ଜରିପାଲ ତଳେ ଇନ୍‌ଡୋର୍‌ ଷ୍ଟାଡିୟମ: ଛାତରୁ ପାଣି ଗଳୁଛି, ସ୍ଥାୟୀ ସମାଧାନ ହେଉନି

କଟକ : ରାଜ୍ୟର ପ୍ରଥମ ବୃହତ୍‌ ଇନ୍‌ଡୋର୍‌ ଷ୍ଡାଡିୟମ୍‌: ଯେଉଁଠି ସୋମବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ, ସେଠି ଆଜି ଏକ ଲଜ୍ଜାଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଇନ୍‌ଡୋର୍‌ ଷ୍ଟାଡିୟମ୍‌ର ଛାତରୁ ପାଣି ଗଳୁଥିବାରୁ କାର୍ଯ୍ୟକ୍ରମର ଗୋଟିଏଦିନ ପୂର୍ବରୁ ଜରିପାଲ ଢାଙ୍କି ଦିଆଯାଇଛି। ଏହା ଷ୍ଡାଡିୟମ୍‌ର ସୌନ୍ଦର୍ଯ୍ୟକୁ ସମ୍ପୂର୍ଣ୍ଣ ନଷ୍ଟ କରୁଥିବାବେଳେ କାହିଁକି ସ୍ଥାୟୀ ପ୍ରତିକାର କରାଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେବେ, ଏହାର ମରାମତିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି।

୮୦ ଦଶକରେ ନିର୍ମାଣ ହୋଇଥିଲା ଏହି ଇନ୍‌ଡୋର୍‌ ଷ୍ଟାଡିୟମ୍‌। ଦେଶର ଶ୍ରେଷ୍ଠ ଇନ୍‌ଡୋର ଷ୍ଟାଡିୟମଗୁଡ଼ିକ ଭିତରେ ଏହାକୁ ଗଣାଯାଉଥିଲା। ଷ୍ଟାଡିୟମର ଉଡେନ ଫ୍ଲୋରି˚ ଓ ଛାତ କାମକୁ ସବୁବେଳେ ପ୍ରଶ˚ସା କରାଯାଏ। ୧୯୯୯ ମସିହା ମହାବାତ୍ୟାରେ ଏହି ଷ୍ଟାଡିୟମ୍‌ର ଛାତ ସ˚ପୂର୍ଣ୍ଣ ଉଡ଼ିଯାଇଥିଲା ଏବଂ ଫ୍ଲୋରି˚ ଉପରେ ଅଣ୍ଟା ଉଚ୍ଚ ପାଣି ଜମି ରହିଥିଲା। ଫ୍ଲୋରି˚ ପାଇଁ ବ୍ୟବହୃତ କାଠ ଏପର୍ଯ୍ୟନ୍ତ ଅକ୍ଷତ ଅବସ୍ଥାରେ ରହିଛି। କିନ୍ତୁ, ମହାବାତ୍ୟା ପରେ ଛାତ ମରାମତି କରାଯାଇଥିଲେ ବି ୨୦ ବର୍ଷ ପରେ ‘ଫନି’ ଯୋଗୁ ତାହା ପୁଣିଥରେ କ୍ଷତିଗ୍ରସ୍ତ ହୋଇଯାଇଥିଲା।

ବଡ଼ବଡ଼ିଆଙ୍କ ଆଖିକୁ ନଜର ପଡ଼ିଲାନି
ମରାମତିରେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା
ଜେନେରେଟର୍‌ ବି ନାହିଁ, ଭଡ଼ାକୁ ଆସୁଛି

ସୂଚନା ଅନୁସାରେ, ବାତ୍ୟାରେ କେବଳ ଛାତର କେନ୍ଦ୍ରଭାଗ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲାବେଳେ ଅନ୍ୟ ଭାଗଗୁଡ଼ିକ ଦୁର୍ବଳ ହୋଇଯାଇଥିଲା। କେବଳ ଛାତର ମଧ୍ୟଭାଗକୁ ମରାମତି କରାଯାଇ ଛାଡ଼ି ଦିଆଯାଇଥିଲା। ଅନ୍ୟ ଭାଗଗୁଡ଼ିକୁ ବିଭିନ୍ନ ସମୟରେ ଆବଶ୍ୟକୀ ଅନୁଯାୟୀ ମରାମତି କରାଯାଉଥିଲା। ହେଲେ, ପାଣି କେଉଁଠାରୁ ଖସୁଛି ତାହା ସନ୍ଧାନ ମିଳିପାରିନଥିଲା। ଯେଉଁଥିପାଇଁ ୨୦୧୯ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ଆୟୋଜନ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଅବଧି ମଧ୍ୟରେ ପୂର୍ତ୍ତ ବିଭାଗ ଏହାର ମରାମତି ଶେଷ କରିପାରିନଥିଲା। ଫଳରେ, ଚାରିପଟେ ଜରିପାଲ ଘୋଡ଼ାଇ ରଖାଯାଇଥିଲା। କିଛିବର୍ଷ ପୂର୍ବେ ପୂର୍ତ୍ତ ବିଭାଗ ପକ୍ଷରୁ ଛାତ ସ˚ପୂର୍ଣ୍ଣ ବଦଳାଯିବା ପାଇଁ ୨୦ କୋଟିରୁ ଅଧିକ ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଥିଲା। ହେଲେ, ରାଜ୍ୟ ସରକାର ଏଥିପ୍ରତି ଆଗ୍ରହ ନ ଦେଖାଇ ମରାମତି ଦିଗରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି। ଫଳରେ, ଛାତ ସ˚ପୂର୍ଣ୍ଣ ରୂପେ ସୁରକ୍ଷିତ ନୁହେଁ ଏବଂ ବର୍ଷାଦିନେ ଛାତର ବିଭିନ୍ନ ସ୍ଥାନରୁ ପାଣି ଗଳୁଥିବା ଦେଖିବାକୁ ମିଳୁଛି।

