ଚମାରଗାଁ, କାଳିକ, ରାଇବଣିଆ, ବରଡ଼ିହା ଆଦି ପଞ୍ଚାୟତର ଅତି ନିକଟରେ ଥିବା ଧରମପୁର, ରଙ୍ଗାମାଟିଆ, ଲୁହାପଡ଼ା, ଆମ୍ବତୁମ୍ବା, ଦୁଧିଆଶୋଳ, ବାଗବୁଡ଼ା, ହଳଦୀଗୁଣ୍ଡି, କେନ୍ଦୁଖୁଣ୍ଟା ଆଦି ଜଙ୍ଗଲ ଉଜୁଡ଼ିଲାଣି। ମାଟି ଖନନ ହେଉଥିବା ଅଧିକାଂଶ ଜମି ଅନାବାଦୀ, ରକ୍ଷିତ କିସମର। ମାଟି ଖନନ ପାଇଁ କେବଳ ତହସିଲ ଅଫିସରୁ ଅନୁମତି ଦିଆଯାଉଛି ବୋଲି ସରକାରୀ ଭାବେ କୁହାଯାଉଛି। ତେବେ ମାଟି ଖନନ ଓ ପରିବହନ ଯୋଗୁ ସ୍ଥାନୀୟ ପରିବେଶ ଉପରେ ଏହାର କି ପ୍ରଭାବ ପଡୁଛି, ତାହାର ଆକଳନ କରାଯାଉନି।
ଉଜୁଡ଼ୁଛି ଜଙ୍ଗଲ, ହେଉଛି ମୃତ୍ତିକା କ୍ଷୟ
ବନ୍ଦ ହୋଇଯାଉଛି ଜଳ ନିଷ୍କାସନ ପଥ
ସଂରକ୍ଷିତ ଜଙ୍ଗଲର ଅତିନିକଟରୁ ମାଟିଖନନ ହେଉଥିବାରୁ କ୍ରମାଗତ ଭାବେ ମୃତ୍ତିକା କ୍ଷୟ ହେଉଛି। ଜଳ ନିଷ୍କାସନ ପଥ ମଧ୍ୟ ବନ୍ଦ ହୋଇ ଯାଉଛି। ତେଣୁ ଏଭଳି ସମ୍ବେଦନଶୀଳ ଅଞ୍ଚଳରୁ ମାଟି ଖନନ ସମୟରେ ଜଙ୍ଗଲ ଓ ପରିବେଶ ବିଭାଗର ଅନୁମତି ଅତ୍ୟନ୍ତ ଜରୁରି ବୋଲି ବାଲେଶ୍ୱର ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅଶ୍ବିନୀ ଦାସ ପ୍ରକାଶ କରିଛନ୍ତି। ଡମ୍ପରରେ ମାସାଧିକ କାଳ ମାଟି ପରିବହନ ହେଉଥିବାରୁ ରାସ୍ତାଘାଟ ମଧ୍ୟ ନଷ୍ଟ ହେଉଛି। ଶବ୍ଦ ପ୍ରଦୂଷଣ ପାଇଁ ରାସ୍ତା ପାର୍ଶ୍ବସ୍ଥ ଅଞ୍ଚଳର ଲୋକେ ଘରେ ଶାନ୍ତିରେ ଶୋଇ ପାରୁନାହାନ୍ତି। ମାଟି ପରିବହନ ପାଇଁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ମଧ୍ୟ ଅନେକ ସ୍ଥାନରେ ଫାଟି ଆଁ କଲାଣି। ରାସ୍ତାରେ ଯାତାୟାତ କରିବା ଦୁର୍ବିଷହ ହେଲାଣି। ମାଟି ପରିବହନ ପାଇଁ ଖଣି ବିଭାଗ ପକ୍ଷରୁ ଶିବମ୍ (ବିଡିପିଏଲ୍ଏସ୍/ଜେଭି) ସଂସ୍ଥା ନାମରେ ଟ୍ରାଞ୍ଜିଟ୍ ପାସ୍ ଯୋଗାଇ ଦିଆଯାଉଛି। କୁହାଯାଇଛି ଯେ ଉପରୋକ୍ତ ସଂସ୍ଥା ଲୋକଙ୍କୁ ପ୍ରଲୋଭିତ କରି ମାଟି ଖନନ କରୁଛି। ଗତ ନଭେମ୍ବର ମାସରେ ବାଗବୁଡ଼ାରେ ମାଟି ଖନନ ଓ ପରିବହନକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରିଥିଲେ। ସେହିପରି ଗ୍ରାମବାସୀ ଚାଫଲା ଛକରେ ଦୁଇ ଦୁଇ ଥର ଆନ୍ଦୋଳନ କରିଛନ୍ତି। ମାଟି ଖନନ ଓ ପରିବହନ ଯୋଗୁ ପରିବେଶ ପ୍ରତି ଯେଉଁ ବିପଦ ମାଡ଼ି ଆସୁଛି, ତାହାର ଆକଳନ ଓ ତଦାରଖ କରିବା କାହାର ଦାୟିତ୍ବ ବୋଲି ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ, କେବଳ ବ୍ୟକ୍ତିଗତ ଜମିରୁ ମାଟି ଖନନ ପାଇଁ ଅନୁମତି ଦିଆଯାଇଛି। ମାଟି ପରିବହନ ପାଇଁ ଟ୍ରାଞ୍ଜିଟ୍ ପାସ୍ ଖଣି ବିଭାଗ ଦେଉଛି। ପରିବେଶ ଉପରେ ପ୍ରଭାବ ନେଇ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/07/bYrbzvan0G2Y9MjkdbGG.jpg)