କେନ୍ଦ୍ର ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉପସ୍ଥିତ ଥିବା କାର୍ଯ୍ୟକ୍ରମ ପୂର୍ବରୁ ଇନ୍‌ଡୋର୍‌ ଷ୍ଡାଡିୟମ୍‌ର ଦୁର୍ବଳ ଚେହେରା ସାମ୍‌ନାକୁ ଆସିବା ଏବେ ସାଧାରଣରେ ଆଲୋଡ଼ନ ସୃଷ୍ଟିକରିଛି। କିଛି ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ‘ ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହକି, ଫୁଟବଲ ଭଳି କ୍ରୀଡ଼ାରେ ପ୍ରାୟୋଜକ ହୋଇ ପାଣି ଭଳି ଟଙ୍କା ବୁହାଇ ଦିଆଯାଉଛି। କିନ୍ତୁ, ରାଜ୍ୟ କ୍ରୀଡ଼ାର ପ୍ରଥମ ପରିଚୟ ବହନ କରୁଥିବା କଟକର ଜବାହାରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ର ଏଭଳି ସ୍ଥିତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ।’ ଆହୁରି ମଧ୍ୟ ବଡ଼ବଡ଼ିଆଙ୍କ ଆଖରେ ଇନ୍‌ଡୋର୍‌ ଷ୍ଟାଡିୟମ୍‌ର ଅବସ୍ଥା କିଭଳି ପଡ଼ିଲାନି, ତାହାକୁ ନେଇ ପ୍ରଶ୍ନ କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏ ସଂପର୍କରେ କ୍ରୀଡ଼ା ବିଭାଗ ଓ ମରାମତି କାମ କରୁଥିବା ପୂର୍ତ୍ତ ବିଭାଗ ମଧ୍ୟ ସ˚ପୂର୍ଣ୍ଣ ରୂପେ ଅବଗତ। ହେଲେ, ତାହାର ସ୍ଥାୟୀ ସମାଧାନ ପରିବର୍ତ୍ତେ ସମୟ ସମୟରେ ଛୋଟ ମରାମତି କରାଯାଇ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲାବେଳେ କୌଣସି କ୍ରୀଡ଼ା କାର୍ଯ୍ୟକ୍ରମ କିମ୍ବା ଭିଆଇପିଙ୍କ ଆଗମନ ସମୟରେ ଜରିପାଲରେ ଷ୍ଟାଡିୟମ ଛାତ ଘୋଡ଼ାଇ ରଖାଯାଉଛି। ଯାହାକି ଏହାର ସୌନ୍ଦର୍ଯ୍ୟକୁ ମଧ୍ୟ ନଷ୍ଟ କରି ଦେଉଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ଇନ୍‌ଡୋର ଷ୍ଟାଡିୟମର ନିଜସ୍ବ ଜେନେରେଟର ବ୍ୟବସ୍ଥା ମଧ୍ୟ ନାହିଁ। କୌଣସି କ୍ରୀଡ଼ା ପ୍ରତିଯୋଗିତା ହେଉଥିବା ସମୟରେ କିମ୍ବା କୌଣସି କାର୍ଯ୍ୟକ୍ରମ ଅବସରରେ ଯଦି ବିଦ୍ୟୁତ୍‌ କାଟ ହୋଇଯାଏ, ତା’ହେଲେ କ୍ରୀଡ଼ା କାର୍ଯ୍ୟକ୍ରମ ଜାରି ରଖିବାକୁ କୌଣସି ବିକଳ୍ପ ନାହିଁ। କୌଣସି ଭିଆଇପି କିମ୍ବା ଭିଭିଆଇପିଙ୍କ ଆଗମନ ସମୟରେ ଲକ୍ଷଲକ୍ଷ ଖର୍ଚ୍ଚ କରାଯାଇ ଭଡ଼ାରେ ଡିଜି ଅଣାଯାଉଛି। କିନ୍ତୁ ସ୍ଥାୟୀ ବ୍ୟବସ୍ଥା କାହିଁକି କରାଯାଉନାହିଁ ବୋଲି ମଧ୍ୟ ସାଧାରଣରେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର